Unknown

 

 

 

 

 

 

 

 

 

 

ପଞ୍ଚଧାର

ଚିନ୍ତାମଣି ମହାନ୍ତି

 

ଘନ କେଳିମଞ୍ଚ

 

ଗିରି ପଞ୍ଚଧାର,

ପ୍ରକୃତିଦେବୀଙ୍କ

 

ରତ୍ନ-ଗନ୍ତାଘର ।

ଅମର ସ୍ୱରୁପୀ

 

ଅମର ବାଞ୍ଛିତ,

ଦୂରରୁ ଆକର୍ଷେ

 

ଦର୍ଶକର ଚିତ୍ତ ।

 

 

 

ଅଷ୍ଟମଲ୍ଲିକର

 

ମାରାଗ ପ୍ରାଚୀର,

ତୋଳିଅଛି ନଭେ

 

ଦର୍ପୋନ୍ନତ ଶିର ।

ଭେଦି ବନ-ସିନ୍ଧୁ

 

ନୀଳ ଜଳରାଶି,

ପ୍ରକାଣ୍ଡ ମଗର

 

ଉଠିଛି କି ଭାସି !

 

 

 

କିମ୍ବା ଲାଗିଅଛି

 

ସ୍ୱର୍ଗକୁ ନିଶୁଣି,

ଅଥବା ଶୋଇଛି

 

ଉଦୀଚୀ ହାତୁଣୀ ।

ଅବା ଧରି ମର୍ତ୍ତ୍ୟ-

 

ତୀର୍ଥାଟନ ବ୍ରତ,

ଓହ୍ଲାଇ ଆସିଛି

 

ସ୍ୱର୍ଗୁ ଐରାବତ ।

 

 

 

ଯୋଖୁଥିଲେ ତୋତେ

 

ଉପମା ଶୈଳେଶ,

ଉପମା ଭଣ୍ଡାର

 

ହୋଇଯିବ ଶେଷ ।

ମହୀରେ ଅତୁଳ

 

ଯାହାର ସୁଷମା,

କେଉଁ ଲୋଡ଼ା ତାର

 

ବହୁଳ ଉପମା ?

 

ଖଞ୍ଚିଲେ ଭୂଷଣ

 

ଅଙ୍ଗେ ଯାକି ଯାକି,

ସ୍ୱଭାବ ସୌନ୍ଦର୍ଯ୍ୟ

 

ଯାଏ ତହିଁ ଢାଙ୍କି ।

ବଢ଼ାଏ ମସଲା

 

ବ୍ୟଞ୍ଜନର ସ୍ୱାଦ,

ଅଧିକ ପ୍ରୟୋଗେ

 

ହୁଏ ସେ ଅଖାଦ୍ୟ ।

 

 

 

ସ୍ୱଳ୍ପ ଫୁଲେ ସିନା

 

ଗୋଲାପ ସୁନ୍ଦରୀ,

ନିଏ ଦର୍ଶକର

 

ପ୍ରାଣମନ ହରି ।

ଚିର-ସୁନ୍ଦର ତୁ

 

ବୈଚିତ୍ର୍ୟ-ମଣ୍ଡିତ,

ଉପମା ତୋ ପାଶେ

 

ହୁଏ ପରାଜିତ ।

 

 

 

ଉପମାର ପ୍ରତି-

 

ଉପମା ତୁ ଗିରି,

କରେ ଆଲୋକିତ

 

ଚୌଦିଗେ ତୋ ଶିରୀ ।

ସୌନ୍ଦର୍ଯ୍ୟ-ବୈଚିତ୍ର୍ୟ

 

ସର୍ଜନା ତୋହର,

ସୁନ୍ଦରପଣେ ତୁ

 

ତୋତେ ପଟାନ୍ତର ।

 

 

 

ଅସୀମ ଅତୁଳ

 

ତୋହର ମହତ୍ତ୍ୱ,

କବି, ଯୋଗୀ ସିନା

 

ବୁଝନ୍ତି ଏ ତତ୍ତ୍ୱ ।

ଲୋଡ଼ନ୍ତି ସେ ତେଣୁ

 

ତୋର ରମ୍ୟ ଗୁହା,

ନିବସି ତୋ ଗର୍ଭେ

 

ରଚନ୍ତି ତୋ ଦୁହା ।

 

ପୁରାତନ ତୁହି

 

ଗିରି ଅଭ୍ରଙ୍କଷ,

କେ କଳିବ କେତେ

 

ତୋହର ବୟସ ?

ଭୀଷଣ ଆଘାତ

 

କେତେ ସଂସାରର,

ସହି ସହି ଦେହ

 

କଲୁଣି ପଥର ।

 

 

 

ଭୋଗିଲୁଣି ଯେତେ

 

ଦେଖିଲୁଣି ଯେତେ,

ଶିଖିଲୁଣି ତେତେ

 

ଭବ କର୍ମକ୍ଷେତ୍ରେ ।

ଅନନ୍ତ ବିଭବେ

 

ତୁ ମହା ଅମୀର,

ମାତ୍ର ମହାତ୍ୟାଗେ

 

ଉଲଗ୍ନ ଫକୀର ।

 

 

 

ଦାନ ପାଇଁ ଧନ

 

ଅର୍ଜନ୍ତି ସଜ୍ଜନ,

ତ୍ୟାଗହିଁ ତାଙ୍କର

 

ଆଦର୍ଶ ଜୀବନ ।

ଇତିହାସ ଖଣି

 

ତୁହି ସାନୁମାନ,

ଇତିହାସେ ଗଢ଼ା

 

ତୋର ପିଣ୍ଡ ପ୍ରାଣ ।

 

 

 

ଶିଳାତଳେ ତୋର

 

ବହୁ ଇତିହାସ,

କରିଛି ଅଲକ୍ଷ୍ୟେ

 

ଗୋପନେ ନିବାସ ।

ସ୍ୱଭାବରେ ତୁହି

 

ଯୋଗମଗ୍ନ ଯୋଗୀ,

ଯେସନ ଉଦାସୀ

 

ତେସନ ଉଦ୍‌ଯୋଗୀ ।

 

କର୍ମଯୋଗୀ ତୁହି

 

ସଦା କର୍ମରତ,

ବାହାରକୁ ଦିଶୁ

 

କର୍ମହୀନବତ ।

ପୁଣ୍ୟତୀର୍ଥ ପ୍ରାୟ

 

ତୋ ଦରୀନିଚୟ,

ଯୋଗୀ ୠଷିଙ୍କର

 

ନିଭୃତ ନିଳୟ ।

 

 

 

ସେ ସୌଭାଗ୍ୟ ତୋର

 

ଭଜିଛି ବିନାଶ,

ଏକାଳେ ସେ ଗୁମ୍ପା

 

ଶ୍ୱାପଦନିବାସ ।

ଉଠୁଥିଲା ଯହୁଁ

 

ପ୍ରଣବ ଓଁକାର,

ଉଠେ ତହୁଁ ଏବେ

 

ବିକଟ ହୁଙ୍କାର ।

 

 

 

ମୁନି-ଚିତ୍ତବିତ୍ତ

 

ନେଇପାରୁ ଜୁରି,

ମାୟା ପାଶର ତୁ

 

ଶାଣିତ କତୁରୀ ।

ମହାଲୋଭୀକୁ ତୁ

 

କରିପାରୁ ତ୍ୟାଗୀ,

ଦାମ୍ଭିକେ ବିନୟୀ,

 

ଗୃହସ୍ଥେ ବୈରାଗୀ ।

 

 

 

ସାଧକ ମଧ୍ୟରେ

 

ତୁ ମହାମହତ,

ଧରିଅଛୁ ତେଣୁ

 

ବିଶ୍ୱପ୍ରେମ ବ୍ରତ ।

ଆଧ୍ୟାତ୍ମିକ ଭାବେ

 

ସଦା ତୁ ବିଭୋର,

ପକାଇଛୁ କାଟି

 

ସ୍ୱାର୍ଥ ମୋହ-ଡୋର ।

 

ବହିଛୁ ଗର୍ଭରେ

 

ବିବିଧ ରତନ,

କଡ଼ାକର ନାହିଁ

 

ତୋ ଅଙ୍ଗେ ଭୂଷଣ ।

ନୈସର୍ଗିକ ଭୂଷା

 

ମହତ୍ତ୍ୱ ଯାହାର,

ମହାରତ୍ନ ସିନା

 

ତା ଦୃଷ୍ଟିରେ ଛାର ।

 

 

 

ସୁନ୍ଦରର ଯେହୁ

 

ସୁନ୍ଦର ଭୂଷଣ,

ଭୂଷଣ ମାଗେ ତା

 

ଚରଣେ ଶରଣ ।

ତୋ ବିରାଟ ବପୁ

 

ଅତସୀନିନ୍ଦିତ,

ସପ୍ତକ୍ରୋଶୀ ଗଣ୍ଡ

 

ପର୍ଯ୍ୟନ୍ତ ଲମ୍ବିତ ।

ଆକୃତି ତୋହର

 

ଅର୍ଦ୍ଧବୃତ୍ତାକାର

ରାଜ୍ୟକଣ୍ଠେ କି ସେ

 

ଇନ୍ଦ୍ରନୀଳ ହାର ।

 

 

 

ମହା ଭୀତିପ୍ରଦ

 

ସପ୍ତକୋଶୀ ଗଣ୍ଡ,

ଦର୍ଶକର ଧୈର୍ଯ୍ୟ

 

କରେ ଖଣ୍ଡ ଖଣ୍ଡ ।

ବର୍ଣ୍ଣନେ ସେ ଦୃଶ୍ୟ

 

ଥରିଉଠେ ଚିତ୍ତ,

ରଚକ ଲେଖନୀ

 

ହୁଏ ପ୍ରକମ୍ପିତ ।

 

ହସ୍ତର ଶାସନ

 

ନ ମାନେ ଲେଖନୀ,

କଳ୍ପନାର ତୁଣ୍ଡ

 

ବାଜିଯାଏ ଖନି ।

ହୋଇପଡ଼େ ପ୍ରାଣ

 

ଭୟରେ ମୂର୍ଚ୍ଛିତ,

ଉଡ଼ିଯାଏ ହୋଇ

 

ସାହସ ଚୂର୍ଣ୍ଣିତ ।

 

 

 

ଗାଏ ବିଭୀଷିକା

 

ଧ୍ୱଂସ ରୁଦ୍ର ଗୀତ,

କାନ୍ଦେ ନିସ୍ତବ୍‌ଧତା

 

ହୋଇ ଅତି ଭୀତ ।

ନିଃଶ୍ୱାସ ପ୍ରଶ୍ୱାସ

 

ହୋଇଯାଏ ରୁଦ୍ଧ,

ହିଂସ୍ରଜନ୍ତୁଙ୍କର

 

ଦେଖି ଘୋର ଯୁଦ୍ଧ ।

 

 

 

ମହା ଭୟଙ୍କର

 

ଯେହ୍ନେ ଯମଦ୍ୱାର,

ଅନ୍ଧାରର ତାହା

 

ସୂତିକା ଆଗାର ।

ହାଙ୍ଗର ମଗର

 

ଦିଅନ୍ତି ପହରା,

ସୃଷ୍ଟିକାଳୁଁ ତହିଁ

 

ପଡ଼ି ନାହିଁ ଖରା ।

 

 

 

ଅତି ସାହସୀ ତୁ

 

ଯେଣୁ ଧରାଧର,

ନିର୍ଭୟେ ସେ ଦୃଶ୍ୟ

 

ଦେଖୁ ନିରନ୍ତର ।

ତୋ ଶିଖରୁ ଜନ୍ମି

 

ପାଞ୍ଚଟି ପ୍ରପାତ,

ପଡ଼ୁଛନ୍ତି ଛାଡ଼ି

 

ଗର୍ଜନ ନିର୍ଘାତ ।

 

ସେହି ହେତୁ ତୋର

 

ନାମ ପଞ୍ଚଧାର,

ସେ ସ୍ଥାନର ଦୃଶ୍ୟ

 

ଅତି ଚମତ୍କାର !

ସୁରଧୁନି ନୀର

 

ଶଙ୍କର ଜଟାରୁ,

ପଡ଼ୁଛି କି ଖସି

 

ସୃଜି ଦୃଶ୍ୟ ଚାରୁ ।

 

 

 

ପାନ କରି ସେହି

 

ପୁଣ୍ୟ ତୀର୍ଥୋଦକ,

ମଣୁଛନ୍ତି ଜନେ

 

ଜୀବନ ସାର୍ଥକ ।

ପୂର୍ବଘାଟର ତୁ

 

ଅଂଶ ଧରାଧର,

ଉଚ୍ଚରେ ନିର୍ଦ୍ଦିଷ୍ଟ

 

ଆସନ ତୋହର ।

 

 

 

ସେ ଯେ ମହାକାବ୍ୟ

 

ତୁ ତାହାର ଟୀକା,

ବିଶ୍ୱହିତ ତୋର

 

ଜୀବନ ଜୀବିକା ।

ଦୁର୍ଲଭ ଉଦ୍ଭିଦ

 

ଦୁର୍ଲଭ ଔଷଧି,

ସୁଦୂର ଅତୀତୁଁ

 

ବହିଛୁ ଅବଧି ।

 

 

 

ଅଦ୍ଭୁତ ପାଦପ

 

ଅଛି ତୋ ବନରେ,

ଗୋଟିଏ ପତ୍ରରେ

 

କ୍ଷୁଧାତୃଷା ହରେ ।

ଘନ ବଂଶବନ

 

ବହିଛୁ ଅଶେଷ,

ଦିଶେ ତାହା ଯେହ୍ନେ

 

ତୋର ଦୀର୍ଘକେଶ ।

 

ଅଷ୍ଟମଲ୍ଲିକେ ତୁ

 

ଗିରିକୁଳ ରଜା,

ଆବର ତାହାର

 

ସର୍ବଶ୍ରେଷ୍ଠ ପ୍ରଜା ।

ଅର୍ପେ ପ୍ରଜା କର

 

ବର୍ଷେ ଦୁଇ ଥର,

ମାତ୍ର ତୁ ରାଜସ୍ୱ

 

ଗୁଣ ନିରନ୍ତର ।

 

 

 

ଆନ ପ୍ରଜା ଭଳି

 

ତୁହି ରେ ଭୂଧର,

ନ ଖୋଜୁ ସୁବିଧା

 

ଭୂମି ବୃତ୍ତ ଘର ।

କାମଧେନୁ ସିନା

 

ତୁହି ଏ ମହୀର,

ଯେତେ ଦୁହୁଁଥିଲେ

 

ଅର୍ପୂ ତେତେ କ୍ଷୀର ।

 

 

 

ରାଜଭକ୍ତି ତୋର

 

ଆଦର୍ଶସ୍ଥାନୀୟ,

ସ୍ୱଗୁଣେ ହୋଇଛୁ

 

ସଦା ରାଜପ୍ରିୟ ।

ସୁନ୍ଦର ଭୀଷଣ

 

ତୁହି ପଞ୍ଚଧାର,

ପଟାନ୍ତର ତୋର

 

ନୀଳ ପାରାବାର ।

 

 

 

ଉଭେ ବହୁପୋଷୀ,

 

ଉଭେ ରତ୍ନଗର୍ଭ,

ରଚ ପୁଣି ଉଭେ

 

ସୌନ୍ଦର୍ଯ୍ୟ ସନ୍ଦର୍ଭ ।

ବିରାଜେ ତୋ ରମ୍ୟ

 

ନାଭିକୁଣ୍ଡ ପରି,

ତପଖୋଲ ନାମେ

 

ସୁବିଶାଳ ଦରୀ ।

 

ଗିରି ଅପ୍‌ସରାଙ୍କ

 

କ୍ରୀଡ଼ାନିକେତନ,

ପ୍ରାୟ ତାହା ଦୂରୁଁ

 

ଦିଶେ ଶୋଭାବନ ।

ପ୍ରଚାରେ ପ୍ରବାଦ

 

ଯୋଗୀ ୠଷି ତହିଁ,

ରତ ଥିଲେ ତପେ

 

ନିକାଞ୍ଚନେ ରହି ।

 

 

 

ଶ୍ରୀ ମହେନ୍ଦ୍ର ଦେବ

 

ତେଜି ରାଜଭୋଗ,

ଯୋଗୀ ବେଶେ ତହିଁ

 

ସାଧୁଥିଲେ ଯୋଗ ।

ଘୋଷୁଛି ଯାହାଙ୍କ

 

ସୁବିମଳ ଯଶ

ସୁବ୍ୟବସ୍ଥା ଗ୍ରନ୍ଥ

 

‘‘ପଣ୍ଡିତସର୍ବସ୍ୱ’’ ।

 

 

 

ଥିଲେ ଯଶୋଧନ

 

ରାଜଧର୍ମୀ ରାଜା,

ବାଜୁଛି ଉତ୍କଳେ

 

ତାଙ୍କ ଖ୍ୟାତିବାଜା ।

ବାହ୍ୟେ ମାତ୍ର ରାଜା

 

ସ୍ୱଭାବେ ସେ ତ୍ୟାଗୀ

ସନାତନ ଧର୍ମେ

 

ଚିର ଅନୁରାଗୀ ।

 

 

 

ପ୍ରାତଃସ୍ମରଣୀୟ

 

ସେ ମହା ମନସ୍ୱୀ,

ଆଦର୍ଶ ସଂସାରୀ

 

ଆଦର୍ଶ ତପସ୍ୱୀ ।

କରଗ୍ରାହୀ ପ୍ରଜା

 

ରାଜ୍ୟର ନୃବର,

କରନ୍ତି ଗ୍ରହଣ

 

ୠଣ ଛଳେ କର ।

 

ପ୍ରଜାର ଉନ୍ନତି

 

ସାଧି ବହୁଗୁଣ,

ପରିଶୋଧ ସିନା

 

କରନ୍ତି ସେ ୠଣ ।

ନୃପ ଚୋର ଖଣ୍ଟ

 

ଦୁର୍ଜନର ଅରି,

ପ୍ରଜା-ଧନ-ଧର୍ମ

 

ଜୀବନ ପ୍ରହରୀ ।

 

 

 

ପ୍ରଜାପ୍ରାଣ ରାଜା,

 

ପ୍ରଜା ରାଜଶକ୍ତି,

ନୃପତି କାରକ,

 

ପ୍ରଜାଏ ବିଭକ୍ତି ।

ରାଜା ପ୍ରଜା ମଧ୍ୟେ

 

ଏ ମହା ସମ୍ପର୍କ,

ଅଚ୍ଛେଦ୍ୟ ଅଶେଷ

 

ମଙ୍ଗଳକାରକ ।

 

 

 

ପ୍ରଜା ପାଇଁ ରାଜା

 

ସୃଜିଛନ୍ତି ବିଧି,

ପ୍ରଜାଙ୍କର ରାଜା

 

ଶ୍ରେଷ୍ଠ ପ୍ରତିନିଧି ।

ବୁଝନ୍ତି ଏ ତତ୍ତ୍ୱ

 

ଯେଉଁ ନୃପବର,

ରାଜୋପାଧି ଏକା

 

ସାର୍ଥକ ତାଙ୍କର ।

 

 

 

ନରେନ୍ଦ୍ର ଶେଖର

 

ଶ୍ରୀ ମହେନ୍ଦ୍ର ଦେବ,

ତାଙ୍କ ଭଳି ପ୍ରାଜ୍ଞ

 

ନ ଥିଲା ନ ହେବ ।

ଯୋଗ୍ୟ ନ୍ୟାୟ ଦାନେ

 

ସେ ନୀତିଭୂଷଣ ।

କରୁଥିଲେ ପ୍ରଜା-

 

ଭକ୍ତି ଆକର୍ଷଣ ।

 

ତାଙ୍କ ପୁଣ୍ୟସ୍ମୃତି

 

ଅମର ପ୍ରତିଭା,

ଖେଳି ବୁଲୁଅଛି

 

ଏଥି ନିଶିଦିବା ।

କୀର୍ତ୍ତିପ୍ରାଣ ନୃପ

 

କୀର୍ତ୍ତି ଉପାର୍ଜ୍ଜନେ,

ରତ ଥିଲେ ସଦା

 

ଧନେ ପ୍ରାଣେ ମନେ ।

 

 

 

ନର ପ୍ରାଣେ କୀର୍ତ୍ତି

 

ଅମର ବିଭୂତି,

ଅନଶ୍ୱର ବିଶ୍ୱେ

 

କୀର୍ତ୍ତିମନ୍ତ ମୂର୍ତ୍ତି ।

କୁଟଗାଁ ତୋହର

 

ରମ୍ୟ ଉପତ୍ୟକା,

ଖସିପଡ଼ିଛି କି

 

ସ୍ୱର୍ଗରୁ ଅଳକା ।

 

 

 

ପ୍ରେମ ଶାନ୍ତି ମୈତ୍ରୀ

 

ସତ୍ୟ ଧର୍ମଭାବ,

ବିସ୍ତାରିଅଛନ୍ତି

 

ସେଠାରେ ପ୍ରଭାବ ।

ପଶେ ନାହିଁ ତହିଁ

 

ଗ୍ରାମ୍ୟ କୋଳାହଳ

ସେ ସ୍ଥାନର ବାୟୁ

 

ପବିତ୍ର ନିର୍ମଳ ।

 

 

 

ସେ ସ୍ଥାନ ପରଶେ

 

ଶୁଦ୍ଧ ହୁଏ ମନ,

ଅନଳ ପରଶେ

 

କାଞ୍ଚନ ଯେସନ ।

ସଂସାରର ତପ୍ତ

 

ପ୍ରଶ୍ୱାସେ ସେ ସ୍ଥଳ,

ଉଷ୍ଣ ନୁହେ, ତାହା

 

ସର୍ବଦା ଶୀତଳ ।

 

ଅଛି ତହିଁ ଏକ

 

ସୁନ୍ଦର ଉଦ୍ୟାନ,

ଫଳଫୁଲେ ନତ

 

ତରୁଲତାମାନ ।

ଉଦ୍ୟାନର ଶୋଭା

 

ରମୀଣୀୟ ଅତି,

ଦୃଷ୍ଟିମାତ୍ରେ ନିଏ

 

ହରି ଯତିମତି ।

 

 

 

ପଶିଲେ ଉଦ୍ୟାନେ

 

ପ୍ରତେ ହୁଏ ମନେ,

ଭ୍ରମୁଛି କି ସତେ

 

ଚୈତ୍ରରଥ ବନେ ।

ଉଦ୍ୟାନ-ରଚକ

 

ଜନୈକ ସନ୍ନ୍ୟାସୀ,

ବିଶ୍ୱପ୍ରେମବ୍ରତୀ

 

ନିତ୍ୟ ଯୋଗାଭ୍ୟାସୀ ।

 

 

 

ପୁତ୍ରକନ୍ୟା ପ୍ରାୟେ

 

ତରୁଲତାଚୟେ,

ପୋଷିଛନ୍ତି ସାଧୁ

 

ସସ୍ନେହେ ସଦୟେ ।

ମାକନ୍ଦ, କମଳା

 

ଆଦି ତରୁବୀଥି,

ପକ୍ୱ ଫଳ ଦାନେ

 

ତୋଷନ୍ତି ଅତିଥି ।

 

 

 

ସାରି ଶୁକ ପିକ

 

ହୋଇ ହୃଷ୍ଟଚିତ୍ତ,

ଗାଆନ୍ତି ଉଦ୍ୟାନେ

 

ମଧୁର ସଙ୍ଗୀତ ।

ନାନାଜାତି ପୁଷ୍ପେ

 

ପୂର୍ଣ୍ଣ ସେ ଉଦ୍ୟାନ,

ବସନ୍ତରାଜାର

 

ପ୍ରିୟ ବାସସ୍ଥାନ ।

 

ବର୍ଣ୍ଣି ନୁହେ ଗୀରେ

 

ଉଦ୍ୟାନ-ସୁଷମା,

ସେହି ଏକା ତାର

 

ସୁଯୋଗ୍ୟ ଉପମା ।

କରନ୍ତି ସେ ଦୃଶ୍ୟେ

 

ଆନୋପମା ଭୟ,

ପଶିଲେ ଲଭନ୍ତି

 

ତହିଁ ପରାଜୟ ।

 

 

 

ଧୀରେ ଧୀରେ ବହି

 

ମଳୟ ମାରୁତ,

ବହି ଆଣୁଥାଏ

 

ଦୂରୁଁ ପକ୍ଷୀ ଗୀତ ।

ତରୁବିରୁ କରି

 

ଶାଖା ସଞ୍ଚାଳନ,

କରୁଛନ୍ତି ସଦା

 

ପଥିକେ ଆହ୍ୱାନ ।

 

 

 

କୁସୁମ ନିଃଶ୍ୱାସ

 

ବୋଳିହୋଇ ରଙ୍ଗେ,

ଖେଳାଏ ଉଦ୍ୟାନ

 

ସୌରଭ ତରଙ୍ଗେ ।

ମଧ୍ୟାହ୍ନରେ ତହିଁ

 

କଳାପୀ କଳାପେ,

ମତ୍ତ ଷଡ଼ୁଜ-ସ୍ୱରେ

 

ସଙ୍ଗୀତ ଆଳାପେ ।

 

 

 

ପଞ୍ଚଧାର ତୋର

 

ବସନ୍ତବିଭବ,

ଭାଷାରେ ବର୍ଣ୍ଣିବା

 

ସିନା ଅସମ୍ଭବ ।

କଳ୍ପନା ତହିଁକି

 

ଏକାନ୍ତ ଅଯୋଗ୍ୟ,

କେବଳ ଦର୍ଶକ

 

ନେତ୍ର-ଉପଭୋଗ୍ୟ ।

 

ସୌନ୍ଦର୍ଯ୍ୟ ତୋହର

 

ସ୍ୱପନ ଅତୁଳ,

ଅପୂର୍ବ ବୈଚିତ୍ର୍ୟ

 

ସେ ସ୍ୱପ୍ନର ଫୁଲ ।

ବସନ୍ତର ତୁହି

 

ଚିର-ପ୍ରିୟ-ବାସ

ବାନ୍ଧିଛୁ ତା ପାଦେ

 

ସମ୍ମୋହନ ପାଶ ।

 

 

 

କି କାଉଁରୀମନ୍ତ୍ର

 

ଜାଣୁ ତୁ ଶିଖରୀ,

ରଖିଛୁ ସେ ମନ୍ତ୍ରେ

 

ତାକୁ ବଶକରି ।

ବିଚିତ୍ର ତୋହର

 

ଶରୀର ଗଠନ,

ଯେଭଳି ସୁନ୍ଦର

 

ସେଭଳି ଭୀଷଣ ।

 

 

 

ଅବୋଧ୍ୟ ବିଧିର

 

ବିଧାନ ଆଭାସ,

ଭୀଷଣତା ମଧ୍ୟେ

 

ସୌନ୍ଦର୍ଯ୍ୟର ବାସ ।

ନୋହିଥିଲେ ସିନ୍ଧୁ

 

ବୀଚି ଭୟଙ୍କର,

ଜନନେତ୍ରେ ସେ କି

 

ଦିଶନ୍ତା ସୁନ୍ଦର ।

 

 

 

ଦେଖୁଥିଲେ ତୋତେ

 

ପୁରେ ନାହିଁ ଆଶା,

ବଢ଼ୁଥାଏ କ୍ରମେ

 

ଦର୍ଶକ-ପିପାସା ।

ହେଲେ ସୁଦ୍ଧା ତୁହି

 

ପାଷାଣ-କଠୋର,

ନିତ୍ୟ ନୂତନତା

 

ବିଶେଷତ୍ୱ ତୋର ।

 

ନାନାବିଧ ବାଦ୍ୟ,

 

ବିବିଧ ସଙ୍ଗୀତ,

ବସନ୍ତେ ତୋ ବକ୍ଷେ

 

କରେ ଉତ୍ସବିତ ।

ବାଜେ ଠାବେ ଠାବେ

 

କଳନାଦୀ ବୀଣା,

ଭାବୁକ ଦର୍ଶକ

 

ମନକର୍ଣ୍ଣକିଣା ।

 

 

 

ଆଳାପେ ପଞ୍ଚମେ

 

ପିକ ବନକବି,

ଶ୍ରବଣେ ସେ ଗୀତ

 

ଚିତ୍ତ ଯାଏ ଦ୍ରବି ।

କ୍ରୌଞ୍ଚପକ୍ଷୀ ଗାଏ

 

ବିଷାଦ ରାଗିଣୀ,

ସକରୁଣ ସ୍ୱରେ

 

ଚିରବିଷାଦିନୀ ।

 

 

 

ଅନଳକୁମାରୀ

 

ରାଗିଣୀ ଶାର୍ଦ୍ଦୂଳ,

ଭୈରବ ରାଗରେ

 

ୠକ୍ଷବଧୂକୁଳ,

କରନ୍ତି ଆବୃତ୍ତ

 

ଧ୍ୱଂସ ରୁଦ୍ରଗୀତ,

ଶୁଣି ତାହା ଭୟେ

 

ଥରିଉଠେ ଚିତ୍ତ ।

 

 

 

ସ୍ୱଭାବେ ଚିରୀନ୍ଦ୍ର

 

ତୁ ମହାପର୍ବତ,

ଇନ୍ଦ୍ରୋପାଧି ତୋର

 

ନୁହେ ଅସଙ୍ଗତ ।

ବନେ ବନେ ଫୁଟି

 

ଅଗଣିତ ଫୁଲ,

ମଧୁବ୍ରତକୁଳେ

 

କରନ୍ତି ଆକୁଳ ।

 

ମୃଗ କରିଯୂଥ

 

ଆଘ୍ରାଣି ସୌରଭ,

ଭୁଞ୍ଜନ୍ତି ସନ୍ତୋଷ

 

ଆନନ୍ଦ ଦୁର୍ଲଭ ।

ତରୁରାଜଜେମା

 

ବନଲକ୍ଷ୍ମୀ ଫୁଲ,

ଜଗତେ ତାହାର

 

ଗୌରବ ଅତୁଲ ।

 

 

 

କଜ୍ଜଳପତ୍ରିକା

 

ବାଏ ଏକସ୍ୱରା,

ଡମ୍ବକାଉ ପକ୍ଷୀ

 

ବଜାଏ ନାଗରା ।

ଗାଏ ଶୁକପକ୍ଷୀ

 

ବିଭାସ ରାଗିଣୀ,

ମହ୍ଲାର ସଙ୍ଗୀତ

 

ଗାଏ ଚାତକିନୀ ।

 

 

 

ଝିଙ୍କପକ୍ଷିକୁଳ

 

ବଜାନ୍ତି ଘୁଙ୍ଗୁର,

ବିସ୍ତାରି ଚନ୍ଦ୍ରକ

 

ନାଚନ୍ତି ମୟୂର ।

ଏରୂପେ ତୋ ବକ୍ଷେ

 

ଲାଗେ ତୌର୍ଯ୍ୟତ୍ରିକ

କିଏ ତୋହ ପରି

 

ସଙ୍ଗୀତ-ରସିକ !

 

 

 

ଅଭ୍ର-ତାରକିତ

 

ତୋର କଳେବର,

ସହସ୍ରାକ୍ଷ ପ୍ରାୟ

 

ଦିଶୁ ତୁ ସୁନ୍ଦର ।

ପଞ୍ଚଧାର ତୋର

 

ସୂର୍ଯ୍ୟୋଦୟ ଶୋଭା,

ଅତି ଉପଭୋଗ୍ୟ

 

ବିଶ୍ୱମତି-ଲୋଭା ।

 

ତୋ ଶୃଙ୍ଗ ଉହାଡ଼ୁ

 

ଉଠି ବାଳରବି,

ଧରିଲେ ଭାସ୍ୱର

 

ବୃତ୍ତଖଣ୍ଡ ଛବି ।

ନବଘନ ଶ୍ୟାମ

 

କୌଶଲ୍ୟାନନ୍ଦନ,

କଲେ ଶିବଧନୁ

 

କିବା ଉତ୍ତୋଳନ

 

 

 

ସୀତାବିବାହର

 

ଧନୁର୍ଭଙ୍ଗ ପଣ,

ଚଳଚ୍ଚିତ୍ରେ ନଗ,

 

କରୁ ପ୍ରଦର୍ଶନ ।

କ୍ରମେ କ୍ରମେ ଊର୍ଦ୍ଧ୍ୱେ

 

ଉଠି ଦିନକର,

ବିମଣ୍ଡିଲେ ତୋର

 

ଉତ୍ତୁଙ୍ଗ ଶିଖର ।

 

 

 

ପ୍ରାଚୀ ଦିଗ୍‌ଗଜ କି

 

ସୁବର୍ଣ୍ଣ କଳସ,

ଶିରେ ଧରି ଉଭା

 

ଚିତ୍ତେ ବହି ହର୍ଷ ।

ସେ ତୀର୍ଥ-ସଲିଳ

 

ସିଞ୍ଚିହୋଇ ଶିରେ,

ଅଭିଷିକ୍ତ ହେବ

 

ଦିବସ ମହୀରେ ।

 

 

 

ଦିଶିଲାଣି ତାର

 

ପ୍ରତ୍ୟକ୍ଷ ସୂଚନା,

ବାଜେ ଅଭିଷକେ

 

ମଙ୍ଗଳ ବାଜଣା ।

ଖଣ୍ଡିଉଡ଼ାଦେଇ

 

କୁମ୍ଭାଟୁଆ ଖରେ,

ବଜାଏ ଦୁନ୍ଦୁଭି

 

ଦୁମୁଦୁମୁ ସ୍ୱରେ ।

 

ପ୍ରାତଃ ବୈତାଳିକ

 

ଆନ ପକ୍ଷିଗଣ,

କରୁଛନ୍ତି ଜୟ-

 

ଦୁହା ଉଚ୍ଚାରଣ ।

ସ୍ୱଭାବେ ପକ୍ଷୀଏ

 

ଦ୍ୱିଜ ଅଭିହିତ,

କେହି ପଢ଼େ ମନ୍ତ୍ର

 

ହୋଇ ପୁରୋହିତ ।

 

 

 

ବାଏ କେହି ଶଙ୍ଖ

 

ଆନନ୍ଦେ ଉତ୍‌ପୁଲ୍ଲି,

ଦେଉଅଛି କେହି

 

ଉଚ୍ଚେ ହୁଳହୁଳି ।

ନବ ନୃପତିଙ୍କୁ

 

ତରୁଲତାକୁଳ,

ଅର୍ପୁଛନ୍ତି ଭେଟି

 

ସୁବାସିତ ଫୁଲ ।

 

 

 

କେହି ଅବା ଉଭା

 

ରାଜଚ୍ଛତ୍ର ଘେନି,

ଧରିଛନ୍ତି କେହି

 

ତରାସ ଆଢ଼େଣୀ ।

ଧରିଛି କେହି ବା

 

ଛାମୁରେ ଆଲଟ,

ନାଚନ୍ତି ମୟୂରେ

 

ଯେହ୍ନେ ନଟୀନଟ ।

 

 

 

ବିଞ୍ଚେ କେହି ଖଦି

 

ସଞ୍ଚାଳି ପଲ୍ଲବ,

ଲାଗେ ଏହିରୂପେ

 

ଅଭିଷେକୋତ୍ସବ ।

ସୁବର୍ଣ୍ଣ ଉଷ୍ଣୀଷ

 

ସ୍ୱର୍ଣ୍ଣ ପରିଚ୍ଛଦ-

ସହ ଲଭିଛୁ ତୁ

 

ରାଜମନ୍ତ୍ରିପଦ ।

 

ଐନ୍ଦ୍ରଜାଲିକ ତୁ

 

କାମରୂପୀ ଗିରି,

ଭିନ୍ନ ଭିନ୍ନ କାଳେ

 

ଧରୁ ଭିନ୍ନ ଶିରୀ ।

ପ୍ରାତଃକାଳେ ଶାନ୍ତ

 

ଗଭୀର ମୂରତି,

ମଧ୍ୟାହ୍ନ ସମୟେ

 

ଭସ୍ମବୋଳା ଯତି ।

 

 

 

ସୂର୍ଯ୍ୟାସ୍ତ ସମୟେ

 

ଅତସୀନିନ୍ଦିତ,

ମୟୁରକଣ୍ଠିଆ

 

ବର୍ଣ୍ଣେ ବିଚ୍ଛୁରିତ ।

ଚାନ୍ଦନୀ ରାତିରେ

 

ତୋ ଶୋଭା-ବିଭବ,

କବି-କଳ୍ପନାକୁ

 

ଅର୍ପେ ପରାଭବ ।

 

 

 

ଛାୟାଲୋକେ ତନୁ

 

ତିଳତଣ୍ଡୁଳିତ,

ଚିତ୍ରମୃଗ ପ୍ରାୟ

 

ଦିଶେ ବିଶୋଭିତ ।

ତୋ ବକ୍ଷେ ବିକ୍ଷିପ୍ତ

 

ଅଭ୍ରଚୂର୍ଣ୍ଣଚୟ,

ଜ୍ୟୋତ୍ସ୍ନା ସ୍ପର୍ଶେ ତାହା

 

ଦିଶେ ଜ୍ୟୋତିର୍ମୟ ।

 

 

 

ପୁଷ୍ପପ୍ରଭା ସଙ୍ଗେ

 

ମିଶୁଛି ସେ ଜ୍ୟୋତି,

ଝରିପଡ଼ୁଛି କି

 

ପୁଷ୍ପ ହାସୁ ମୋତି ।

ସୁପ୍ତ ମହାକାଶ

 

ସୁପ୍ତ ବସୁମତୀ,

ତୁ ଏକା ଜାଗ୍ରତ

 

ରହି ଗିରିଯତି ।

 

ଉଚ୍ଚାରୁ ପ୍ରଣବ-

 

ମନ୍ତ୍ର ଗୁହା ମୁଖେ,

ବିଭୁ-ପ୍ରେମେ ମତ୍ତ

 

ହୋଇ ମହାସୁଖେ ।

 

 

 

ନିଦାଘେ ତୁ ଧରୁ

 

ଉଲଗ୍ନ ମୂରତି

ଦିଶୁ ନିଃସ୍ୱ ପ୍ରାୟ

 

ଦୀନହୀନ ଅତି ।

ଜଳିଉଠେ ତୋର

 

ଦେହେ ଦାବାନଳ,

ତୋ ଆଶ୍ରିତ ଜୀବେ

 

ହୁଅନ୍ତି ବିକଳ ।

 

 

 

ନବବଧୁ ପ୍ରାୟେ

 

ଦିଶୁ ବର୍ଷାକାଳେ,

ଢାଙ୍କିହୋଇ ତରୁ-

 

ଲତା ଅନ୍ତରାଳେ ।

ଶରତ୍କାଳେ ଧରୁ

 

ସୁନ୍ଦର ଆକୃତି,

ପିନ୍ଧାଏ ଭୂଷଣ

 

ତୋ ଅଙ୍ଗେ ପ୍ରକୃତି ।

 

 

 

ହେମନ୍ତ ଶିଶିରେ

 

ରେ ମହାଶିଖରୀ,

ଜୀର୍ଣ୍ଣ ରୁକ୍ଷ ବେଶ

 

ଧରୁ ବୃଦ୍ଧ ପରି ।

ବସନ୍ତେ ତୁ ହେଉ

 

ଅମରବନ୍ଦିତ,

ରାଜରାଜେଶ୍ୱର

 

ବେଶେ ସୁସଜ୍ଜିତ ।

 

ସହକାର ତରୁ

 

ଖଟେ ତୋ ନୀତିରେ,

ସୁବର୍ଣ୍ଣ ମୁକୁଟ

 

ପିନ୍ଧାଏ ତୋ ଶିରେ ।

ଶୋଭେ ତୋ ଶରୀରେ

 

ପୁଷ୍ପ ପରିଚ୍ଛଦ,

ଲଭୁ ତୁହି କୋଟି

 

କୁବେର-ସମ୍ପଦ ।

 

 

 

ଲଭିଣ ସୁନାରି

 

ଆନନ୍ଦ ଅପାର,

ତୋ କଣ୍ଠେ ଲମ୍ବାଇ-

 

ଦିଏ ସ୍ୱର୍ଣ୍ଣହାର ।

ଆନ ତରୁଲତା

 

ବିବିଧ ଭୂଷଣ,

ସରାଗେ ତୋ ଅଙ୍ଗେ

 

କରନ୍ତି ମଣ୍ଡନ ।

 

 

 

ସେ କାଳେ ଦିଶୁ ତୁ

 

ପରମ ସୁନ୍ଦର,

ଯେସନ ତରୁଣ

 

ବିବାହାର୍ଥୀ ବର ।

ନିରେଖି ତୋ ରୂପ

 

ଦିଗଙ୍ଗନାଗଣ,

ଇଚ୍ଛନ୍ତି କରିବେ

 

ସ୍ୱୟମ୍ବର ପଣ ।

ସୁନ୍ଦର ପାତ୍ରର

 

ଗ୍ରହିବାକୁ କର,

ପ୍ରୟାସିନୀ ସଦା

 

ସୁନ୍ଦରୀନିକର ।

 

 

 

ମହାପୁରାତନ

 

ତୁହି ପଞ୍ଚଧାର,

ଯେପରି ମହତ

 

ସେପରି ଉଦାର ।

 

ବହୁଦର୍ଶୀ ପୁଣି

 

ବହୁ ଅନୁଭବୀ,

ଦେଖିଲୁଣି କେତେ

 

ପୁରାତନ ଛବି ।

 

 

 

କେତେ ଆବିର୍ଭାବ

 

କେତେ ତିରୋଭାବ,

ତୋ ସ୍ମୃତିଖାତାରେ

 

ଲଭିଅଛି ଠାବ ।

ଦୁପ୍ତ ପ୍ରବଳର

 

କ୍ରୂର ଅତ୍ୟାଚାର,

ଦୀନ ଦୁର୍ବଳର

 

ଆର୍ତ୍ତହାହାକାର,

 

 

 

ଦେଖିଅଛୁ ନେତ୍ରେ

 

ଶୁଣିଅଛୁ କର୍ଣ୍ଣେ,

ତୋ ହୃଦୟେ ଲେଖା

 

ତାହା ବର୍ଣ୍ଣେବର୍ଣ୍ଣେ ।

ବିଜୟୀ ବୀରର

 

ବିକଟ ଚିତ୍କାର,

ଶୁଣିଅଛୁ କର୍ଣ୍ଣେ

 

ତୁହି ପଞ୍ଚଧାର ।

 

 

 

ବିଜିତର ଉଷ୍ଣ

 

ହତାଶ ନିଃଶ୍ୱାସ,

ଶୁଣି ତୁ ଅର୍ପିଛୁ

 

ନୀରବେ ଆଶ୍ୱାସ ।

ସେହି ଅତ୍ୟାଚାରୀ

 

ଦର୍ପୋଦ୍ଧତ ବୀରେ,

ନାହାନ୍ତି ରେ ନଗ

 

ଆଉ ଏ ମହୀରେ ।

 

ସରିଗଲା ତାଙ୍କ

 

ସକଳ ଉତ୍ପାତ,

ତୋ ଅଗ୍ରତେ ସର୍ବେ

 

ହେଲେ ଧୂଳିସାତ ।

ନର ଜୀବନର

 

ଘଟଣା-ନିକର,

ଅଗୋଚର ତୋର

 

ନୁହେଁ ଗିରିବର ।

 

 

 

ବୋଲନ୍ତି ସକଳେ

 

ଯାହାକୁ ଜୀବନ,

ଜୀବନ ନୁହେଁ ସେ

 

ସୁଦୀର୍ଘ ସ୍ୱପନ ।

ମୋହବଶେ ଜନେ

 

ନ ବୁଝନ୍ତି ତଥ୍ୟ,

ସ୍ୱପନକୁ ସିନା

 

ମଣୁଥାନ୍ତି ସତ୍ୟ ।

 

 

 

ଭାଙ୍ଗିଗଲେ ସ୍ୱପ୍ନ

 

ସରିଯାଏ ସତ୍ତା,

ଏଥିପାଇଁ ପୁଣି

 

ଦେଖାନ୍ତି ମମତା ।

ମୋର ମୋର କହି

 

କରେ ସେ ଚିତ୍କାର,

ବାସ୍ତବରେ କେହି

 

ନୁହନ୍ତି ତାହାର ।

 

 

 

ଜ୍ଞାତିବନ୍ଧୁବର୍ଗ

 

ଆତ୍ମଜ କଳତ୍ର,

କେ କାହାରି ନୁହେଁ

 

ସକଳେ ସ୍ୱତନ୍ତ୍ର ।

ଆତ୍ମୀୟ ବୋଲି ଯେ

 

ଦେଖାନ୍ତି ମୁଆଁସ,

ସେ ସକଳେ ସିନା

 

ଅର୍ଥ-ସ୍ୱାର୍ଥ-ଦାସ ।

 

ହୁଅନ୍ତି ଆତ୍ମୀୟ

 

ସର୍ବେ ସ୍ୱାର୍ଥ ପାଇଁ,

ସ୍ୱାର୍ଥ ସରିଗଲେ

 

ଯାଆନ୍ତି ପଳାଇ ।

ସଂସାରର ଏହି

 

ଘୃଣ୍ୟ କୂଟନୀତି,

ତୋ ଅଗ୍ରତେ ଗିରି

 

ଚଳୁଅଛି ନିତି ।

 

 

 

ରହିଛୁ ନୀରବେ

 

କିନ୍ତୁ ସବୁ ଜାଣୁ,

ବିସ୍ମୟରେ ତେଣୁ

 

ହୋଇଅଛୁ ସ୍ଥାଣୁ ।

ଏ କୂଟନୀତିର

 

ଯୋଗ୍ୟ ପ୍ରତିକାର,

କରିବା ଶକ୍ତି ତୋ

 

ନାହିଁ ପଞ୍ଚଧାର !

 

 

 

ଦେଖୁଅଛୁ ନେତ୍ରେ

 

ଶୁଣୁଅଛୁ ତାନେ,

କି କରିବୁ, ମାତ୍ର

 

ରହିଛୁ ଗୁମାନେ ।

ଦୁର୍ନୀତି ଦମନେ

 

ନ ଥିଲେ କ୍ଷମତା,

ଶ୍ରେୟସ୍କର ଏକା

 

ତହିଁ ନୀରବତା ।

 

 

 

ଦେଖିଲୁଣି କେତେ

 

ମହତ ଆଦର୍ଶ,

ଶୁଭାନୁଷ୍ଠାନର

 

ବିପୁଳ ଉତ୍କର୍ଷ ।

କେତେ ଯୋଗଜନ୍ମା

 

ଧର୍ମ-କର୍ମବୀରେ,

ଅକ୍ଷୟ ସୁକୀର୍ତ୍ତି

 

ଅର୍ଜ୍ଜିଲେ ମହୀରେ ।

 

ହୋଇ କେତେ ଧନୀ

 

ସତ୍କର୍ମେ ଆକୃଷ୍ଟ,

ଯାଇଛନ୍ତି ଗଢ଼ି

 

ଦୀନର ଅଦୃଷ୍ଟ ।

କେତେ ଦେଶଭକ୍ତ

 

ଧର୍ମପ୍ରଚାରକ,

କରୁଛନ୍ତି କର୍ମେ

 

ସ୍ୱନାମେ ସାର୍ଥକ ।

 

 

 

ପଞ୍ଚଧାର, ତାହା

 

ଅଛୁ ତୁ ବିଦିତ,

ସକଳ ବିଷୟେ

 

ଅଟୁ ସୁପଣ୍ଡିତ ।

ଏ ଅଷ୍ଟମଲ୍ଲିକ

 

ତୋ ନିବାସରାଜ୍ୟ,

ସାଧୁଅଛି ବହୁ

 

ମହତ ସତ୍କାର୍ଯ୍ୟ ।

 

 

 

ଉନ୍ନତି ମାର୍ଗରେ

 

ହେଉଛି ଧାବିତ,

ମହିମା-ମୟୂଖେ

 

ହୋଇ ସୁରଞ୍ଜିତ ।

ଦେଖୁଛୁ ତୁ ତାର

 

ଅନୁପମ ଶିରୀ,

ବାହୁଲ୍ୟ ବା କିସ

 

ବର୍ଣ୍ଣିବିରେ ଗିରି !

 

 

 

ଗିରିରାଜ ତୁହି

 

ମହା ସଦାଶୟ,

ଘନରାଜେ ଦେହେ

 

ଦେଇଛୁ ଆଶ୍ରୟ ।

ଆବର ଅର୍ପିଛୁ

 

ଆଶ୍ରା ଗଜରାଜେ,

ମହାନନ୍ଦେ ସେ ତୋ

 

ଗହ୍ୱରେ ବିରାଜେ ।

 

ଶାଶ୍ୱତ ନିୟମ

 

ସିନା ଏ ଜଗତେ,

ମହତକୁ ଆଶ୍ରା

 

ଦିଅନ୍ତି ମହତେ ।

ହେଲେ ସୁଦ୍ଧା ପ୍ରାଣ

 

ଆସି କଣ୍ଠାଗତ,

ଇତରର ଆଶ୍ରା

 

ନ ଲୋଡ଼େ ମହତ ।

 

 

 

ଆଶ୍ରା କରେ ତିମି

 

ମହାସିନ୍ଧୁ ଜଳ,

ରୁଚିବ କି ତାକୁ

 

ପଙ୍କିଳ ପଲ୍ୱଳ ?

କ୍ଷୁଦ୍ର ହେଲେ ସୁଦ୍ଧା

 

ମହତ ଚାତକ,

ଧରା-ନୀର ତେଜି

 

ପିଏ ଘନୋଦକ ।

 

 

 

ନାରିକେଳ ପରି

 

ବ୍ୟବହାର ତୋର,

ଭିତର କୋମଳ

 

ବାହାର କଠୋର ।

ଅସଂଖ୍ୟ ପ୍ରାଣୀଙ୍କୁ

 

ପ୍ରଦାନି ଭୋଜନ,

ପାଳିଅଛୁ ତୁହି

 

ଧର୍ମ ସନାତନ ।

 

 

 

ଧର୍ମ ଏକା ଗିରି

 

ତୋର ବଡ଼ପଣ,

ଧର୍ମ ଏକା ତୋର

 

ଚରିତ୍ରଭୂଷଣ ।

 

ପଞ୍ଚଧାର ତୋର

 

ଦୃଢ଼ ଆକର୍ଷଣେ,

ଖସି ଆସି ଊର୍ଦ୍ଧୂ

 

ନଭଶ୍ଚାରୀ ଘନେ,

ରଚନ୍ତି ତୋ ବକ୍ଷେ

 

କ୍ରୀଡ଼ା ମହୋତ୍ସବ,

ଆଘ୍ରାଣି କୁଟଜ-

 

ପୁଷ୍ପ ସଉରଭ ।

 

 

 

ଧାବନ୍ତି ସକଳେ

 

ହୋଇ ବିଶୃଙ୍ଖଳ,

ଯେହ୍ନେ କ୍ରୀଡ଼ାରତ

 

ଶ୍ୱେତହସ୍ତିଦଳ ।

ଦୁନ୍ଦୁଭି ନିନାଦେ

 

ଗରଜି ଗମ୍ଭୀରେ,

ଅନର୍ଗଳ ଜଳ

 

ବର୍ଷନ୍ତି ତୋ ଶିରେ ।

 

 

 

ଧୈବତ ରାଗିଣୀ

 

ଆଳାପନ୍ତି ଭେକ,

ଏ ଭାବେ ହୁଏ ତୋ

 

ରାଜ-ଅଭିଷେକ ।

ସ୍ୱଭାବେ ତୁ ରାଜା

 

ଶିଖରସମାଜେ,

ଏ ଉପମା ତୋତେ

 

ପୂର୍ଣ୍ଣରୂପେ ସାଜେ ।

 

 

 

ଏ ରାଜ୍ୟର କୃଷି-କ୍ଷେତ୍ରେ

 

ସେହି ଜଳ,

ମାଡ଼ି କରେ ତାକୁ

 

ଶସ୍ୟେ ସୁଶ୍ୟାମଳ ।

ତହୁଁ କୃଷିବଳ

 

ହୋଇ ଉଲ୍ଲସିତ,

ବଂଶୀ ବାଇ ଗାଏ

 

ଆଶାପୂର୍ଣ୍ଣ ଗୀତ ।

 

ବହିନେଇ ସାର

 

ତୋ ଦେହରୁ ଝର,

କରିଦିଏ କୃଷି-

 

କ୍ଷେତ୍ରେ ସମୃର୍ଦ୍ଦର ।

ଜ୍ୟୋତିରାଜ ରବି

 

ସ୍ୱଜ୍ୟୋତି ଯେସନ,

ରୁକ୍ଷ ତାରାଦଳେ

 

କରନ୍ତି ବଣ୍ଟନ ।

 

 

 

ତେସନ ତୁ ଗିରି

 

ବହି ଅନୁରକ୍ତି,

କୃଷିକ୍ଷେତ୍ରେ ଦାନ

 

କରୁ ନିଜ ଶକ୍ତି ।

ହୁଏ ଯାର ଧନ

 

ସତ୍ପାତ୍ରେ ପ୍ରଦତ୍ତ,

ସେହି ଏକା ଜ୍ଞାତ

 

ଦାନର ମହତ୍ତ୍ୱ ।

 

 

 

ପଞ୍ଚଧାର ତୁହି

 

ମହାପୁରାତନ,

ଘନ-ରାଜାର ତୁ

 

ରତ୍ନସିଂହାସନ ।

କ୍ଳାନ୍ତ ଘନ ଧରି

 

ମୂର୍ତ୍ତି ଅଭିରାମ,

କରେ ଯେବେ ଆସି

 

ତୋ ଶିରେ ବିଶ୍ରାମ,

 

 

 

କାହିଁ ସେ ଦୃଶ୍ୟର

 

ଆନ ଲକ୍ଷ୍ୟ ଅବ,

ଐରାବତ ପୃଷ୍ଠେ

 

ବିଜେ କି ମଘବା !

ଦେଖିଛି ଯେ ଥରେ

 

ସେ ସୁଷମା ଆହା,

ଜୀବନେ ସେ କେବେ

 

ନ ଭୁଲିବ ତାହା ।

 

ଗିରିବର ତୁହି

 

ପରମ ବୈଷ୍ଣବ,

ବିଷ୍ଣୁଭକ୍ତିରେ ତୋ

 

ଗଢ଼ା ଅବୟବ ।

ସତତ ତୁ ଯେଣୁ

 

ବିଷ୍ଣୁଭକ୍ତିଯୁକ୍ତ,

ସଂସାରେ ଥାଇ ତୁ

 

ତେଣୁ ଜୀବନ୍ମୂକ୍ତ ।

 

 

 

ତୋ ଦର୍ଶନେ ଚିତ୍ତ

 

ହୁଏ ସୁପ୍ରସନ୍ନ,

ହୁଏ ସୁପବିତ୍ର

 

କଳୁଷିତ ମନ ।

ଶରତେ ଯେସନ

 

କଳୁଷିତ ଜଳ,

ଅଗସ୍ତ୍ୟ ଦର୍ଶନେ

 

ହୁଏ ସୁନିର୍ମଳ ।

 

 

 

ତୁହି ବୃନ୍ଦାବନ

 

ଦ୍ୱାରକା ମଥୁରା,

ଯୋଗୀ ମନ-ମୃଗ-

 

ବନ୍ଧନ-ବାଗୁରା ।

ଗୁହା ମୁଖେ ସଦା

 

ଉଚ୍ଚାରୁ ପ୍ରଣବ,

ଝର ଶବ୍ଦ ଛଳେ

 

ଗାଉ ବିଭୁସ୍ତବ ।

 

 

 

ଧର୍ମଭାବଯୁକ୍ତ

 

ହୁଏ ପାପଚିତ୍ତ,

କାହିଁଛି ତୋ’ଠାରୁ

 

ବଳି ମୁକ୍ତିତୀର୍ଥ ?

ବିଶ୍ୱପ୍ରେମେ ଥାଉ

 

ସତତ ବିଭୋର,

ହୃଦୟ କୋମଳ

 

ଦେହ ତୋ କଠୋର ।

 

କୋମଳ କଠୋର

 

ଅପୂର୍ବ ମିଳନ,

କରିଛୁ ସ୍ୱଦେହେ

 

ତୁହି ପ୍ରଦର୍ଶନ ।

 

 

 

ଗିରିଖୋଲେ ବନେ

 

ଭୟାବହ ସର୍ପ,

ନିର୍ଭୟେ ନିବସି

 

ପ୍ରକାଶନ୍ତି ଦର୍ପ ।

ରଣା ଅଜଗର

 

ବୋଡ଼ା ଅହିରାଜ,

ଧୂମକେତୁ ପ୍ରାୟ

 

ସଞ୍ଚାଳନ୍ତି ଲାଞ୍ଜ ।

 

 

 

ନିରେଖି ତାଙ୍କର

 

ଭୀଷଣ ଆକୃତି,

ଶୁଖିଯାଏ ପ୍ରାଣ

 

ଉଡ଼ିଯାଏ ଧୃତି ।

ସେତୁ ପ୍ରାୟ ଦୀର୍ଘ

 

ଅଦ୍ଭୁତ ପ୍ରକାଣ୍ଡ

ସ୍ଥୁଳତାରେ ଯେହ୍ନେ

 

ଶାଳତରୁ କାଣ୍ଡ ।

 

 

 

ଯଥା ଭୀତିପ୍ରଦ

 

ତଥା ବିଷାକର,

ଭ୍ରମନ୍ତି ଯେସନ

 

ଶମନ-କିଙ୍କର ।

ଭ୍ରମି ଇତସ୍ତତଃ

 

ଢାଳି ବିଷଶ୍ୱାସ,

ବନ୍ୟ ଜନ୍ତୁକୁଳେ

 

କରୁଥାନ୍ତି ଗ୍ରାସ ।

 

ପଡ଼େ ସେ ହାବୁଡ଼େ

 

ବନେ ବା ଅଚଳେ

ନିକ୍ଷେପନ୍ତି ତାକୁ

 

କରାଳ କବଳେ ।

ବାଘ, ଭାଲୁ ପରି

 

ସେ ଦୁଷ୍ଟନିଚୟ,

କରିଛନ୍ତି ବନେ

 

ବିଭୀଷିକାମୟ ।

 

 

 

ଚିରନୂତନ ତୁ

 

ଗିରି ପଞ୍ଚଧାର,

ନିତ୍ୟ ନବ ନବ

 

ଶୋଭାର ଆଧାର ।

ଉପକଣ୍ଠେ ଶୋଭେ

 

କିଶୋର-ଉଦ୍ୟାନ,

ଛାୟା ସୁଶୀତଳ

 

ରମଣୀୟ ସ୍ଥାନ ।

 

 

 

ସ୍ୱାଧୀନ ଶାଖାଜ

 

ପାଦପ କଳାପ,

ଏକତ୍ର ନିବସି

 

କରନ୍ତି ଆଳାପ ।

ଆଦିବାରଜନୀ

 

ବନ-ପକ୍ଷିଚୟ,

କରିଥା’ନ୍ତି ତାକୁ

 

ସଙ୍ଗୀତ-ଆଳୟ ।

 

 

 

ବିବିଧ ଛନ୍ଦରେ

 

ରଚନ୍ତି ସେ ଗୀତ,

ଶୁଣି ତାହା ହର୍ଷେ

 

ପୂରିଉଠେ ଚିତ୍ତ ।

ଫଳେ ଅବନତ

 

ମହୀରୁହଗଣ,

ବିରୀନ୍ଦ୍ର ସେ ତୋର

 

ନନ୍ଦନକାନନ ।

 

ନିରୀଖିଲେ ଦୂରୁ ଦିଶେ

 

ସେ ଉଦ୍ୟାନ,

ସଜ୍ଜିତ ସମର-

 

ପ୍ରାଙ୍ଗଣ ସମାନ ।

ଶାଖା-ଅସ୍ତ୍ର ଧରି

 

ଯେହ୍ନେ ତରୁବୀରେ,

ହୋଇଛନ୍ତି ଉଭା

 

ବ୍ୟୂହ ଆକୃତିରେ ।

 

 

 

ମାଳିପଦରାଖ୍ୟ

 

ଝରଣା ସୁଜଳା,

ଉଦ୍ୟାନ କଟିରେ

 

ହୋଇଛି ମେଖଳା ।

ଚିତ୍ରୋତ୍ପଳାର ସେ

 

ସଖୀ ପୁରାତନ,

କରିଛି ତାହାକୁ

 

ପ୍ରେମେ ଆଲିଙ୍ଗନ ।

 

 

 

ବିପ୍ରକୁଳମଣି

 

କୁଳମଣି ହୋତା,

ତୋଟା ରଚନାର

 

ପ୍ରଧାନ ଉଦ୍‌ଯୋକ୍ତା ।

ଉଦ୍ୟାନ-ରଚନା-

 

ପ୍ରଣାଳୀ ତାଙ୍କର,

ଅତୀବ ଉନ୍ନତ

 

ଅପୂର୍ବ ସୁନ୍ଦର ।

 

 

 

ସୌନ୍ଦର୍ଯ୍ୟ ସୃଷ୍ଟିରେ

 

ପ୍ରଖର ବୁଦ୍ଧିଆ,

ଆବର ସେ ଜଣେ

 

ହରହୁନ୍ଦରିଆ ।

ରାଜାଜ୍ଞାରେ ସେହି

 

ସ୍ୱଗୁଣନିଧାନ,

ନିର୍ମାଣିଲେ ଏହି

 

ରୁଚିର ଉଦ୍ୟାନ ।

 

ନିରୀଖିଲେ ଏହି

 

ଉଦ୍ୟାନ ନକସା,

ନ କରିବ ତାଙ୍କୁ

 

କିଏ ବା ପ୍ରଶଂସା ?

ବିରଚି ଉଦ୍ୟାନ

 

ସେ ବିପ୍ର ଗୋସାଇଁ,

ଅର୍ଥାଗମ ପଥ

 

ଅଛନ୍ତି ଫିଟାଇ ।

 

 

 

ଏଭଳି ଆଦର୍ଶ

 

ଯେଉଁ କର୍ମଚାରୀ

ଦେଖାଏ, ସେ ସିନା

 

ରାଜ୍ୟହିତକାରୀ ।

ଦେଶ-ସୁପୁତ୍ର ସେ

 

ଜାତିବରଣୀୟ,

ପ୍ରଜାର ନମସ୍ୟ

 

ରାଜାଙ୍କର ପ୍ରିୟ ।

 

 

 

ଦେଖିଲେ ସମ୍ମୁଖେ

 

ଆଦର୍ଶ ମହତ,

ଅନୁକରଣର

 

ଇଚ୍ଛା ଜନ୍ମେ ସ୍ୱତଃ ।

 

 

 

ଅପୂର୍ବ ସୁରମ୍ୟ

 

ଦର୍ଶନୀୟ ସ୍ଥାନ,

ଗିରି-ପଦପ୍ରାନ୍ତେ

 

କେତକୀ-ଉଦ୍ୟାନ ।

ଯୋଗୀ ପାଦତଳେ

 

ପଟ୍ଟଶିଷ୍ୟ ପ୍ରାଏ,

ସେ ଚାରୁ ଉଦ୍ୟାନ

 

ଦୂରୁ ଦେଖାଯାଏ ।

 

ଅଥବା କୈଳାସ-

 

ପୟରେ ଯେସନ,

ଦେବ ମନଚୋର

 

ଶିବ-ଉପବନ ।

କେତକୀ ଉଦ୍ୟାନ

 

ଦୃଶ୍ୟ ପାଶେ ଛନ୍ଦି,

ଦର୍ଶକ-ନୟନେ

 

ରଖେ କରେ ବନ୍ଦୀ ।

 

 

 

ନାନାଜାତି ଆମ୍ର,

 

ପିଜୁଳି, ପଣସ,

କମଳା, କଦଳୀ,

 

ଲେମ୍ବୁ, ଅନାରସ,

ସୁରଙ୍ଗ ନାରଙ୍ଗ,

 

ଲିଚୁ, ସୀତାଫଳ,

ବରକୋଳି ଆଦି

 

ପାଦପ ସକଳ,

 

 

 

ଧାଡ଼ି ଧାଡ଼ି ହୋଇ

 

ହୋଇଛନ୍ତି ଠିଆ,

କେ ଉଚ୍ଚ, କେ ଖର୍ବ,

 

କେହି ଝଙ୍କାଳିଆ ।

ଅମୃତଭଣ୍ଡାର

 

ଯେ ଅମୃତମଣ୍ଡା,

ଝଡ଼ିପଡ଼ୁଥାଏ

 

ପାଚି ଗଣ୍ଡା ଗଣ୍ଡା ।

 

 

 

ଚାଖିଲେ ସେ ଫଳ

 

ଅମରନିକର,

ନ କରିବେ ପରା

 

ଅମୃତେ ଆଦର ।

ନାଗବଲ୍ଲୀ ବସି

 

କୁଟୀର ଭିତରେ,

କର-ପତ୍ର ଠାରି

 

ଡାକୁଛି ଭ୍ରମରେ ।

 

ମାତ୍ର ନ ଥିବାରୁ

 

ମଧୁରସ ତହିଁ,

ନ ଶୁଣେ ସେ ଡାକ

 

ଅଳି ଦର୍ପ ବହି ।

ନାନାଜାତି ରମ୍ଭା

 

ବହୁ ପରିମାଣେ,

ହୋଇଛି ରୋପିତ

 

ଏ ରମ୍ୟ ଉଦ୍ୟାନେ ।

 

 

 

କହ୍ନାଇ-ବଇଁଶୀ

 

ନାମିତ କଦଳୀ,

ଫଳଭାରେ କାହିଁ

 

ପଡ଼ିଅଛି ଢଳି ।

ଶ୍ରୀକୃଷ୍ଣଙ୍କ ବଂଶୀ

 

ପ୍ରାୟ ଅବିକଳ,

ଦିଶେ ଚାରୁତର

 

ଏ କଦଳୀ ଫଳ ।

 

 

 

ନାନାଜାତି ତରୁ

 

ସହସ୍ର ସଂଖ୍ୟାରେ,

ହୋଇଛି ରୋପିତ

 

ଏଥି ଏକାଧାରେ ।

ଚାହିଁଲେ ଉଦ୍ୟାନେ

 

ଫାଟିପଡ଼େ ନେତ୍ର,

ଏ ନିଶ୍ଚେ ଆଦର୍ଶ

 

Unknown

ରମ୍ୟ କୃଷିକ୍ଷେତ୍ର ।

 

 

 

 ସ୍ୱଦେଶୀ ବିଦେଶୀ

 

 ବହୁ ଫଳମୂଳ,

ଶାକସବ୍‌ଜି ଆଦି

 

ସର୍ବେ ଏଥି ଠୁଳ ।

ଆଖୁ ଗୋଧୂମାଦି

 

ଶସ୍ୟସମ୍ଭାରରେ,

ସାମୟିକ ଶୋଭା

 

ଏ ଉଦ୍ୟାନ ଧରେ ।

 

ପର୍ବତ ଉପରୁ

 

କେତକୀ ନିର୍ଝର,

ଝରି ବନଭୂମି

 

କରୁଛି ମୁଖର ।

ଗାଉଛି ସର୍ବଦା

 

କି ଅବୋଧ୍ୟ ଗୀତ,

ଶୁଣି ତା ଉଲ୍ଲାସେ

 

ପୂରିଉଠେ ଚିତ୍ତ ।

 

 

 

ବୁଝି ନୋହେ ତାର

 

ଛନ୍ଦ ଅର୍ଥ ଶ୍ଲେଷ,

ଅମର ଗୀତ ସେ

 

ନାହିଁ ତାର ଶେଷ ।

ବହେ ଧୀର ସ୍ରୋତ

 

ଭଉଁରୀସଙ୍କୁଳ,

କଳ୍ପନା-ଲତାରେ

 

ଫୁଟିଛି କି ଫୁଲ ।

 

 

 

ବସିଅଛି ଏଥି

 

ଫୁଲର ବଜାର,

ଫୁଟିଅଛି ଫୁଲ

 

ଅସଂଖ୍ୟ ପ୍ରକାର ।

ପ୍ରକାଶିଛି ସ୍ଥାନ

 

ବିଶୃଙ୍ଖଳ ଶୋଭା,

ଅତି ରମଣୀୟ

 

ମନ-ନେତ୍ର-ଲୋଭା ।

 

 

 

ବିଶୃଙ୍ଖଳ ଶୋଭା

 

ଶୋଭାର ଭୂଷଣ,

ଶୋଭାପାୟୀ ଜନ-

 

ନେତ୍ର-ବିମୋହନ ।

ଶ୍ରୀ ମହେନ୍ଦ୍ରଦେବ

 

ଶୁଭ ଗୁଣାଧାର,

ଏ ସୁରମ୍ୟ ସ୍ଥାନ

 

କରି ଆବିଷ୍କାର,

 

ରଚିଥିଲେ ଏଥି

 

ସୁନ୍ଦର ଉଦ୍ୟାନ,

କରୁଥିଲେ ମୋଦେ

 

ଗ୍ରୀଷ୍ମେ ଅବସ୍ଥାନ ।

ତାହାଙ୍କ ରୋପିତ

 

କମଳା ପ୍ରଭୃତି,

ବହିଛି ଅବଧି

 

ତାଙ୍କ ପୁଣ୍ୟସ୍ମୃତି ।

ନିଦାଘେ ଏଠାରେ

 

ବାଧେ ନାହିଁ ଖରା,

ଆଠମଲ୍ଲିକରେ

 

ସିମଳା ଏ ପରା ।

ବର୍ତ୍ତମାନ ନୃପ

 

ଶ୍ରୀ କିଶୋରଚନ୍ଦ୍ର,

କଦମ୍ବ ବଂଶର

 

ପୌର୍ଣ୍ଣମାସୀ ଚନ୍ଦ୍ର ।

ସ୍ମୃତିରକ୍ଷାକଳ୍ପେ

 

ପିତାମହଙ୍କର,

ହୋଇଛନ୍ତି ନୃପ

 

ଭକ୍ତିରେ ତତ୍ପର ।

ସୁରମ୍ୟ ପ୍ରାସାଦ

 

ହେଉଛି ନିର୍ମିତ,

ହେବ ତହିଁ ତାଙ୍କ

 

ମୂର୍ତ୍ତି ସଂସ୍ଥାପିତ ।

ଯୋଗ୍ୟପୁତ୍ର ସିନା

 

ହୋଇ ସମୁତ୍ସୂକ,

ରଖନ୍ତି ବଂଶର

 

ସ୍ମୃତି ଜାଗରୂକ ।

ବିସ୍ତୃତ ନିଭୃତ

 

ନିସ୍ତବ୍‌ଧ ସେ ସ୍ଥଳ,

ଅତି ରମଣୀୟ

 

ପବିତ୍ର ନିର୍ମଳ ।

ଯୋଗିମନ ମୃଗ-

 

ବାଗୁରା ସେ ସ୍ଥାନ,

ମୁମୁକ୍ଷୁକୁ ମୁକ୍ତି

 

ଯାଚି କରେ ଦାନ ।

 

କବିନେତ୍ରେ ତାହା

 

ତୀର୍ଥ ସାରସ୍ୱତ,

ତ୍ୟାଗୀ ପକ୍ଷେ ପୁଣି

 

ଆଶ୍ରୟ ମହତ ।

ଭକ୍ତ ମଣେ ତାକୁ

 

ପ୍ରେମ-ବୃନ୍ଦାବନ,

ସାଧକର ତାହା

 

ବାଞ୍ଛିତ ନିର୍ଜନ ।

ରସିକ ପକ୍ଷରେ

 

ରସର ଆଧାର,

ବିଳାସୀ ପକ୍ଷରେ

 

କେଳି-କ୍ରୀଡ଼ାଗାର ।

ବ୍ରହ୍ମଚାରୀ ନେତ୍ରେ

 

ବ୍ରହ୍ମଚର୍ଯ୍ୟାଶ୍ରମ,

କ୍ଷିପ୍ତ ମନ ଲଭେ

 

ସେଠାରେ ସଂଯମ ।

ନିରେଖି ସନ୍ନ୍ୟାସୀ

 

ହୁଏ ବିମୋହିତ,

ଫେରିବାକୁ ତହୁଁ

 

ନ ବଳାଏ ଚିତ୍ତ ।

ଦର୍ଶକ ପକ୍ଷରେ

 

ଦୃଶ୍ୟ ପାରାବାର,

ଅନ୍ତଃପୁର ତାହା

 

ତୋର ପଞ୍ଚଧାର,

କିମ୍ବା ଗିରି-କାବ୍ୟେ

 

ଉପାଦେୟ ସର୍ଗ,

ଅବା ସ୍ୱପ୍ନ-ବିଶ୍ୱେ

 

ଅଭିନବ ସ୍ୱର୍ଗ ।

ଦୁର୍ଲଭ ସେ ସ୍ଥାନ

 

ମହୀରେ ତ୍ରିଦିବ,

ତେଜିବେ କୈଳାସ

 

ଦେଖିଲେ ତା ଶିବ ।

ବହୁ ଝର-ନେତ୍ରୁ

 

ତୋର ଗିରିବର,

ଝରୁଅଛି ଅଶ୍ରୁଧାରା

 

ନିରନ୍ତର ।

 

ଶୋକାଶ୍ରୁକି ତାହା

 

ଆନନ୍ଦ୍ରାଶୁ ଅବା

ଅଥବା ପ୍ରେମାଶ୍ରୁ

 

ରେ ଗିରିମଘବା ।

ବୁଝିବ ସେ ତତ୍ତ୍ୱ

 

କେବଣ ବୁଦ୍ଧିଆ,

ଭାବି ଭାବି ମୁହିଁ

 

ହେଲିଣି ହାଲିଆ ।

 

 

 

ହରାଇଛୁ ତୁହି

 

ଅତୀତ ଗୌରବ,

କାନ୍ଦୁଛୁ କି ସ୍ମରି

 

ସେ ମହାବିଭବ ?

କାଳଚକ୍ରେ ସଦା

 

ଘୂରେ ସୁଖଦୁଃଖ,

ସେଥିପାଇଁ ଗିରି

 

କିପାଁ ତୁ ବିମୁଖ ?

 

 

 

ସୁଖ ବୋଲି ଯାକୁ

 

ବୋଲୁଥାନ୍ତି ନର,

ଛଦ୍ମବେଶୀ ଦୂତ

 

ସେ ସିନା ଦୁଃଖର ।

ଦୁଃଖକୁ ଯେ ଯେତେ

 

କରୁପଛେ ତ୍ରାସ,

ମାତ୍ର ଦୁଃଖ ମଧ୍ୟେ

 

ସୁଖର ନିବାସ ।

 

 

 

ତିକ୍ତ ପରି ଦୁଃଖ

 

ହେଲେହେଁ ପ୍ରତୀତ,

ମାତ୍ର ସେହି ତିକ୍ତ

 

ସାଧେ ବହୁ ହିତ ।

ତିକ୍ତ ରସ ହେତୁ

 

ମନ୍ଦ କି ଚନ୍ଦନ,

ସୌରଭ ଦାନେ

 

ସେ ହରେ ପ୍ରାଣମନ ।

 

ପିଚୁମର୍ଦ୍ଦତରୁ

 

ତିକ୍ତ ଗୁଣ ଧରେ

ମାତ୍ର ମଧୁ ଥାଏ

 

ତାହାରି ଫୁଲରେ ।

ଦୁଃଖ କଷ୍ଟ ଗିରି

 

ନୁହେଁ କେବେ ହେୟ,

ଆପାତତିକ୍ତି ସେ

 

ପରିଣାମେ ଶ୍ରେୟ ।

 

 

 

ସୁଖର ଅସ୍ତିତ୍ୱ

 

ନାହିଁ ଦୁଃଖ ଛଡ଼ା,

ଦୁଃଖ ଉପାଦାନେ

 

ସୁଖ ହୁଏ ଗଢ଼ା ।

କାଳ ସିନା ସୁଖ-

 

ଦୁଃଖର ଜନକ,

ସୁଖ ଦୁଃଖ ମଧ୍ୟେ

 

ସୋଦର ସମ୍ପର୍କ ।

 

 

 

ବେନି ଭ୍ରାତା ମଧ୍ୟେ

 

ନାହିଁ ଛଡ଼ାଛଡ଼ି,

ରହିଛନ୍ତି ଦୁହେଁ

 

ହୋଇ ଜଡ଼ାଜଡ଼ି ।

ସୁଖ ଦୁଃଖର ଏ

 

ନିଗୂଢ଼ ରହସ୍ୟ,

ଗିରିଯୋଗୀ ତୁହି

 

ବିଜ୍ଞାତ ଅବଶ୍ୟ ।

 

 

 

ଜାଣି ପୁଣି କିପାଁ

 

ହେଉ ଛନ୍ନମତି,

କରିଛି କ ତୋତେ

 

ବାତୁଳ ନିୟତି !

ସୁଖ ଦୁଃଖର ଏ

 

ବିଷମ ସମସ୍ୟା,

ସମାଧାନ ସିନା

 

ବୃଥା ବରିବସ୍ୟା ।

 

ଭାସୁଛି ମୁଁ ସଦା

 

ଅନ୍ଧକାରେ ସ୍ରୋତେ,

ଜ୍ଞାନୀ ପରି ପୁଣି

 

ତିଆରୁଛି ତୋତେ ।

ତୋ ଆଗରେ ଏହି

 

କ୍ଷୀଣାଲୋକ ଜାଳି,

ନିଜେ ମୁଁ ଅନ୍ଧାରେ

 

ହେଉଛି ଅଣ୍ଡାଳି ।

 

 

 

ତିଆରୁଛି ତୋତେ

 

ପ୍ରକାଶି ବଡ଼ାଇ,

ଦେଖୁ ନାହିଁ କି ମୁଁ

 

ନିଜେ ନିଜ ଛାଇ ।

ତୁହି ମାୟାମୁକ୍ତ

 

ମୁଁ ଯେ ମାୟାବଦ୍ଧ,

ଆକାଶ ପାତାଳ

 

ବେନିଙ୍କ ସମ୍ୱନ୍ଧ ।

 

 

 

ତୁ ଆଲୋକପ୍ରାପ୍ତ

 

ମୁଁ ଯେ ଅନ୍ଧାରିଆ,

ହୋଇଛି ତୋ ଆଗେ

 

ଅନ୍ଧ ପରି ଠିଆ ।

ଅଜ୍ଞ-ଚାହାଳୀରେ

 

ମୁଁ ଅଧମ ଚାଟ,

ଚକ୍ଷୁଷ୍ମାନେ ଅନ୍ଧ

 

ଦେଖାଏ କି ବାଟ ?

 

 

 

ଦୟା ବହି ଗିରି

 

ନ ବହ ତୁ ରୋଷ,

କ୍ଷମନ୍ତି ମହତେ

 

ଇତରର ଦୋଷ ।

ବାତୁଳ ପରାୟେ

 

କହି ଦୁଇପଦ,

ହେଲି ସିନା ମୁହିଁ

 

ତୁଚ୍ଛା ହାସ୍ୟାସ୍ପଦ ।

 

ପିନ୍ଧିଅଛି ମୁହିଁ

 

ସିନା ଛଦ୍ମବେଶ,

ଶିଶୁ କି ପ୍ରବୀଣେ

 

ଅର୍ପେ ଉପଦେଶ ?

ତୁ ମୋହର ଗୁରୁ

 

ମୁଁ ପାମର ଶିଷ୍ୟ,

ଜଣା ନାହିଁ ମୋତେ

 

ଅତୀତ ଭବିଷ୍ୟ ।

 

 

 

ବର୍ତ୍ତମାନେ ଏକା

 

କରିଛି ସମ୍ୱଳ,

ମୋ କଥାରେ ଗିରି

 

ନ ବହ ତୁ ଛଳ ।

ଅଜ୍ଞଜନ ଯେବେ

 

ଉଚ୍ଚଭାଷା ଭାଷେ,

ଉଡ଼ାଇଦିଅନ୍ତି ବିଜ୍ଞେ

 

ତାହା ହାସ୍ୟେ ।

 

 

 

ଅସାର ପ୍ରଳାପ

 

ବୃଥା ବକି ବକି,

ଗିରିମଣି ମୁହିଁ

 

ପଡ଼ିଲାଣି ଥକି ।

କିଛିକ୍ଷଣ ଏଥି

 

କରିବି ବିଶ୍ରାମ,

ଲଭିବି ଆଶ୍ୱାସ

 

ସ୍ମରି ବିଭୁନାମ ।

 

 

 

ବସିଲି ତୋ ପଦେ

 

ହୋଇ ମୁଁ ଆତୁର,

ଶିବପଦପ୍ରାନ୍ତେ

 

ଯେସନ ଧୂସ୍ତୁର ।

 

କାନ୍ଦ ନା କାନ୍ଦ ନା

 

ରେ ମହାଶିଖରୀ,

ପାହିଲାଣି ତୋର

 

ଦୁଃଖ-ବିଭାବରୀ ।

କରି ନାହିଁ ଦୁଃଖ

 

ତୋତେ ତ ନିକୃଷ୍ଟ,

ବରଞ୍ଚ ଦେଇଛି

 

ଗଢ଼ି ତୋ ଅଦୃଷ୍ଟ ।

 

 

 

ଭାଗ୍ୟ-ନଭେ ତୋର

 

ଉନ୍ନତି-ଭାସ୍କର,

ଉଇଁଲାଣି ଶୁଭେ

 

ଦେଖ ଗିରିବର ।

ଶ୍ରୀ କିଶୋରଚନ୍ଦ୍ର

 

ସିଂହଦେବ ଭୂପ,

ରାଜ୍ୟୋନ୍ନତି ଯଜ୍ଞେ

 

ଯାଜ୍ଞିକସ୍ୱରୂପ ।

 

 

 

ଆରମ୍ଭିଅଛନ୍ତି

 

ମହାତ୍ୟାଗ ଯାଗ,

ସ୍ୱଚ୍ଛ ପୂତ ଚିତ୍ତେ

 

ବହି ଅନୁରାଗ ।

ସେ ମହାଯଜ୍ଞର

 

ପୁଣ୍ୟ ଧୂମଚୟ,

ବିତରେ ସୁଗନ୍ଧ

 

ଭ୍ରମି ରାଜ୍ୟମୟ ।

 

 

 

ଦାନେ ତାହାଙ୍କର

 

ନାହିଁ ତିଳେ ଦ୍ୱିଧା

ଅର୍ପୁଛନ୍ତି ଜନେ

 

ଅଶେଷ ସୁବିଧା ।

ଆଶ୍ରିଛନ୍ତି ତାଙ୍କୁ

 

ସର୍ବ ଶୁଭଗୁଣ,

ରାଜନୀତିରେ ସେ

 

ଅତୀବ ନିପୁଣ ।

 

ତାଙ୍କ ଯୋଗୁଁ ତାଙ୍କ

 

ରାଜ୍ୟ ନିତ୍ୟ ନିତ୍ୟ,

ପ୍ରଗତି ପଥରେ

 

ହେଉଛି ଧାବିତ ।

କୃଷି, ଶିଳ୍ପ, ଶିକ୍ଷା,

 

ସମାଜ-ସଂସ୍କାର,

ସାହିତ୍ୟ, ବାଣିଜ୍ୟ,

 

ସ୍ୱାସ୍ଥ୍ୟ, ସଦାଚାର,

 

 

 

ସକଳ ବିଭାଗେ

 

ନୃପ ଯଶୋଧନ,

କରୁଛନ୍ତି ସଦା

 

ଶ୍ରୀବୃଦ୍ଧି ସାଧନ ।

ଧର୍ମ-ସାଧକ ସେ

 

ଧର୍ମର ଦାୟାଦ,

ଉଠୁଅଛି ତାଙ୍କ

 

ନାମେ ସାଧୁବାଦ ।

 

 

 

ଆଦର୍ଶ ତାଙ୍କର

 

ଶାସନ ପାଳନ,

ନ୍ୟାୟରେ କରନ୍ତି

 

ଧନ ଉପାର୍ଜ୍ଜନ ।

ଦୟା କ୍ଷମା ତାଙ୍କ

 

ଚରିତ୍ରଭୂଷଣ,

ବଡ଼ପଣ ତାଙ୍କ

 

ସଂଯମ ରକ୍ଷଣ ।

 

 

 

ଚିର କାବ୍ୟାମୋଦୀ

 

ସାହିତ୍ୟ-ରସିକ,

ତାଙ୍କ ଯୋଗୁଁ ଧନ୍ୟ

 

ଏ ଅଷ୍ଟମଲ୍ଲିକ ।

ପଞ୍ଚଧାର ସେହି

 

ବିଜ୍ଞ ନରସାଇଁ,

ତୋ ଗତ ଗୌରବ

 

ଆଣିବେ ଫେରାଇ ।

 

ତୋଳିବେ ସେ

 

ସ୍ୱାସ୍ଥ୍ୟ-ନିବାସ ତୋ ଶିରେ

ବଢ଼ିବ ତୋହର

 

ମହତ୍ତ୍ୱ ଅଚିରେ ।

ଆବର ତୋଳିବେ

 

ଧର୍ମମନ୍ଦିର ସେ,

ହେବୁ ତୁହି ଧନ୍ୟ

 

ତାହାର ପରଶେ ।

 

 

 

ସାହିତ୍ୟ-ବିନୋଦ

 

ଯେଣୁ ସେ ସ୍ୱଭାବେ,

ସାହିତ୍ୟ-ଆଗାର

 

ତୋଳିବେ ସେଠାବେ ।

ଦିଶିବ ତୋ ଶିରେ

 

ସେ ତିନି ମନ୍ଦିର,

ହୀରକ-କିରୀଟ

 

ପରାଏ ରୁଚିର ।

 

 

 

ବିଜେ ହେବେ ତହିଁ

 

ଦେବୀ ଶ୍ୱେତଭୁଜା,

ଲାଗିବ ସାଟୋପେ

 

ସାରସ୍ୱତ ପୂଜା ।

ଲାଗିବରେ ପୁଣି

 

ଧର୍ମ-ଉପାସନା,

ଦେବ-ଦେବୀଙ୍କର

 

ସେବା ଆରାଧନା ।

 

 

 

ଏହାଠାରୁ ବଳି

 

ସୌଭାଗ୍ୟ ଅପର,

କିସ ବା ଅଧିକ

 

ବାଞ୍ଛିତ ତୋହର ।

ବହୁଗୁଣ ତୋର

 

ବଢ଼ିବ ଗୌରବ,

ଲାଗିବ ତୋ ବକ୍ଷେ

 

ନିତ୍ୟ ମହୋତ୍ସବ ।

 

ଏଥୁ ବଳି ଅବା

 

କି ପୌରୁଷ ଧନ,

କରନ୍ତୁ ଗିରୀନ୍ଦ୍ର

 

ଭବେ ଉପାର୍ଜନ ?

 

 

 

ମାଗୁଛି ମେଲାଣି

 

ଏବେ ପଞ୍ଚଧାର,

ଘେନ ମୋ ପ୍ରାଣର

 

ଭକ୍ତି-ଉପହାର ।

ଦୃଶ୍ୟରେ ତୁ ମୋତେ

 

କରିଛୁ ମୋହିତ

ଯିବାକୁ ତୋ ପାଶୁ

 

ବଳୁ ନାହିଁ ଚିତ୍ତ ।

 

 

 

ପଶୁଥିଲେ ପିଣ୍ଡ

 

କଳ୍ପନା ମଧ୍ୟରେ,

ଦେଖିଯାନ୍ତି ତୋତେ

 

ନିତି ଆସି ଥରେ ।

ମାତ୍ର ତାହା ସିନା

 

ଅସମ୍ଭବ ଏକା,

ଏହି ମୋ ପ୍ରଥମ

 

ଦେଖା, ଶେଷ ଦେଖା ।

 

 

 

ରହିବ ତୋ ସତ୍ତା

 

ଯୁଗଯୁଗାନ୍ତରେ,

ନିଭିଯିବି ମୁହିଁ

 

ଦୁଇଦିନ ପରେ ।

ବୟୋଧର୍ମେ ମୁଁ ଯେ

 

ଏକାନ୍ତ ଦୁର୍ବଳ,

ସରିଲାଣି ଶକ୍ତି-

 

ସାହସ ସକଳ ।

 

ପିଣ୍ଡପ୍ରାଣ ଜରା

 

ପକାଉଛି ମନ୍ଥି,

ହୁଗୁଳି ଆସୁଛି

 

କ୍ରମେ ପ୍ରାଣଗ୍ରନ୍ଥି ।

ଦେଇଥିଲେ ମୋତେ

 

ଯାହା ବିଶ୍ୱନାହା,

ନେଲେଣି ଛଡ଼ାଇ

 

ଗୋଟି ଗୋଟି ତାହା ।

 

 

 

ଅଛି ଶୁଷ୍କପ୍ରାଣ

 

ଶୁଷ୍କପିଣ୍ଡ ଆହା,

ପଞ୍ଚଭୂତେ ଦିନେ

 

ମିଶିଯିବ ତାହା ।

ଥିବାଯାଏଁ ମୋର

 

ପିଣ୍ଡରେ ଜୀବନ,

କରୁଥିବି ତୋତେ

 

ନିରତେ ସ୍ମରଣ ।

 

 

 

ସାଳନ୍ଦୀ କୂଳରେ

 

ବସି ଯେତେବେଳେ,

ଦେଖୁଥିବି ବନ୍ୟା-

 

ଦୃଶ୍ୟ ବନ୍ଧୁମେଳେ;

ନଦୀବକ୍ଷ ଛାଇ

 

ଫେନ ରାଶି ରାଶି,

ଆସୁଥିବ ବନ୍ୟା-

 

ଖରସ୍ରୋତେ ଭାସି,

 

 

 

ବସନ୍ତେ ତୋ ଦେହେଁ

 

ବିକ୍ଷିପ୍ତ ଯେସନ,

ବହୁ ସୁରଭିତ

 

ସୁନ୍ଦର ସୁମନ,

ପଡ଼ି ସେ ଫେନରେ

 

ବାଳ-ରବିକର,

ଦିଶୁଥିବ ତାହା

 

ଅତୀବ ଭାସ୍ୱର ।

 

ହୃଷ୍ଟଚିତ୍ତେ ଦେଖି

 

ବନ୍ୟା-ଚାରୁଶିରୀ,

ସ୍ମରିବି ସେ କାଳେ

 

ତୋତେ ମହାଗିରି !

ଉତ୍ତୁଙ୍ଗ ପୃଥୁଳ

 

ଲୌହସେତୁ ଭଳି,

ଦିଶୁଥିବ ଦୂରେ

 

ନୀଳ ଶୈଳାବଳୀ ।

 

 

 

ନିରୀଖି ତାହାର

 

ମନୋରମ ମୂର୍ତ୍ତି,

ଉଠିବ ମୋ ଚିତ୍ତେ

 

ଜାଗି ତୋର ସ୍ମୃତି ।

ପ୍ରାଚୀଦିଗମୂଳେ

 

ଗଜାବୌଦ ଘନ,

ଉଇଁବ ଯେ କାଳେ

 

ଆଚ୍ଛାଦି ଗଗନ,

 

 

 

ସୃଜି ବହୁ ଚୂଡ଼ା,

 

ବହୁ ଦୀର୍ଘସ୍ତର,

ବହିବ ତୋହର

 

ଯୋଗ୍ୟ ପଟାନ୍ତର ।

ସେ ବିରାଟ ଦୃଶ୍ୟ

 

କରି ସନ୍ଦର୍ଶନ,

ପଞ୍ଚଧାର ତୋତେ

 

କରିବି ସ୍ମରଣ ।

 

 

 

ନୈଶ ନୀଳାକାଶେ

 

ଦୀପ୍ତ ତାରାଦଳ,

ପ୍ରକାଶିବେ ଯେବେ

 

ଜ୍ୟୋତି ଢଳ ଢଳ ।

ଅଙ୍କିବ ମୋ ଆଗେ

 

ସେ ଦୃଶ୍ୟ ପବିତ୍ର,

ଅଭ୍ରତାରାକିତ

 

ତୋ ବକ୍ଷର ଚିତ୍ର ।

 

ସ୍ମରିବି ମୁଁ ହର୍ଷେ

 

ତୋତେ ସେହିକ୍ଷଣି,

ନ ହେବ ଅନ୍ୟଥା

 

ଏହା ଗିରିମଣି !

ନେଉଛି ବିଦାୟ

 

ନମି ତୋ ଚରଣେ,

ଏତିକି ମାଗୁଣି

 

ରଖିଥିବୁ ମନେ ।

 

 

 

ଦେଖିଥିଲେ ପୂର୍ବୁ

 

ତୋତେ ଗିରିବର,

ବର୍ଣ୍ଣିଥାନ୍ତି କିଛି

 

ମହିମା ତୋହର ।

ଅସ୍ପଷ୍ଟ ଦୃଷ୍ଟିରେ

 

ହେରି ତୋତେ ଗିରି,

ବିକଳାଙ୍ଗ ବିଶ୍ରୀ

 

କଲି ତୋର ଶିରୀ ।

 

 

 

ଅସମ୍ପୂର୍ଣ୍ଣଭାବେ

 

ଅଙ୍କି ତୋର ଛବି,

ଅର୍ପିଛି ରବିକୁ

 

ଖଦ୍ୟୋତ ପଦବୀ ।

ବୟୋଧର୍ମ-ତ୍ରୁଟି

 

କରିବୁ ତୁ କ୍ଷମା,

କ୍ଷମାପାତ୍ରେ କ୍ଷମା

 

ଅର୍ପେ ମହାତମା ।

 

 

 

ଦେଖିବି ଏବେ ତୋ

 

ଅଧିଷ୍ଠିତ ରାଜ୍ୟ,

କିଭଳି ତୋ ନୀତି,

 

କିଭଳି ତା କାର୍ଯ୍ୟ ।

ଶୁଣି ତା ମହତ୍ତ୍ୱ

 

ଲଭିଛି ଆନନ୍ଦ,

ମେଣ୍ଟାଇବି ଆଜି

 

ଚକ୍ଷୁକର୍ଣ୍ଣ ଦ୍ୱନ୍ଦ୍ୱ ।

 

କି ସୁନ୍ଦର ରାଜ୍ୟ

 

ଏ ଅଷ୍ଟମଲ୍ଲିକ,

ସୁଷମା-ସମ୍ପଦେ

 

କେ ତାକୁ ଅଧିକ ?

ପଶ୍ଚିମେ ଉତ୍ତରେ

 

ପୂର୍ବେ ଗିରିମାଳ,

ରହିଛି ବିସ୍ତାରି

 

ବପୁ ସୁବିଶାଳ ।

 

 

 

ଯାମ୍ୟଭାଗେ ବହେ

 

ଚିତ୍ରୋତ୍ପଳା ନଦୀ,

ଉତ୍କଳ-ମଣ୍ଡଳେ

 

ପୂତ ବିଷ୍ଣୁପଦୀ ।

ଚାଲିଛି ବିସ୍ତାରି

 

ନୀଳ ଜଳବେଣୀ,

ମନ୍ଥରେ ଯେସନ

 

ଗର୍ଭାଳସା ଏଣୀ ।

 

 

 

ସତତ ଏ ମହୀ

 

ଶସ୍ୟସୁଶ୍ୟାମାଳା,

ଗିରି-କିରୀଟିନୀ

 

କାନନ-କୁନ୍ତଳା ।

କଦମ୍ୱବଂଶୀୟ

 

ନୃପତି-ପାଳିତା,

ଦୃଶ୍ୟ ହାସ୍ୟମୟୀ

 

ଶୋଭାଙ୍ଗୀ ଲଳିତା ।

 

 

 

ପ୍ରକୃତିଦେବୀଙ୍କ

 

ଆଦରିଣୀ କନ୍ୟା,

ମହାପୁଣ୍ୟବତୀ

 

ଯଶେ ଗୁଣେ ଧନ୍ୟା ।

ଉପମା ତାହାର

 

ମୂଲ୍ୟକୁ ଅତୁଲ,

ସୁଖ-ସ୍ୱପ୍ନର ସେ

 

ରମଣୀୟ ଫୁଲ ।

 

ରାଜଧାନୀ ତାର

 

ଏ କଇନ୍ତ୍ରାଗଡ଼,

ନିଜ ଗୁଣେ ନିଜେ

 

ହୋଇଅଛି ବଡ଼ ।

ଏ ଅଷ୍ଟମଲ୍ଲିକ

 

ରତ୍ନଜ୍ୟୋତି ତୁଲ୍ୟ,

କଇନ୍ତ୍ରା ସହର

 

ସେ ଜ୍ୟୋତିର ଫୁଲ ।

 

 

 

ଏ ଅଷ୍ଟମଲ୍ଲିକ

 

ସର ସ୍ୱଚ୍ଛପୟ,

କଇନ୍ତ୍ରା ତାହାର

 

ଚାରୁ କୁବଳୟ ।

ଅଥବା ଏ ରାଜ୍ୟ

 

ସୁନ୍ଦରୀ ଅପ୍‌ସରୀ,

କଇନ୍ତ୍ରା ତାହାର

 

ଅଳଙ୍କାର ପରି ।

 

 

 

ବିଶ୍ୱନେତ୍ର କାରା

 

ଉଷା ଏ ଧରଣୀ,

କଇନ୍ତ୍ରା ତା ବକ୍ଷେ

 

କାବ୍ୟତାରା-ମଣି ।

ଶୋଭାରାଣୀର ସେ

 

ମୁକୁଟର ଝରା,

ବସିଛି ବିସ୍ତାରି

 

ସୌନ୍ଦର୍ଯ୍ୟ-ପସରା ।

 

 

 

ଉପଭୋଗ୍ୟ ତାର

 

ଦୃଶ୍ୟ ଉପାଦେୟ,

କବି-କଳ୍ପନାକୁ

 

କରିପାରେ ହେୟ ।

ଧାଡ଼ି ଧାଡ଼ି ହୋଇ

 

ରମ୍ୟ ହର୍ମ୍ୟାବଳୀ,

ଦିଶନ୍ତି ଯେସନ

 

ହୀରକ-ପୁତ୍ତଳି ।

 

କଦମ୍ୱବଂଶର

 

ସୁକୀର୍ତ୍ତି ନତୁବା,

ମୂର୍ତ୍ତି ପରିଗ୍ରହ

 

ହୋଇଛନ୍ତି ଉଭା ।

 

 

 

ରାଜକାର୍ଯ୍ୟାଳୟ

 

ସବୁ ଏକଠାବେ,

ହୋଇଛନ୍ତି ଠୁଳ

 

ସୁସଜ୍ଜିତ ଭାବେ ।

ସୁନୀତି ବ୍ୟବସ୍ଥା

 

ନ୍ୟାୟ ସଦାଚାର,

ଜୟ ପରାଜୟ

 

ଯୁକ୍ତି ସୁବିଚାର,

 

 

 

ବସିଛନ୍ତି ସର୍ବେ

 

ଯେହ୍ନେ ସଭା କରି,

ହୋଇ ପରସ୍ପରେ

 

ହାତ ଧରାଧରି ।

ବିଚାରେ ନିଯୁକ୍ତ

 

ବିଚାରକଗଣ,

ରାଜନୀତିଦକ୍ଷ

 

ନ୍ୟାୟପରାୟଣ ।

 

 

 

କାହିଁ ଶିଳ୍ପଶାଳା,

 

ଚିକିତ୍ସାମନ୍ଦିର,

କାହିଁ ବିଦ୍ୟାଳୟ

 

ତୋଳିଅଛି ଶିର ।

କାହିଁ ପାଠାଗାର

 

କାହିଁ କୃଷିକ୍ଷେତ୍ର,

କରେ ଆକର୍ଷଣ

 

ଦର୍ଶକର ନେତ୍ର ।

 

ରାଜ୍ୟର ସକଳ

 

ଶୁଭ-ଅନୁଷ୍ଠାନ,

ଯଥାଯୋଗ୍ୟ ସ୍ଥାନେ

 

ଅଛି ବିଦ୍ୟମାନ ।

ଆଦର୍ଶ ରାଜ୍ୟର

 

ଉପାଦାନ ସାର,

ପୂର୍ଣ୍ଣ ଏଥି ଯେହ୍ନେ

 

କୁବେର-ଭଣ୍ଡାର ।

 

 

 

ରାଜପଥମାନ

 

ସୁନିର୍ମଳ ଦିଶେ,

ରାଜନଗରୀର

 

ଚିନ୍ତାଧାରା କି ସେ !

ବେନି ପାର୍ଶ୍ୱେ ସ୍ଥିତ

 

ବିପଣୀବୀଥିକା,

ଲାଗିଅଛି ତହିଁ

 

ସଦା କିଣା ବିକା ।

 

 

 

ପଶାପାଲି ପ୍ରାୟ

 

ଦିଶେ ଶୃଙ୍ଗାଟକ,

କିମ୍ୱା ଉନ୍ନତିର

 

ଅଙ୍କା କୋଷ୍ଠୀଚକ୍ର ।

ହର୍ମ୍ୟରାଜି ତହିଁ

 

ଗ୍ରହ ସଂସ୍ଥାପନା,

କାଳ-ଜ୍ୟୋତିର୍ବିଦ

 

କରୁଛି ଗଣନା ।

 

 

 

ବିଦ୍ୟାଳୟମାନ

 

କାରଖାନା ପ୍ରାୟ,

ଶିଖନ୍ତି ବାଳକେ

 

ଶିଳ୍ପବ୍ୟବସାୟ ।

ଆବର କରି ସେ

 

ଆଗ୍ରହ ପ୍ରକାଶ,

କରନ୍ତି ସ୍ୱହସ୍ତେ

 

ବହୁବିଧ ଚାଷ ।

 

ଦେଶକାଳୋଚିତ

 

ନିଶ୍ଚୟ ଏ ଶିକ୍ଷା,

ନ କରେ କେବଳ

 

ଉପାଧି ପ୍ରତୀକ୍ଷା ।

ମାନବିକତାର

 

ବିକାଶ ପକ୍ଷରେ

ସାର୍ଥକ ଏ ଶିକ୍ଷା

 

ଅକ୍ଷରେ ଅକ୍ଷରେ ।

 

 

 

ଚିରବାଞ୍ଛନୀୟ

 

ଏ ଶିକ୍ଷା-ବିଧାନ,

ଅକର୍ମା-ସମସ୍ୟା

 

କରେ ସମାଧାନ ।

ଦାସତ୍ୱ ଜୀବନେ

 

କରି ସେ ନିଧନ,

ଦେଇପାରେ ଗଢ଼ି

 

ସ୍ୱାଧୀନ ଜୀବନ ।

 

 

 

ଆତ୍ମନିର୍ଭରତା

 

ଲକ୍ଷ୍ୟ ଏ ଶିକ୍ଷାର,

ଦେଶରୁ ଦାରିଦ୍ର୍ୟେ

 

କରେ ବହିଷ୍କାର ।

ଆଳସ୍ୟ ମସ୍ତକେ

 

ପ୍ରହାରି ଗୋଇଠା,

ଚାଟେ ନାହିଁ କେବେ

 

ପରର ଅଇଁଠା ।

 

 

 

ଏ ଶିକ୍ଷା ପ୍ରଭାବେ

 

ଶ୍ୱାନତ୍ୱ ବରଜି,

ନୀଚ ପାରେ ଉଚ୍ଚ

 

ପ୍ରଭୁତ୍ୱ ଅରଜି ।

 

ପତ୍ରପୁଷ୍ପେ ମଣ୍ଡି

 

ଛାତ୍ରଛାତ୍ରୀଚୟ,

କରନ୍ତି କରମା-

 

ନୃତ୍ୟ ଅଭିନୟ ।

ଲୋଭନୀୟ ଦୃଶ୍ୟ

 

ଚାରୁ ନୃତ୍ୟକଳା,

ରୁଚିପ୍ରଦ ଅଙ୍ଗ-

 

ଭଙ୍ଗୀର ଶୃଙ୍ଖଳା ।

 

 

 

ବନ୍ୟ ଜାତିର ସେ

 

ନୃତ୍ୟ ଉଦ୍ଭାବିତ,

ଦେଖି ତାହା କିଏ

 

ନ ହେବ ମୋହିତ ?

ଅସଭ୍ୟ ଜାତିର

 

ଉନ୍ନତି କଳ୍ପନା,

ହେରି ସଭ୍ୟଜାତି-

 

ବୁଦ୍ଧି ହେବ ବଣା ।

 

 

 

ଦେଖି ସେ ନୃତ୍ୟର

 

ତାନ ମାନ ଲୟ,

ଯେ କୌଣସି ଜାତି

 

ଲଭିବ ବିସ୍ମୟ ।

ଦର୍ଶକ ମାନସେ

 

ଉପୁଜେ ଆହ୍ଲାଦ,

ଅର୍ପିବାକୁ ଇଚ୍ଛା

 

ହୁଏ ଧନ୍ୟବାଦ ।

 

 

 

ବନ୍ୟ ଅଶିକ୍ଷିତ

 

ନୁହେ କେବେ ହେୟ,

ଶୋଭା ସୃଷ୍ଟି ତାର

 

ଅତି ଉପାଦେୟ ।

ଉଦ୍ୟାନ କରବୀ-

 

ଠାରୁ ବନମଲ୍ଲୀ,

ଶୋଭା ସୌରଭରେ

 

ଯାଏ ସିନା ବଳି ।

 

ଗଡ଼ଜାତ ରାଜ୍ୟେ

 

ଅନ୍ଧାରୀ ମୁଲକ-

କହି ପରା ସୃଷ୍ଟ

 

ହେଉଛି ଆତଙ୍କ ।

ମାତ୍ର ସେ ଅନ୍ଧାରୀ-

 

ମୁଲକ ମଧ୍ୟରେ,

ଯେଉଁ ଶିକ୍ଷାଲୋକ

 

ଜଳୁଛି ପ୍ରଖରେ,

 

 

 

ସେ ଆଲୋକ ନାହିଁ

 

ମୋଗଲବନ୍ଦୀରେ

ଅଥବା କେବଣ

 

ସହର ସନ୍ଧିରେ ।

ଏ କଥାକୁ ଯେହୁ

 

ମଣିବ ଅଳୀକ,

ଦେଖୁ ସେ ପାଟଣା,

 

ଏ ଅଷ୍ଟମଲ୍ଲିକ ।

 

 

 

ତୁଟିଯିବ ଭ୍ରମ

 

ସନ୍ଦେହ ସର୍ବଥା,

ପ୍ରତେ ହୁଏ ମିଥ୍ୟା

 

ନ ଦେଖିଲା କଥା ।

ଛାତ୍ରକୃତ ହସ୍ତ-

 

ଶିଳ୍ପର ଚାତୁରୀ,

ନିରୀଖି ଉଲ୍ଲାସେ

 

ଚିତ୍ତ ଉଠେ ପୂରି ।

 

 

 

ବସ୍ତ୍ରଶିଳ୍ପ ତଥା

 

ଛୁଞ୍ଚିସୀଆଁ ଶିଳ୍ପ,

ଦେଖି ଜଳିଉଠେ

 

ହୃଦେ ଆଶା-ଦୀପ ।

ଦେଖି ଚିତ୍ରଶିଳ୍ପ

 

ଅଦ୍ଭୁତ କଳ୍ପନା

ଦକ୍ଷ ଚିତ୍ରକାର

 

ବୁଦ୍ଧି ହେବ ବଣା ।

 

ପରିତ୍ୟକ୍ତ ଦ୍ରବ୍ୟ

 

ଆଣି ସେ ଗୋଟାଇ,

ଗଢ଼ିଛନ୍ତି ତହି

 

ଅଭଙ୍ଗା କଣ୍ଢାଇ ।

କାଷ୍ଠଶିଳ୍ପେ ହୁଏ

 

ଦର୍ଶକ ଚକିତ,

ପ୍ରତେ ହୁଏ ଯେହ୍ନେ

 

ଅକର-ନିର୍ମିତ ।

 

 

 

ବେଣାଚେର ପଙ୍ଖା

 

ବେଣାଚେର ତାଟି,

ପ୍ରସ୍ତୁତ ପ୍ରଣାଳୀ

 

ଅତି ପରିପାଟୀ ।

ଉତ୍କୃଷ୍ଟ କଳାରେ

 

ଏ ଦେଶ କୁଶଳ,

ସେହେତୁ ତା ନାମ

 

ହୋଇଛି ଉତ୍କଳ ।

 

 

 

ପୂର୍ବପୁରୁଷଙ୍କ

 

ଅମର ପ୍ରତିଭା-

ପ୍ରଭାବ ଆଶ୍ରିଛି

 

ଛାତ୍ର-ପ୍ରାଣେ କିବା ।

ଦେଖି କଳାବିଦ୍ୟା

 

ଉନ୍ନତି ଏସନ,

ଅତୀତ ଯୁଗକୁ

 

ଫେରିଯାଏ ମନ ।

 

 

 

ସେ ଗୌରବ ଯୁଗ

 

ଗଲା ଆହା କାହିଁ,

ପୁଚ୍ଛିଲେ ଉତ୍ତର

 

କିଛି ମିଳେ ନାହିଁ ।

ହେଉଛି ପ୍ରତୀତ

 

ଏହି ଛାତ୍ରଗଣ,

କରିବେ ସେ ଯୁଗ

 

ପୁଣି ଆନୟନ ।

 

ଯାଉଛି ଦେଖିବି

 

ଏବେ ବନ୍ଦିଶାଳ

କିଭଳି ବନ୍ଦୀଏ

 

କ୍ଷେପୁଛନ୍ତି କାଳ ।

ବୁଝିବି ତାଙ୍କର

 

ପ୍ରକୃତ ଅବସ୍ଥା,

ଚରିତ୍ରଶୁଦ୍ଧିର

 

ଅଛି କି ବ୍ୟବସ୍ଥା ?

 

 

 

ଅହୋ କି ଆଶ୍ଚର୍ଯ୍ୟ

 

ଦେଖିଲି ମୁଁ ଆଜି,

ପ୍ରାଣପ୍ରୀତିପ୍ରଦ

 

ନବଦୃଶ୍ୟରାଜି ।

ଏ କି ପ୍ରଦର୍ଶନୀ

 

କିମ୍ୱା କାରାଗାର,

କେ କହିବ ମତେ

 

ସତ୍ୟସମାଚାର ?

 

 

 

ବନ୍ଦୀଏ ଏଠାରେ

 

ହୋଇ ସମବେତ,

ଦେଖାନ୍ତି ନିଜର

 

ଉନ୍ନତି-ସଙ୍କେତ ।

ମୌନବ୍ରତଧାରୀ

 

ଅପରାଧୀ ଗୋଷ୍ଠୀ,

ସଦାଚରଣର

 

ଗଣୁଛନ୍ତି କୋଷ୍ଠୀ ।

 

 

 

ନିର୍ଦ୍ଦୋଷ ଭାବରେ

 

ନିଜକୁ ଗଠନ,

କରି ଗଢ଼ୁଛନ୍ତି

 

ଉନ୍ନତ ଜୀବନ ।

ପାପପ୍ରକ୍ଷାଳନ

 

କରି ଏ ତୀର୍ଥରେ,

ପୁଣ୍ୟ ଦେହ ଘେନି

 

ଫେରିଯିବେ ଘରେ ।

 

ପ୍ରଦାନି ଅତୀତ

 

ବିସ୍ମୃତି ପରୀକ୍ଷା,

କୃଷିଶିଳ୍ପ ବିଦ୍ୟା

 

କରୁଛନ୍ତି ଶିକ୍ଷା ।

ଧରି ସେହି ବୃତ୍ତ

 

ଭବିଷ୍ୟ ଜୀବନେ,

ସୁଖୀ ହେବେ ସର୍ବେ

 

ଅର୍ଥ ଉପାର୍ଜନେ ।

 

 

 

ବନ୍ଦିକୃତ ଶିଳ୍ପ

 

କରି ଅବଲୋକ,

ନ ହେବ ବିମୁଗ୍‌ଧ

 

ଅବା କେଉଁ ଲୋକ ?

ହସ୍ତବୁଣା ଲୁଗା

 

ଚିକ୍କଣ ସୁନ୍ଦର,

କଳବୁଣା ପ୍ରାୟ

 

ଦିଶେ ରୁଚିକର ।

 

 

 

ଦିଶେ ଚମତ୍କାର

 

ଧଡ଼ି ପରିପାଟୀ,

ଛାପା ଧଡ଼ିର ସେ

 

ଦେବ କାନ କାଟି ।

ଆତ୍ମକୃତ ପାପ

 

ଧୋଇ ଏ ତୀର୍ଥରେ,

ସାଧୁଭାବ ଘେନି

 

ଫେରିଯିବେ ଘରେ ।

 

 

 

ଅତୀତକୁ ଦେଇ

 

ପାସୋରି ସେମାନେ,

ଧରିବେ ସୁଦୃଢ଼େ

 

ଏବେ ବର୍ତ୍ତମାନେ ।

ଗତ କଥାକୁ ସେ

 

କରିଦେଇ ଖତ,

ଧରିବେ ସେ ଆତ୍ମ-

 

ନିର୍ଭରତା ବ୍ରତ ।

 

ଏ ସୁବୁଦ୍ଧି ଆସି

 

ହେଲାଣି ଉଦିତ,

ବ୍ୟବହାରୁଁ ଏହା

 

ହେଉଛି ପ୍ରତୀତ ।

ବୁଣୁଛନ୍ତି କାରାବକ୍ଷେ

 

ବନ୍ଦିବାଚ,

ଆସନ ବସନ

 

ଅନେକ ପ୍ରକାର ।

 

 

 

ଗାଲିଚା, କମ୍ବଳ,

 

ଶାଢ଼ୀ, ଖଦି, ଥାନ;

ସରୁଜରି ଯଥା,

 

ଗାମୁଛା, ବେଢ଼ାଣ ।

କି ସୁନ୍ଦର ଧଡ଼ି

 

ଜାହ୍ନବୀଯମୁନା,

ତହିଁରେ ଅକ୍ଷର

 

ହୋଇଅଛି ବୁଣା ।

 

 

 

ବେଣାଚେର ପଙ୍ଖା

 

ବେଣାଚେର ପଟି,

ଉଠୁଛି ତହିଁରୁ

 

ସୁବାସ ଚହଟି ।

ଦେବାନ ସାହେବ

 

ବିଜ୍ଞ ବିଚକ୍ଷଣ,

କରିଛନ୍ତି ଏହି

 

ଶିଳ୍ପ ଉଦ୍ଭାବନ ।

 

 

 

ଅଲୋଡ଼ା ପଦାର୍ଥ

 

କାର୍ଯ୍ୟରେ ଲଗାଇ,

ଅର୍ଥାଗମ ପନ୍ଥା

 

ଅଛନ୍ତି ଫିଟାଇ ।

ଓଡ଼ିଆ ଦେହରେ

 

ବୈଜ୍ଞାନିକ ମଥା,

ଯୋଡ଼ିଦେଇଛନ୍ତି

 

ବ୍ରହ୍ମାଣ୍ଡକରତା ।

 

କାହିଁରେ ଓଡ଼ିଆ

 

ଜାତି ନୁହେଁ ଊଣା,

ଦେଖାଇଛନ୍ତି ସେ

 

ସେଥିର ନମୁନା ।

ଯେଉଁ ଦ୍ରବ୍ୟେ ତୁଚ୍ଛ

 

ମଣେ ଅଜ୍ଞ ନର

ବିଜ୍ଞ ଦୃଷ୍ଟିରେ ସେ

 

ରତ୍ନରୂପାନ୍ତର ।

 

 

 

ରତ୍ନ ମୂଲ୍ୟ ବୁଝେ

 

ରତ୍ନର ଜହୁରି,

ନୀଚ ନିଷାଦ କି

 

ଚିହ୍ନିବ କସ୍ତୂରୀ ।

କାରାଗାରେ ବନ୍ଦୀ

 

କରନ୍ତି ନିର୍ମାଣ,

ସ୍ୱଦେଶୀ ବିଦେଶୀ

 

କ୍ରୀଡ଼ା-ଉପାଦାନ ।

 

 

 

ଲୁଗାକଚା ନିମ୍ୱ-

 

ସାବୁନ ଚୌତନା,

ତଉଲିଆ ଜାମା

 

ମେଜବିଛା କନା,

ଭେରୁକାଠ ବାଡ଼

 

ବିଚିତ୍ର ବଟୁଆ,

କେନ୍ଦୁକାଠକୁନ୍ଦା

 

ସୁନ୍ଦର ଫରୁଆ,

 

 

 

ଫିତା ଟଙ୍କାଥଳୀ

 

ହାତୀହାଡ଼ ଶଙ୍ଖା,

ହୋଇଅଛି ତହିଁ

 

ବହୁଚିତ୍ର ଅଙ୍କା ।

କିଆସୂତା ବୁଣା

 

ପାପୋଛ ରୁମାଲ,

ତୂଳିକା ତକିଆ

 

ମାଛଧରା ଜାଲ ।

 

ଆବର ବିବିଧ

 

ଶିଳ୍ପଦ୍ରବ୍ୟମାନ,

ବନ୍ଦିଗଣ ଶିଖି

 

କରନ୍ତି ନିର୍ମାଣ ।

ଗୋପାଳନ ଶିକ୍ଷା

 

ହୁଏ କାରାଗାରେ,

ଖାଣ୍ଟି ଦୁଗ୍‌ଧ ବିକ୍ରି

 

ହେଉଛି ଶସ୍ତାରେ ।

 

 

 

ଗୋଜାତିର ଖାଦ୍ୟ

 

ବିଦେଶୀୟ ଘାସ,

ବିସ୍ତୀର୍ଣ୍ଣ ଭାବରେ

 

ହେଉଅଛି ଚାଷ ।

ଆଖୁଚାଷ ପୁଣି

 

ହେଉଛି ବହୁତ,

ହେଉଛି ପ୍ରଚୁର

 

ଶର୍କରା ପ୍ରସ୍ତୁତ ।

 

 

 

ସ୍ୱଦେଶୀ ବିଦେଶୀ

 

ନାନାବିଧ ଚାଷ,

କାରା-ଉଦ୍ୟାନରେ

 

ହୁଏ ବାରମାସ ।

ନାନାଜାତି କପା

 

ଲାଗିଛି ଉଦ୍ୟାନେ,

ନବ ଉଦ୍ଭାବିତ

 

ଉନ୍ନତ ବିଧାନେ ।

 

 

 

ଥରେ ଦେଖି ଏହି

 

ରମ୍ୟ କୃଷିକ୍ଷେତ୍ର,

ତୃପ୍ତ ହେବ କେଉଁ

 

ଶୋଭାପାୟୀ ନେତ୍ର ?

ଯେତେ ଦେଖିଲେହେଁ

 

ତେତେ ବଢ଼େ ଆଶା,

ଭଜେ ନାହିଁ ଶାନ୍ତି

 

ଦର୍ଶକ-ପିପାସା ।

 

ଶିଶୁକାଠେ ଗଢ଼ା

 

ଚଉକି ଟେବୁଲ,

ହୋଇଅଛି ନବ୍ୟ

 

ରୁଚି-ଅନୁକୁଳ ।

 

 

 

ରାଜମାତା ଆଶା-

 

କୁମାରୀ ନାମିତ,

ଅନାଥ ଆଶ୍ରମ

 

ହୋଇଛି ସ୍ଥାପିତ ।

ଅନାଥ ବାଳକ-

 

ବାଳିକାଏ ତହିଁ,

ଲାଳିତ ପାଳିତ

 

ହେଉଛନ୍ତି ରହି ।

 

 

 

ପ୍ରବୀଣା ଧାତ୍ରୀର

 

ଲଭି ସ୍ନେହାଦର,

ଯାପୁଛନ୍ତି ସୁଖେ

 

ରଜନୀ ବାସର ।

ଅଛି ତାଙ୍କ ପାଇଁ

 

ସୁଶିକ୍ଷା ବ୍ୟବସ୍ଥା,

ସନ୍ତୋଷଜନକ

 

ତାଙ୍କ ବାଲ୍ୟାବସ୍ଥା ।

 

 

 

ହେଲେ ହେଁ ନଗରୀ

 

ଆକୃତିରେ ନ୍ୟୂନ,

ନାଗରିକ ସର୍ବ-

 

ଉପାଦାନେ ପୂର୍ଣ୍ଣ ।

ବୃହତ ସହର

 

ପକ୍ଷେ ଯା ସମ୍ଭବ,

ସେ ସକଳ ଦୃଶ୍ୟ

 

ଏଠାରେ ସୁଲଭ ।

 

ମାହେଶ୍ୱରୀଙ୍କର

 

ଉତ୍ତୁଙ୍ଗ ଦେଉଳ,

ରାଜୋଚିତ ସାଜେ

 

ଦିଶେ ସୁମଞ୍ଜୁଳ ।

ରାଜ୍ୟ-ଅଧିଷ୍ଠାତ୍ରୀ

 

ଅଟନ୍ତି ସେ ଦେବୀ,

ଲଭୁଛନ୍ତି ଶ୍ରେୟ

 

ଜନେ ତାଙ୍କୁ ସେବି ।

 

 

 

ନବୀନ ରୀତିରେ

 

ଦେଉଳ ନିର୍ମିତ,

ହୋଇଛି ଅଶ୍ଳୀଳ,

 

ଚିତ୍ର ବିବର୍ଜିତା

ଅଷ୍ଟଧାତୁ ମୂର୍ତ୍ତି

 

ଦେବୀ ଚତୁର୍ଭୁଜା,

ପାରିନ୍ଦ୍ରବାହିନୀ

 

ଗିରୀନ୍ଦ୍ର-ତନୁଜା ।

 

 

 

ଭୋଗ ପୂଜା ନୀତି

 

ହୁଏ ଆଡ଼ମ୍ୱରେ,

ବହୁ ଦେବଦେବୀ

 

ଅଛନ୍ତି ପାର୍ଶ୍ୱରେ ।

ଚାରୁ ସ୍ୱର୍ଣ୍ଣଚୂଡ଼

 

ଶୋଭେ ବେନି କରେ,

ରାଜେ ସ୍ୱର୍ଣ୍ଣଚ୍ଛତ୍ର

 

ମସ୍ତକ ଉପରେ ।

 

 

 

ରମ୍ୟ ଦେବାଳୟେ

 

ଲକ୍ଷ୍ମୀନାରାୟଣ,

ମଣ୍ଡିଛନ୍ତି ବେନି

 

ରତ୍ନସିଂହାସନ ।

ଚତୁର୍ଭୁଜ ମୂର୍ତ୍ତି

 

ପ୍ରତିମାଯୁଗଳ,

ମହିମା-ମୟୁଖେ

 

ଶ୍ରୀମୁଖ ଉଜ୍ଜ୍ୱଳ ।

 

କରୁଣା ଜ୍ୟୋତିରେ

 

ଦୀପ୍ତ ନେତ୍ର ତାରା,

ଝରୁଛି ଅଧରୁ

 

ହାସ୍ୟାମୃତ ଧାରା ।

 

 

 

ପୃଥକ ଦେଉଳେ

 

ପ୍ରଭୁ ଜଗନ୍ନାଥ,

ହୋଇଛନ୍ତି ବିଜେ

 

ଘେନି ଭଗୀଭ୍ରାତ ।

ତ୍ରିମୂର୍ତ୍ତି ଜ୍ୟୋତିରେ

 

ହୋଇ ଜ୍ୟୋତିର୍ମୟ,

ହସୁଅଛି ଦର୍ପେ

 

ଯେହ୍ନେ ଦେବାଳୟ ।

 

 

 

ସ୍ତମ୍ଭଶିରେ ବସି

 

ବୈନତେୟ ମୂର୍ତ୍ତି,

ଗାଉଛି ନୀରବେ

 

ପ୍ରଭୁଙ୍କର ସ୍ତୁତି ।

ହୁଏ ରଥଯାତ୍ରା

 

ମହା ଆଡ଼ମ୍ୱରେ,

ଆନନ୍ଦୋର୍ମି ଖେଳେ

 

ନଗର-ସାଗରେ ।

ଦେବନୀତି ପାଇଁ

 

ନୃପ ଗୁଣାରାମ,

ଖଞ୍ଜିଦେଇଛନ୍ତି

 

ସୁବୃହତ୍‌ ଗ୍ରାମ ।

 

 

 

କ୍ରୋଶାଧିକ ଦୂରେ

 

ଦେଉଳ ନିର୍ଝର,

ଉଷ୍ଣଜଳ ତହୁଁ

 

ଝରେ ନିରନ୍ତର ।

ତପ୍ତ ଜଳେ ସଦା

 

ପୂର୍ଣ୍ଣ ତପ୍ତକୁଣ୍ଡ,

ମୃତ ସର୍ପ ଭେକ

 

ହୋଇଛନ୍ତି ରୁଣ୍ଡ ।

 

ଅଗ୍ନି ପରି ଉଷ୍ଣ

 

ଅଗ୍ନିକୁଣ୍ଡ ଜଳ,

ସତେ ଯେହ୍ନେ ତାହା

 

ତରଳ ଅନଳ ।

ଚୌରାଶୀଟି କୁଣ୍ଡ

 

ଥିଲା ସେହିଠାରେ,

ଜନଶ୍ରୁତି ତାହା

 

ଅବଧି ପ୍ରଚାରେ ।

 

 

 

ଜଳର ପ୍ରକୃତି

 

ସିନା ଶୀତଳତା,

ବିପରୀତ ତାହା

 

ଏଠାରେ ସର୍ବଥା ।

କେଉଁ କାଳୁଁ ଉଷ୍ଣ

 

ରହିଅଛି ଜଳ,

ବର୍ଷା ଶୀତେ ତାହା

 

ନ ହୁଏ ଶୀତଳ ।

 

 

 

କଳିରେ ଅସହ୍ୟ

 

ହେତୁ ପାପଭାରା

ଢାଳୁଛି କି ମହୀ

 

ତପ୍ତ ଅଶ୍ରୁଧାର ।

ତପ୍ତଜଳେ ପୂର୍ଣ୍ଣ

 

ବିସ୍ତୀର୍ଣ୍ଣ ପ୍ରାନ୍ତର,

ଜଳେ ଉଭା ଲତା

 

ପାଦପ-ନିକର ।

 

 

 

ଅର୍ଜ୍ଜୁନ, ଖର୍ଜୁର

 

ଆଦି ତରୁମାନ,

ବଢ଼ୁଛନ୍ତି କରି

 

ଉଷ୍ଣଜଳ ପାନ ।

ଅଦ୍ଭୁତ ସ୍ଥାନର

 

ସକଳ ଅଦ୍ଭୁତ,

ନୁହେ ଏହା ତୁଚ୍ଛ

 

କଳ୍ପନା-ପ୍ରସୂତ ।

 

ଅବସ୍ଥିତ ତହିଁ

 

ସିଦ୍ଧେଶ୍ୱର ହର,

ଉଷ୍ଣଜଳେ କରି

 

ମଗ୍ନ କଳେବର ।

କାହିଁକି କେଜାଣି

 

ପ୍ରଭୁ ତ୍ରିଅମ୍ୱକ

ଗଙ୍ଗାଧର ନାମ

 

କଲେ ଅସାର୍ଥକ ।

 

 

 

ସଦାଶିବଙ୍କର

 

ଉଗ୍ର କୋପାନଳ,

ପରଶେ ବା ଉଷ୍ଣ

 

ହୋଇଅଛି ଜଳ ।

ଦ୍ୱିଭାଗେ ବିଭକ୍ତ

 

ବଡ଼ କୁଣ୍ଡ ଏକ,

ଦେଖି ବଣା ହୁଏ

 

ମାନବ ବିବେକ ।

 

 

 

ଏକ ଭାଗେ ତାର

 

ପୂର୍ଣ୍ଣ ଉଷ୍ଣଜଳ,

ଅନ୍ୟ ଭାଗ ଜଳ

 

ସର୍ବଦା ଶୀତଳ ।

ପ୍ରକୃତିର ଏହି

 

ବିଚିତ୍ର ପ୍ରଭାବ,

ଦେଖିଲେ ବିସ୍ମୟ

 

ହୃଦେ ପାଏ ଠାବ ।

 

 

 

ଲୋହିତ କୁମୁଦେ

 

ଅଳଙ୍କୃତ ସର,

ପଥ ପାର୍ଶ୍ୱେ ତହିଁ

 

ଦିଶେ ଚାରୁତର ।

ପ୍ରତେ ହୁଏ ଯେହ୍ନେ

 

ତାମସିକ ହୃଦେ,

ରଜୋଗୁଣ ଅବା

 

ହୋଇଅଛି ଉଦେ ।

 

ଚିତ୍ରୋତ୍ପଳା ତୀରେ

 

ରବି-ଅସ୍ତ ଛବି,

ନ ପାରିବ ଅଙ୍କି

 

ହେଲେ ମହାକବି ।

ଗିରି-ଶିରେ ଅସ୍ତ

 

ରବିର ସୁଷମା,

ଦେଖି ମନେ ଜାତ

 

ଏସନ ଉପମା ।

 

 

 

ପ୍ରକୃତି-ରୂପିଣୀ

 

ଶୋଭାମୟୀ ଯୋଷା,

ମଞ୍ଜୁ କୋକନଦେ

 

ମଣ୍ଡିଛି କି ଖୋଷା ।

ଗଗନ-ବେଳାରେ

 

ଗୁଡ଼କଙ୍କ ଫୁଲ,

ଗଡ଼ି ଆସି ସୃଜି

 

ସୁଷମା ଅତୁଳ;

 

 

 

ଅଟିକିଛି ହୋଇ

 

ତାଡ଼ିତ ସମୀରେ,

କଂସାରି ଶ୍ୟାମଳ

 

ବାଲିସ୍ତୂପ ଶିରେ ।

ପର୍ବତକୁ ମଣି

 

ଉଗ୍ର ଦୈତ୍ୟ ଅବା,

ଗୈରିକ ବାଟୁଳି

 

ବିନ୍ଧିଛି ମଘବା ।

 

 

 

ନଦୀ ବକ୍ଷେ ପଡ଼ି

 

ଅସ୍ତରବି କର,

ଦର୍ଶକ ନୟନେ

 

ଦିଶେ କି ସୁନ୍ଦର ।

ମେଲି ସ୍ୱର୍ଣ୍ଣବେଣୀ

 

ଅବା ତରଙ୍ଗିଣୀ,

ବିସ୍ତାରିଛି ହାସ୍ୟ

 

ଅମନ୍ଦଗାମିନୀ ।

 

କୁଳୁ କୁଳୁ ସ୍ୱରେ

 

ଦେଇ ହୁଳହୁଳି,

ଚାଲିଛି ସୌନ୍ଦର୍ଯ୍ୟ

 

ଗର୍ବରେ ଉତ୍‌ଫୁଲ୍ଲି ।

ସନ୍ତରି ବିହଙ୍ଗେ

 

ସୁବର୍ଣ୍ଣ ସାଗରେ,

ଯାଉଛନ୍ତି ଉଡ଼ି

 

ଶୈଳୁଁ ଶୈଳାନ୍ତରେ ।

 

 

 

ନିଜ ରୂପେ ହୋଇ

 

ମୁଗ୍‌ଧ ଖଗାବଳୀ,

କରୁଛନ୍ତି ହର୍ଷେ

 

ମଧୁର କାକଳି ।

ଶବଳିତ ଡେଣା

 

ଝାଡ଼ି ମାଛରଙ୍କା,

ବୁଡ଼ିଯାଏ ଜଳେ

 

କରେ ନାହିଁ ଶଙ୍କା ।

 

 

 

ନିରୀଖି ସେ ଦୃଶ୍ୟ

 

ଆସି ଆଚମ୍ୱିତେ,

ଅଦ୍ଭୁତ ଉପମା

 

ଉଦେ ହୁଏ ଚିତ୍ତେ ।

ଖସିପଡ଼ି କିବା

 

ଅନନ୍ତ ଗଗନୁଁ,

ବୁଡ଼ିଯାଏ ନଦୀ-

 

ବକ୍ଷେ ଇନ୍ଦ୍ରଧନୁ ।

 

 

 

ସନ୍ଧ୍ୟାଗମ ଜାଣି

 

ଚକୋର ଦମ୍ପତି,

ବେନି ତୀରେ ଯାଇ

 

ବସନ୍ତି ଝଟତି ।

ଗାବନ୍ତି କରୁଣେ

 

ବିଚ୍ଛେଦ ସଙ୍ଗୀତ

ବିରହ ବେଦନା

 

ଘାରେ ବେନି ଚିତ୍ତ ।

 

ବେଣାଚେର

 

ସ୍ନିଗ୍‌ଧ ମଧୁର ସୌରଭ,

ସୃଜେ ନଦୀ ତୀରେ

 

ସୁଗନ୍ଧ ଉତ୍ସବ ।

ବନପୁଷ୍ପ ଗନ୍ଧ

 

ଦିଏ ତହିଁ ଯୋଗ,

କରନ୍ତି ନୌଶିଳ୍ପୀ

 

ତାହା ଉପଭୋଗ ।

 

 

 

ତୀରେ ବାଙ୍କମୁଣ୍ଡୀ

 

ଉତ୍ତୁଙ୍ଗ ଶିଖରୀ,

ରାଜେ ବୌଦରାଜ୍ୟ

 

ଦିଗଦନ୍ତୀ ପରି ।

ଚିତ୍ରୋତ୍ପଳା ଏଥି

 

ସଙ୍କୀର୍ଣ୍ଣ ଆକୃତି,

ବର୍ଷାକାଳେ ଧରେ

 

ଉଗ୍ରଚଣ୍ଡା ମୂର୍ତ୍ତି ।

ଉପଯମରୂପୀ

 

ଭୀମ ଘଡ଼ିଆଳ,

ସନ୍ତରୁଥାଆନ୍ତି

 

ହୋଇ ମାଳ ମାଳ ।

Unknown

 

 

 

ବିକଟ ଦଶନ

 

ଭୟଙ୍କର ମୂର୍ତ୍ତି,

ଶୋଷିନେଉଥାନ୍ତି

 

ଦର୍ଶକର ଧୃତି ।

 

 

 

ଶ୍ରୀ କିଶୋରଚନ୍ଦ୍ର

 

ନୃପ-ଯଶୋନିଧି

ରଚନ୍ତି ଏଠାରେ

 

କୁମ୍ଭୀର ପାରିଧି ।

ଚଳ ଲକ୍ଷ୍ୟ-ଭେଦୀ

 

ବୀରେନ୍ଦ୍ର ଗୌରବ,

ନିବାରନ୍ତି ବ୍ୟାଘ୍ର-

 

ନକ୍ର ଉପଦ୍ରବ ।

 

ସ୍ଥଳେ ବ୍ୟାଘ୍ରଭୟ

 

ଜଳେ ନକ୍ର-ଭୟ

ପ୍ରାବୃଟେ ଏ ସ୍ଥାନ

 

ହୁଏ ଯମାଳୟ ।

ମହାବଳଧ୍ୱଂସୀ

 

ଆଖ୍ୟା ତାଙ୍କ ଖ୍ୟାତ,

ବ୍ୟାଘ୍ରନକ୍ରବଂଶ

 

କରିବେ ନିପାତ ।

 

 

 

ନିକାଞ୍ଚନ ସ୍ଥାନେ

 

ପ୍ରଭୁ ରାମେଶ୍ୱର,

ସୁକଠୋର ଯୋଗେ

 

ରତ ନିରନ୍ତର ।

ବାହନ ବୃଷଭ

 

ଆଜ୍ଞା ପ୍ରତୀକ୍ଷାରେ,

ଉତ୍କର୍ଣ୍ଣ ଭାବରେ

 

ଜଗିଅଛି ଦ୍ୱାରେ ।

କଇଁତ୍ରା ଗଡ଼ର

 

କି ସେ କ୍ଷେତ୍ରପାଳ,

କରନ୍ତି ବିପଦୁଁ

 

ରକ୍ଷା ଚିରକାଳ ।

 

 

 

ଗ୍ରାମ, କାର୍ଯ୍ୟାଳୟ

 

ଚୌପାଶେ ବେଷ୍ଟିତ,

ନୃପତି-ନଗରୀ

 

ମଧ୍ୟେ ସୁଶୋଭିତ ।

ଶତଭିଷା ତାରା

 

ମଧ୍ୟେ ଶଶଧର,

ପ୍ରାୟ ସେ ନବର

 

ଦିଶୁଛି ସୁନ୍ଦର ।

 

 

 

କିମ୍ୱା କଞ୍ଜକୋଷ

 

ପାଖୁଡ଼ାବେଷ୍ଟିତ,

ଅବା ପଦ୍ମବନେ

 

ରାଜହଂସ ସ୍ଥିତ ।

 

ଚାରୁ ବୈଜୟନ୍ତୀ

 

ତୁଙ୍ଗ ହର୍ମ୍ୟଚୂଡ଼େ,

ସମୀର ହିଲ୍ଲୋଳେ

 

ଫରଫର ଉଡ଼େ ।

ଖେଳୁଛି କି ମୀନ

 

ନଭ-ପାରାବାରେ

ଲେଉଟି ଚହଟି

 

ବିବିଧ ପ୍ରକାରେ ।

 

 

 

ଦୂରେ ଅବସ୍ଥିତ

 

ଅତିଥି ଆଗାର,

ଡାକ ନାମ ଡାକ-

 

ବଙ୍ଗଳା ତାହାର ।

ଅତିଥି ପକ୍ଷରେ

 

ତାହା ଶାନ୍ତିପୀଠ,

କ୍ଷୁଦ୍ର ଗ୍ରାମ ଶିରେ

 

କୁସୁମ କିରୀଟ ।

 

 

 

ଭାବୁକବାଞ୍ଛିତ

 

ଭାବର ଭଣ୍ଡାର,

କ୍ଷିପ୍ତ ମନେ କରେ

 

ସ୍ଥିରତା ସଞ୍ଚାର ।

ନ ହେଉ ପଛକେ

 

ବୈଚିତ୍ର୍ୟ ଆକର,

ମାତ୍ର ବଙ୍ଗଳାଟି

 

ସ୍ୱଭାବସୁନ୍ଦର ।

 

 

 

ପୁଚ୍ଛ ଚାଲି ଶିଖୀ

 

ଉଡ଼ି ଆସି ବନୁଁ,

ବିନା ମେଘେ ସୃଜେ

 

ଚଳ ଇନ୍ଦ୍ରଧନୁ ।

ଆଙ୍କୁଲ ସୌରଭ

 

ସାନ୍ଧ୍ୟ ସମୀରଣ,

ବହିଆଣି ତହିଁ

 

କରେ ବିତରଣ ।

 

ଚିତ୍ରପୁଚ୍ଛ ମେଲି

 

ବଲ୍ମୀକ ଶିଖରେ,

ଆଳାପେ ସଙ୍ଗୀତ

 

ଉଚ୍ଚେ ଷଡ଼୍‌ଜସ୍ୱରେ ।

ଅସ୍ତରବି କରେ

 

ଶବଳିତ ପୁଚ୍ଛ

ରତ୍ନରଶ୍ମି ଜାଳେ

 

କରୁଥାଏ ତୁଚ୍ଛ ।

 

 

 

ଯାମ୍ୟ ଦିଗେ ଦୂରେ

 

ସ୍ଥିତ ମହାନଦୀ,

ସୁକାନ୍ତିତନୟା

 

ଉପବିଷ୍ଣୁ ପଦୀ ।

ଦିଶେ ତାର ବକ୍ଷ

 

ସୈକତ-ଧବଳ,

ଅତି ସୂକ୍ଷ୍ମ ଧାରେ

 

ବହେ ଧୀରେ ଜଳ ।

 

 

 

ମଣ୍ଡିଛି କି ଭାଲ

 

ପ୍ରକୃତି-ନାୟିକା,

ହୀରାକିଆ ଫୁଲେ

 

ସ୍ୱଦେଶ-ରସିକା ।

କି ଅବା ତାହାର

 

ଅଳକାପଟି ସେ,

ଅସ୍ତରବି ତେଜେ

 

ଜକଜକ ଦିଶେ ।

 

 

 

ଅଥବା ବୋଳିଛି

 

ଲଲାଟେ ଚନ୍ଦନ,

ଶୀତଳିବା ଆଶେ

 

ତପ୍ତ ଅପଘନ ।

ଜଳଧାରରୂପେ

 

ହୋଇଅଛି ପରା,

ସେ ଭୂଷଣେ ଗୁନ୍ଥା

 

ଇନ୍ଦ୍ରନୀଳ ଝରା ।

 

କିମ୍ୱା କେହି ଭ୍ରମେ

 

ଯାଇଛି କି ଛାଡ଼ି

ନୀଳଧଡ଼ଯୁକ୍ତ

 

କ୍ଷୀରୋଦରୀ ଶାଢ଼ୀ ।

ଏ ସୁନ୍ଦର ଦୃଶ୍ୟ

 

ନିରୀଖି ଦର୍ଶକ,

ମଣେ ଆପଣାର

 

ନୟନେ ସାର୍ଥକ ।

 

 

 

ଦୂର ଦୃଶ୍ୟ ସିନା

 

ବାସ୍ତବେ ସୁନ୍ଦର,

ଦିଶେ ମନୋହର

 

ଦୂରୁଁ ମହୀଧର ।

ବଙ୍ଗଳା ସମ୍ମୁଖେ

 

ଶୋଭେ ପୁଷ୍ପୋଦ୍ୟାନ

ଗୁଣେ ଗରିଷ୍ଠ ସେ

 

ଆକୃତିରେ ସାନ ।

 

 

 

ସେ ଉଦ୍ୟାନୁ ଉଠି

 

ମଲ୍ଲିକା ସୁବାସ,

ଜନ୍ମାଏ ମାନସେ

 

ଅପୂର୍ବ ଉଲ୍ଲାସ ।

ତାରକାନିକରେ

 

ନିରୀଖି ଆକାଶେ

ନୀରବେ ମଲ୍ଲିକା

 

ରତ ପରିହାସେ ।

 

 

 

ହସି ତାରା ନଭୁଁ

 

ଦିଅନ୍ତି ଉତ୍ତର,

ରୂପ ଗର୍ବେ ମଲ୍ଲି

 

ନ ଦେଖା ଚାତର ।

ଅନନ୍ତ ଆକାଶେ

 

ଅନନ୍ତ ସମୟ,

ରହିଥିବୁ ଆମ୍ଭେ

 

ନ ଭଜି ବିଲୟ ।

 

କିନ୍ତୁ ଘଡ଼ିକେ ତୁ

 

ଲଭିବୁ ବିନାଶ,

ଏଥକୁ କିପାଇଁ

 

ଦର୍ପ ପରିହାସ ?

ରଜନୀ ପ୍ରଭାତେ

 

ଗନ୍ଧହର ବାୟୁ,

ଶୋଷିନେବ ତୋର

 

ଗନ୍ଧ ପରମାୟୁ ।

 

 

 

ମରିବୁ ବୋଲି ତୁ

 

ବହୁ ମଲ୍ଲି ନାମ,

ବୁଝିବୁ ଅପେକ୍ଷା-

 

କର ଚତୁର୍ଯାମ ।

କହେ ମଲ୍ଲି ହୋଇ

 

କ୍ରୋଧରେ ବିବଶା;

ପ୍ରଭାତେ ତୁମ୍ଭେ ବି

 

ଲଭିବ ମୋ ଦଶା ।

 

 

 

ମଲ୍ଲି ତାରା ବେନି

 

ସଉତୁଣୀ ଭଳି,

ରାତିଯାକ ବସି

 

କରୁଥାନ୍ତି କଳି ।

ଦୁହିଙ୍କ କଳିରେ

 

ତୃତୀୟର ଲାଭ,

ସଂସାରେ ଦୁର୍ଲଭ

 

ସର୍ବତ୍ର ଏ ଭାବ ।

 

 

 

ଦର୍ଶକେ ଏ କଳି

 

ପ୍ରଦାନେ ସୁଯୋଗ,

କରେ ସେ ଅପାର

 

ସୁଖାନନ୍ଦ ଭୋଗ ।

 

କିଶୋରନଗର

 

ନୂତନ ସହର

ରାଜ୍ୟ ଉପାଦାନେ

 

ସଜ୍ଜିତ ସୁନ୍ଦର ।

ହର୍ମ୍ୟ-କିରୀଟିନୀ

 

କୁସୁମ-ହାସିନୀ,

ପଣ୍ୟ-ସମୁଜ୍ଜ୍ୱଳା

 

ବିପଣୀମାଳିନୀ ।

 

 

 

ଭାରତୀ କମଳା

 

ବିହାର ବାଟିକା,

ସୌନ୍ଦର୍ଯ୍ୟ-କାବ୍ୟର

 

ସୁବୋଧିନୀ ଟୀକା ।

ରାଜନୀତି ଧର୍ମ

 

ସଭ୍ୟତା ସୃକୁତି,

ଏକତ୍ରିତ ଅବା

 

ପରିଗ୍ରହି ମୂର୍ତ୍ତି ।

 

 

 

ବିଜ୍ଞ ବିଚକ୍ଷଣ

 

ରାଜ-ପ୍ରତିନିଧି,

ଶାସନ ପାଳନେ

 

ରତ ଯଥାବିଧି ।

ସକଳ ବିଭାଗେ

 

ଯୋଗ୍ୟୋପାଧିଧାରୀ,

ଅଛନ୍ତି ନିଯୁକ୍ତ

 

ରାଜକର୍ମଚାରୀ ।

 

 

 

ସ୍ନେହଶିଷ୍ଟାଚାର

 

ଭକ୍ତି-ପ୍ରଦର୍ଶନେ,

ନିଅନ୍ତି ସେ କିଣି

 

ଆଗନ୍ତୁକ ଜନେ ।

ବାସ୍ତବେ ଆଦର୍ଶ

 

ତାହାଙ୍କ, ଆତିଥ୍ୟ,

ଆଗନ୍ତୁକ ପକ୍ଷେ

 

କଳ୍ପନା ଅତୀତ ।

 

ବିଦ୍ୟାମନ୍ଦିରର

 

ଶିକ୍ଷାର ପଦ୍ଧତି,

ତୃପ୍ତିପ୍ରୀତିପ୍ରଦ

 

ଉପାଦେୟ ଅତି ।

ସମକକ୍ଷ ବିଶ୍ୱ-

 

ମାନବିକତାର-

ହେବା ଭଳି ଶିକ୍ଷା

 

ଅର୍ପେ ବିଦ୍ୟାଗାର ।

 

 

 

କରନ୍ତି ବାଳକେ

 

ଆୟୁର୍ବେଦ ଶିକ୍ଷା,

ଔଷଧାର୍ଥ ନାହିଁ

 

ଆନ କୃପା ଭିକ୍ଷା ।

ଅଧ୍ୟୟନ-ପ୍ରିୟ

 

ଶିକ୍ଷାର୍ଥିନିକର,

ବେଶଭୂଷଣର

 

ନାହିଁ ଆଡ଼ମ୍ୱର ।

 

 

 

ଶିଖୁଛନ୍ତି ବାଲ୍ୟେ

 

ଆତ୍ମନିର୍ଭରତା,

ବିଶେଷତ୍ୱ ଏହା

 

ଶିକ୍ଷାର ସର୍ବଥା ।

ଶାନ୍ତିରକ୍ଷିବର୍ଗ

 

ସହିଷ୍ଣୁ ଧୀମାନ ।

ଶୂନ୍ୟ ଉଗ୍ରତେଜ

 

ଶୂନ୍ୟ ଅଭିମାନ ।

 

 

 

ନବ-ସ୍ଥାପିତ ଏ

 

କିଶୋରନଗର

ସକଳ ବିଷୟେ

 

ସର୍ବାଙ୍ଗସୁନ୍ଦର ।

ପଥ ପାର୍ଶ୍ୱେ ସ୍ଥିତ

 

ସର୍ଗିପାଲି ଗ୍ରାମ,

ଅରଣ୍ୟ-ଭୀଷଣ

 

ଦୃଶ୍ୟେ ଅଭିରାମ ।

 

ବିଦେଶୀ ବଣିକ

 

ୱାଲଜି କାନଜି,

ଅଛନ୍ତି ଏଠାରେ

 

ସୁଖ୍ୟାତି ଅରଜି ।

ହେଲେହେଁ ବଣିକ

 

ସ୍ଥବିର ବୟସ୍କ

ମାତ୍ର ସେ ଉତ୍ସାହ

 

ଉଦ୍ୟମେ ଯୁବକ ।

 

 

 

କରି ସେ ନିବିଡ଼

 

ଅରଣ୍ୟ କର୍ତ୍ତନ,

ରଚିଛନ୍ତି ବୃଦ୍ଧ

 

ନନ୍ଦନ-କାନନ ।

ରାଜୋତ୍ସାହ ବଳେ

 

ହୋଇ ମହାବଳୀ,

କର୍ମ-ପ୍ରବାହରେ

 

ପଡ଼ିଛନ୍ତି ଢଳି ।

 

 

 

କରି ସେ ପ୍ରସ୍ତୁତ

 

ବିବିଧ ଆଚାର,

କରୁଛନ୍ତି ଦେଶ-

 

ବିଦେଶେ ପ୍ରଚାର ।

ଚିନି କଳେ ଚିନି

 

ହେଉଛି ପ୍ରସ୍ତୁତ,

ହେଉଛି ବିଦେଶେ

 

ରପ୍ତାନୀ ବହୁତ ।

 

 

 

ଉଦ୍ୟାନେ ସଂଜାତ

 

ଶଙ୍ଖଚିନି ଆଳୁ,

ଅତୀବ ବୃହତ

 

ଯେହ୍ନେ ବୋଇତାଳୁ ।

ବହୁ ଫଳବୃକ୍ଷ

 

କରି ସେ ରୋପଣ,

କରୁଛନ୍ତି ବହୁ

 

ଅର୍ଥ ଉପାର୍ଜନ ।

 

ଦେଖାଉଅଛନ୍ତି

 

ବଣିକ-ମହତ,

ଅକର୍ମାଙ୍କୁ ଅର୍ଥ-

 

ଉପାର୍ଜନ ପଥ ।

ହୃଦୟ ତାଙ୍କର

 

ମହତ ଉଦାର

ଯୋଗୀ ଋଷି ପରି

 

ପୁଣି ବ୍ୟବହାର ।

 

 

 

କରନ୍ତି ଉଦ୍ୟାନେ

 

ବହୁବିଧ କୃଷି,

କୃଷିବିଦ୍ୟାରେ ସେ

 

ପରାଶର ଋଷି ।

ଉଦ୍ୟାନେ ସୁଲଭ

 

ବିବିଧ କାର୍ପାସ,

ସୁବିସ୍ତୃତ ଭାବେ

 

ହୁଏ ଆଖୁଚାଷ ।

 

 

 

ଆଶ୍ରମରେ ତନ୍ତ

 

ପଡ଼ିଛି ତାଙ୍କର,

ବୁଣାହେଉଅଛି

 

ବସନ ବିସ୍ତର ।

ଆଦର୍ଶ ତାଙ୍କର

 

ଉଚ୍ଚ ଅଦ୍ୱିତୀୟ,

ସର୍ବାଂଶରେ ତାହା

 

ଅନୁକରଣୀୟ ।

 

 

 

ରାଜେ ଗିରି-ପାଦେ

 

ଉଞ୍ଚବାଲି ଦହ,

ବହି ଜଳରୂପ

 

ଦେବ-ଅନୁଗ୍ରହ ।

ଗିରିଦେବୀକୁଳ

 

କେଳି-ସରୋବର,

ପୁଷ୍ପହାସେ ଦିଶେ

 

ଅପୂର୍ବ ସୁନ୍ଦର !

 

କାନନ-କମଳା

 

ମାରାଗ ଦର୍ପଣ,

ଅଗ୍ରେ ଥୋଇ ଅବା

 

ଦେଖନ୍ତି ବଦନ ।

ସ୍ୱଚ୍ଛ ବାରି ତାର

 

ଦେବ-ମନଜିଣା,

ବାଜେ ତହିଁ ସଦା

 

ପକ୍ଷିକଣ୍ଠ ବୀଣା ।

 

 

 

ଅତର୍କିତେ ତହିଁ

 

ହେଲେ ଉପସ୍ଥିତ,

ମୋହ-ମାୟା-ମୁକ୍ତ

 

ହୋଇଉଠେ ଚିତ୍ତ ।

ଆନନ୍ଦ ବିହ୍ୱଳେ

 

ସ୍ୱତଃ ହୁଏ ପ୍ରତେ,

ପ୍ରବେଶିଲା ପ୍ରାୟ

 

ମୁକ୍ତିରାଜ୍ୟେ ସତେ ।

 

 

 

ଅଜ୍ଞାତେ ବାହାରି

 

ମୁମୁକାର ମନୁଁ,

ମିଶିଯାଏ ଶୂନ୍ୟେ

 

ଯଥା ଇନ୍ଦ୍ରଧନୁ ।

ସେ କାଳ ଅବସ୍ଥା

 

ବର୍ଣ୍ଣି ନୁହେ ଆହା,

ଭୁକ୍ତଭୋଗୀ ଏକା

 

ବୁଝେ ସିନା ତାହା ।

 

 

 

ପୂର୍ବ ରାଜଧାନୀ

 

ହଣ୍ଡପା ନଗରୀ,

ରହିଅଛି ଏବେ

 

ମ୍ଳନବେଶ ଧରି ।

ମହେନ୍ଦ୍ର ଦେବଙ୍କ

 

ପୁଣ୍ୟ ଜନ୍ମଭୂମି,

କାଳବଶେ ରୁଦ୍ଧ

 

ତାର ଭାଗ୍ୟଊର୍ମି,

 

କନ୍ଦୁକ ପରାୟେ

 

ଭାଗ୍ୟ ସିନା ଚଳେ,

କେବେ ଉଠେ ଊର୍ଦ୍ଧ୍ୱେ

 

କେବେ ଖସେତଳେ

ରହି କତିପୟ

 

ରାଜକାର୍ଯ୍ୟାଳୟ,

ପୂର୍ବ ସୋଭାଗ୍ୟର

 

ଦିଏ ପରିଚୟ ।

 

 

 

ଉଚ୍ଚପ୍ରାଥମିକ

 

ବିଦ୍ୟାଳୟ ତହିଁ,

ଚଳୁଅଛି ନିଜେ

 

ନିଜ ଭାର ବହି ।

କୃଷିଶିଳ୍ପାଦିରେ

 

ସାଧି ସେ ଉତ୍କର୍ଷ,

ସମଶ୍ରେଣୀ ମଧ୍ୟେ

 

ଦେଖାଏ ଆଦର୍ଶ ।

 

 

 

କରି ବିନିଯୋଗ

 

ଛାତ୍ରେ ମନଧ୍ୟାନ,

ରଚିଛନ୍ତି ତହିଁ

 

ସୁନ୍ଦର ଉଦ୍ୟାନ ।

ସେ ଉଦ୍ୟାନ ସଦା

 

ପୂର୍ଣ୍ଣ ଫଳେ ଫୁଲେ

ନାନାବିଧି ଫଳ

 

ପାଚି ବୃକ୍ଷେ ଝୁଲେ ।

 

 

 

ଉଦ୍ୟାନଟି ଚିର-

 

ଶୀତଳ ନିର୍ମଳ,

ଶିବକୁନ୍ଦ ପୁଷ୍ପ-

 

ହାସ୍ୟେ ସମୁଜ୍ଜ୍ୱଳ ।

ଖଣ୍ଡହତା ଗ୍ରାମେ

 

ତନ୍ତୁବାୟଗଣ,

କରନ୍ତି କୌଶେୟ

 

ବସନ ବୟନ ।

 

ସୁନ୍ଦର ସେ ବସ୍ତ୍ର

 

ଚିକ୍‌କଣ ଉଜ୍ଜ୍ୱଳ,

କ୍ଷୀରୋଦ୍ରି ସମାନ

 

ଦିଶେ ଅବିକଳ ।

ଧୌରାପଲ୍ଲୀ ନାମେ

 

ଗ୍ରାମ ସୁବୃହତ,

ଶିକ୍ଷା ସଭ୍ୟତାରେ

 

ଯା ଶିର ଉନ୍ନତ ।

 

 

 

ଭାରତୀ କମଳା

 

ସଖ୍ୟଭାବ ବହି,

ଏକାସନେ ବିଜେ

 

ହୋଇଛନ୍ତି ତହିଁ ।

ଆଦର୍ଶ ଗ୍ରାମ ସେ

 

ଚିର-ରାଜଭକ୍ତ,

ଧରିଛି ପବିତ୍ର

 

ରାଜସେବା-ବ୍ରତ ।

 

 

 

ସେ ଗ୍ରାମନିବାସୀ

 

ବହୁ ସୁଶିକ୍ଷିତ,

ନାନା ରାଜକାର୍ଯ୍ୟେ

 

ଛନ୍ତି ନିୟୋଜିତ ।

ବଇଣ୍ଡା ଗ୍ରାମରେ

 

ଉଡ଼ାଇଛି ବାନା,

ନିଧି ସାହୁଙ୍କର

 

ଶିଳ୍ପ କାରଖାନା ।

 

 

 

ଜଉବାଡ଼ି ଜଉ-

 

କଲମ ଦୁଆତ,

ଦେଶ ବିଦେଶରେ

 

ହେଉଛି ବିଖ୍ୟାତ ।

ମୃଗବ୍ୟାଘ୍ର-ଚର୍ମ

 

ଶୃଙ୍ଖନଖଚୟ,

ଚର୍ମକାରେ ତହିଁ

 

କରନ୍ତି ବିକ୍ରୟ ।

 

ଉତ୍କଳ-ଶିଳ୍ପୀଙ୍କ

 

ନିର୍ମାଣ-ଚାତୁରୀ,

ଦେଖି ଉଠେ ହୃଦ

 

ମହୋଲ୍ଲାସେ ପୁରି ।

ବିବୁଧେନ୍ଦ୍ର ଦେବ

 

ରାଜପିତାଙ୍କର,

ବିରାଜିତ ତହିଁ

 

ସୃତି-ସରୋବର ।

 

 

 

ସ୍ୱର୍ଗତ ରାଜାଙ୍କ

 

ପୁଣ୍ୟସ୍ମୃତି ବହି,

ବସିଛି ନୂତନ

 

ହାଟ ଏକ ତହିଁ ।

ଶ୍ରୀକିଶୋରଚନ୍ଦ୍ର

 

ସ୍ଥାପି ସ୍ମୃତିଦ୍ୱୟ,

ଦେଇଛନ୍ତି ପିତୃଭକ୍ତି-

 

ପରିଚୟ ।

 

 

 

ଯୋଗ୍ୟପୁତ୍ର ନୃପ

 

ଯୋଗ୍ୟ ପିତାଙ୍କର,

ଗୁଣେ ଶୀଳେ ସେହୁ

 

ତାଙ୍କୁ ପଟାନ୍ତର ।

ପ୍ରାଚୀନ ‘ପଥରଗଡ଼’

 

ନିକାଞ୍ଚନେ,

ଲୁଚି ରହିଅଛି

 

ଗହନ କାନନେ ।

 

 

 

ପୂର୍ବେ ତହିଁ ଖଣ୍ଟେ

 

କରୁଥିଲେ ବାସ,

ଦେଖି ତାହା ଜନ୍ମେ

 

ମନେ ମହାତ୍ରାସ ।

ଗୁମ୍ଫାମାନ ଅଛି

 

ଅନ୍ଧକାରେ ପୁରି,

ପ୍ରତେ ହୁଏ ଯେହ୍ନେ

 

ଉପଯମପୁରୀ ।

 

ସୃଷ୍ଟିକାଳୁଁ ତାହା

 

ସୂର୍ଯ୍ୟଦେବଙ୍କର,

ହୋଇ ନାହିଁ ପରା

 

ନୟନ-ଗୋଚର ।

ଦେଖି ସେ ଭୀଷଣ

 

ଧୈର୍ଯ୍ୟଶୋଷୀ ସ୍ଥାନ,

ଅତି ସାହସୀର

 

ଉଡ଼ିଯିବ ପ୍ରାଣ ।

 

 

 

ଦୁର୍ବୃତ୍ତ ପିଶାଚ-

 

ମାନଙ୍କ ଦୁଷ୍କୃତି,

ଗ୍ରାସିବାକୁ ଧାଏଁ

 

ବହି ଛାୟାକୃତି ।

ଘୋଷରାଖ୍ୟ ଜୋର

 

ଚିତ୍ରୋତ୍ପଳା ସହ,

ମିଶି ଉଚ୍ଚସ୍ୱରେ

 

ବିରଚେ କଳହ ।

 

 

 

ଗତି ପଥେ ଧାଏଁ

 

ବଜାଇ ସେ ବେଣୁ,

ସୈକତେ ତାହାର

 

ମିଶା ସ୍ୱର୍ଣ୍ଣରେଣୁ ।

ଝରା ଜାତି ଲୋକେ

 

ବାଲିରୁ ପ୍ରତ୍ୟହ,

ସୁବର୍ଣ୍ଣ କଣିକା

 

କରନ୍ତି ସଂଗ୍ରହ ।

 

 

 

ଚିର-ସ୍ୱର୍ଣ୍ଣପ୍ରସୁ

 

ଏ ରମ୍ୟ କଟକ,

କରିଅଛି ନିଜ

 

ଗୌରବ ସାର୍ଥକ ।

ସୁରେଶ୍ୱର ନାମେ

 

ରମ୍ୟ ମହୀଧର,

ଶୁକ ସାରି ରୁତେ

 

ସତତ ମୁଖର ।

 

ନିବସନ୍ତି ତହିଁ

 

ଦେବୀ ସୁରେଶ୍ୱରୀ,

ବରାଭୟ-ଦାତ୍ରୀ

 

ସଦା ଶୁଭଙ୍କରୀ ।

ଝରେ ସେ ପର୍ବତୁଁ

 

ସୁରେଶ୍ୱରୀ ଝର,

ଅଷ୍ଟମଲ୍ଲିକର

 

ଜଳ-ଗନ୍ତାଘର ।

 

 

 

କୋଡ଼ିଏଟି ଗ୍ରାମ

 

ସେ ନିର୍ଝର ଜଳେ,

ଚିର-ସମୁର୍ବର,

 

ପୂର୍ଣ୍ଣ ଶସ୍ୟଫଳେ ।

ବହୁଧାରେ ସଦା

 

ବହେ ଝରପୟ,

ଯେ ଦିଗେ ଚାହିଁଲେ

 

ଦିଶେ ଜଳମୟ ।

 

 

 

ପ୍ରତେହୁଏ ସ୍ୱତଃ

 

ମାନସେ ଏସନ,

ବାରମାସ ତହିଁ

 

ଥାଏ କି ଶ୍ରାବଣ ।

ଏକମାସୀ ରାଜ୍ୟ

 

ସେ ଗ୍ରାମନିକର,

ପ୍ରବେଶ ନିଷିଦ୍ଧ

 

ଅପର ମାସର ।

 

 

 

ସେ ସ୍ଥାନର ଦୃଶ୍ୟ

 

ଅତି ଚମତ୍କାର,

ମନ-ନୟନର

 

ଚିର କାରାଗାର ।

ରହିଛି ଚାଞ୍ଚରା

 

ଶୈଳ ଏକଅଂଶେ,

ଗିରିରାଜାର କି

 

ସଭାମଣ୍ଡପ ସେ ।

 

ବନବାସ କାଳେ

 

ପାଣ୍ଡବେ ସେଠାରେ,

ଖେଳୁଥିଲେ ପଶା

 

ପ୍ରବାଦ ପ୍ରଚାରେ ।

କାହିଁ ସୁରେଶ୍ୱର

 

ପଞ୍ଚଧାର କାହିଁ,

ରହିଛନ୍ତି ଦୁହେଁ

 

ପରସ୍ପରେ ଚାହିଁ ।

 

 

 

ବିରାଟ ବିରାଟ ରତ

 

ବାକ୍ୟାଳାପେ,

କେ ବୁଝିବ ତାହା

 

ବୁଝନ୍ତି ସେ ଆପେ ।

ଏକ ଉପାଦାନେ

 

ବେନି ପିଣ୍ଡ ଗଢ଼ା,

ମଧ୍ୟେ ଅବସ୍ଥିତ

 

ବିଶାଳ ଚାଞ୍ଚଡ଼ା ।

 

 

 

ଦ୍ୱିପାଶେ ପ୍ରକାଣ୍ଡ

 

ଗଜରାଜ ବେନି,

ଉଭା କି ମଧ୍ୟରେ

 

କରଭକୁ ଘେନି ।

ଅନ୍ୟ ସ୍ଥାନେ ରୁଣ୍ଡ

 

ପର୍ବତ ବହୁତ

ଦୂରୁଁ ଦିଶେ ଯେହ୍ନେ

 

ଉଭା କରିଯୂଥ ।

 

 

 

ଊର୍ଦ୍ଧ୍ୱାକାଶେ ମେଘ

 

ଭ୍ରମିବା ସମୟେ,

ଅଦ୍ଭୁତ ଉପମା

 

ଜନମେ ହୃଦୟେ ।

ଭ୍ରମୁଛି କି ଗଣ୍ଡ

 

ଭୈରଣ୍ଡ ବିହଙ୍ଗ,

ଝାମ୍ପମାରି ଟେକି-

 

ନେବ ସେ ମାତଙ୍ଗ ।

 

ଦୁଇପଦ ନଖେ

 

ଥଣ୍ଟେ ତିନି ତରୀ,

ଧରିଉଡ଼ି ନଭେ

 

ଭୁଞ୍ଜିବ ବିହରି ।

ବୀର-ପ୍ରସୂ ମହୀ

 

ଏ ଅଷ୍ଟମଲ୍ଲିକ,

ବୀରଧୂ ତାହାର

 

ଖ୍ୟାତ ଅଲୌକିକ ।

 

 

 

ବୀର ତେଜ ବୀର୍ଯ୍ୟେ

 

ଗଢ଼ା ତା ଶରୀର,

ସୁଖ୍ୟାତି-ଗୌରବେ

 

ଟେକି ତାର ଶିର ।

ତ୍ରିକୋଣବିଶିଷ୍ଟ

 

ତାହାର ଆକୃତି,

ବିଦିତ ସର୍ବତ୍ର

 

ମହତ୍ତ୍ୱ ସୁକୃତୀ ।

 

 

 

ଦେଖି ମନେହୁଏ

 

ଏ ଭାବ ଉତ୍ପତ୍ତି,

ଛିଡ଼ିପଡ଼ିଛି କି

 

ସ୍ୱର୍ଗୁ ବୈଜୟନ୍ତୀ ।

ଗଡ଼ଜାତ ମଧ୍ୟେ

 

ଆକୃତି ତାହାର,

କରିଛି ଦ୍ୱାଦଶ

 

ସ୍ଥାନ ଅଧିକାର ।

 

 

 

ଶିକ୍ଷାସଭ୍ୟତାରେ

 

କରେ ଅଗ୍ରଗତି,

ସର୍ବପ୍ରତିଷ୍ଠାରେ

 

ଉଡ଼ାଏ ସେ ଛତି ।

ହେରି ତା ଦକ୍ଷତା

 

ସାହିତ୍ୟେ ସଙ୍ଗୀତେ,

ତୃପ୍ତିର ଆନନ୍ଦ

 

ଖେଳିଯାଏ ଚିତ୍ତେ ।

 

ଜଳବାୟୁ ସଦା

 

ଶକ୍ତି-ସ୍ୱାସ୍ଥ୍ୟପ୍ରଦ,

ପରିପୂର୍ଣ୍ଣ ରାଜ୍ୟେ

 

ଅରଣ୍ୟ-ସମ୍ପଦ ।

ଶତାଧିକ ହସ୍ତ

 

ଉଚ୍ଚ ବଂଶବନ,

ରହିଅଛି ବ୍ୟାପି

 

ଯୋଜନ ଯୋଜନ ।

 

 

 

ଶାର୍ଦ୍ଦୂଳକୁଳର

 

ଅଭେଦ୍ୟ ଦୁର୍ଗ ସେ,

ନ ପଶନ୍ତି ତହିଁ

 

ଭୟରେ ବାୟସେ ।

ଶିଶୁ କେନ୍ଦୁ ଅଛୁ

 

ଶାଳ ପିଆଶାଳ,

ଶିରୀଷ କୁଳତା

 

ମାହାଳ ତମାଳ,

 

 

 

ମହୁଲ ପଣସ

 

ସୁନ୍ଦରୀ ସୁନାରୀ,

ନିମ୍ବ କ୍ଷୀରକୋଳି

 

କଇମ ଗମ୍ଭାରୀ ।

କୁରୁମ କୁସୁମ

 

ବଉଳ ସେଗୁନ,

ଧବ ନାଗେଶ୍ୱର

 

ଅସନ ଅର୍ଜ୍ଜୁନ,

 

 

 

ଅତି ମୂଲ୍ୟବାନ

 

ପାଦପ ଅସଂଖ୍ୟ,

ଅଛି ଏ ରାଜ୍ୟରେ

 

ଛାଇ ବନବକ୍ଷ ।

ଅକଳ ଅରଣ୍ୟ

 

ଯେସନ ଜଳଧି,

ବହିଅଛି ବକ୍ଷେ

 

ବହୁ ମହୌଷଧି ।

 

ଝୁଣା ଲାଖ ମଧୁ

 

ମହମ ତସର,

ଅଛି ପୁଣି ବହୁ

 

ଧାତୁର ଆକର ।

ଅରଣ୍ୟ-ସମ୍ପଦ

 

ରହିଛି ଅପାର,

ତୁଚ୍ଛ ତାହା ପାଶେ

 

କୁବେର ଭଣ୍ଡାର ।

 

 

 

ନଦୀସ୍ରୋତ ପ୍ରାୟ

 

ଉନ୍ନତି ପଥରେ,

ଧାଇଁଛି ଏ ରାଜ୍ୟ

 

ଆଗକୁ ପ୍ରଖରେ ।

ଉନ୍ନତି ରାଜ୍ୟର

 

ସର୍ବ ଅନୁଷ୍ଠାନ,

ଅଛି ଅଳ୍ପାଧିକେ

 

ଏଥି ବିଦ୍ୟମାନ ।

 

 

 

ପ୍ରଗତିଶୀଳତା

 

ଶ୍ରୀବୃଦ୍ଧି ସତତ,

ହୋଇଛି ଏହାର

 

ନିତ୍ୟ ନବ ବ୍ରତ ।

ଭ୍ରମି ଏ ରାଜ୍ୟରେ

 

ମୁଗ୍‌ଧ ମୋର ଚିତ୍ତ,

ହୋଇଛି ଆବର

 

ଏସନ ପ୍ରତୀତ ।

 

 

 

ପୌରାଣିକ ଯୁଗେ

 

ଫେରିଯାଇ ମନ,

ଅଯୋଧ୍ୟା ରାଜ୍ୟେ କି

 

କରୁଛି ଭ୍ରମଣ ।

କିମ୍ବା ଭ୍ରମୁଅଛି

 

ଇନ୍ଦ୍ରପ୍ରସ୍ଥେ ଯାଇ,

ଯୁଧିଷ୍ଠିରଙ୍କର

 

ଜୟଗୀତି ଗାଇ ।

 

ଅଥବା ଭ୍ରମୁଛି

 

ଉଜ୍ଜୟିନୀ ରାଜ୍ୟେ,

ଅଧୀର ଆନନ୍ଦେ

 

କଳ୍ପନା ସାହାଯ୍ୟେ ।

ନତୁବା ଭ୍ରମୁଛି

 

ମିଥିଳା ନଗରେ,

ଜନକ ରାଜର୍ଷି

 

ରାଜତ୍ୱ କାଳରେ ।

 

 

 

ଶ୍ରୀ କିଶୋରଚନ୍ଦ୍ର

 

ଏ ରାଜ୍ୟର ଭୂପ,

ରାଜଗୌରବ କି

 

ଗ୍ରହିଅଛି ରୂପ !

ଗାଉଛି ଉତ୍କଳ

 

ଯାଙ୍କ କୀର୍ତ୍ତିଗୀତି,

ନବଛନ୍ଦେ ରଚି

 

ବହି ହୃଦେ ପ୍ରୀତି ।

 

 

 

ଧନୀ ଦୀନେ କରି

 

ଦୟା ବିତରଣ,

କରୁଛନ୍ତି ତାଙ୍କ

 

ଅଦୃଷ୍ଟ ଗଠନ ।

ପ୍ରତିଦାନ ପାଇଁ

 

ନାହିଁ ହୃଦେ ଠାବ,

ରାଜପ୍ରାଣେ ସିନା

 

ଏହା ଦେବଭାବ ।

 

 

 

ପ୍ରଜାଙ୍କ ଉନ୍ନତ

 

ଜୀବନ ଗଠନ-

ବିଷୟେ ସେ ସଦା

 

ଯତ୍ନପରାୟଣ ।

ବାହ୍ୟେ ସଂସାରୀ ସେ,

 

ସ୍ୱଭାବେ ବୈରାଗୀ

ଦେହେ ମାତ୍ର ରାଜା,

 

ମନେ ମହାତ୍ୟାଗୀ ।

 

ରାଜୋପାଧି ହୋଇ

 

ତାହାଙ୍କ ଆଶ୍ରିତ,

ହୋଇଅଛି ଧନ୍ୟ

 

ଗୌରବ-ମଣ୍ଡିତ ।

କରି ଉଦ୍ଭାବନ

 

ଉପାୟ ବିବିଧ,

ହୋଇଛନ୍ତି ରାଏ

 

ପୂର୍ଣ୍ଣ ଯୋଗସିଦ୍ଧ ।

 

 

 

ସେ ଚିନ୍ତାରେ ଶକ୍ତି

 

କରୁଛନ୍ତି କ୍ଷୟ,

ରାଜପ୍ରାଣେ ଏହା

 

ଋଷିତ୍ୱ ନିଶ୍ଚୟ ।

କୃଷିକ୍ଷେତ୍ର ଯଥା

 

ଗୁଣେ ଦେଇ ଋଣ

କରେ ପରିଶୋଧ

 

ଅର୍ପି ବହୁଗୁଣ ।

 

 

 

ତଥା ରାଜା ନେଇ

 

ପ୍ରଜାଠାରୁ କର,

ସାଧନ୍ତି ତାହାର

 

ମଙ୍ଗଳ ବିସ୍ତର ।

ବୁଡ଼ିରହି ନୃପ

 

ବିପୁଳ ବିଭବେ,

ମାତ୍ର ନୁହନ୍ତି ତ

 

ସୁଖୀ ସେ ବାସ୍ତବେ ।

 

 

 

ନୃପତିଙ୍କୁ ସୁଖୀ

 

ବୋଲେ ଯେଉଁ ଜନ,

ନ ବୁଝେ ସେ ସୁଖ-

 

ଅର୍ଥ କଦାଚନ ।

ପ୍ରଜା-ହିତ ପାଇଁ

 

ଭୂପତି ନିଶ୍ଚୟ,

କରନ୍ତି ନିଜର

 

ଶକ୍ତି ଆୟୁ କ୍ଷୟ ।

 

ପ୍ରଜାହିତ ତାଙ୍କ

 

ଚିନ୍ତା ଏକମାତ୍ର,

ତେଣୁ ରାଜା, ଭକ୍ତି-

 

କୃତଜ୍ଞତା ପାତ୍ର ।

କରନ୍ତି ପ୍ରଜାଙ୍କୁ

 

ସଙ୍କଟୁଁ ଉଦ୍ଧାର,

ତେଣୁ ରାଜା, ନିତ୍ୟ

 

ନମସ୍ୟ ପ୍ରଜାର ।

 

 

 

ରାଜାଙ୍କ ଦାୟିତ୍ୱ

 

କଠୋର ଅତୀବ,

ଧୈର୍ଯ୍ୟ-ସହିଷ୍ଣୁତା

 

ଗୁଣରେ ସେ ଶିବ ।

ଶ୍ରୀମହେନ୍ଦ୍ର ଦେବ

 

ସୁଗୁଣ-ଗ୍ରାହକ,

‘ସିଦ୍ଧାନ୍ତ ଦର୍ପଣ’

 

ଗ୍ରନ୍ଥ-ପ୍ରକାଶକ ।

 

 

 

ନୃମଣି କିଶୋର-

 

ଚନ୍ଦ୍ର ତାଙ୍କ ନାତି,

କରୁଛନ୍ତି ବୃଦ୍ଧି

 

ବଂଶୀୟ ସୁଖ୍ୟାତି ।

ପିତାମହଙ୍କର

 

ପଦାଙ୍କାନୁସରି,

ଅର୍ଜୁଛନ୍ତି କୀର୍ତ୍ତି

 

ସେ ନୃପକେଶରୀ ।

 

 

 

ଉତ୍କଳ-ମିହିର

 

ଚନ୍ଦ୍ରଶେଖରଙ୍କ,

ମହା ପ୍ରତିଭାର

 

ସେ ବିଜ୍ଞ ପୂଜକ ।

ନିଜଠାରୁ ନିଜେ

 

ଲଭି ସୁପ୍ରେରଣା,

କରିଥିଲେ ନୃପ

 

ଉତ୍କଳେ ଘୋଷଣା,

 

ଚନ୍ଦ୍ରଶେଖରଙ୍କ

 

ପ୍ରତିଭା ସମ୍ବନ୍ଧ-

ଘେନି ସେ ଲେଖିବେ

 

ଉତ୍କୃଷ୍ଟ ପ୍ରବନ୍ଧ,

ଗୁଣ ପୁରସ୍କାର-

 

ରୂପେ ସେ ଲେଖକ,

ପ୍ରାପ୍ତ ହେବେ ଏକ

 

ସୁବର୍ଣ୍ଣ ପଦକ ।

 

 

 

ପିତାମହ କୀର୍ତ୍ତି-

 

ସଂରକ୍ଷଣ ପାଇଁ,

ବହୁ ଅର୍ଥ ବ୍ୟୟ

 

କରି ନରସାଇଁ,

‘ପଣ୍ଡିତ ସର୍ବସ୍ୱ’

 

ନବ ସଂସ୍କରଣ,

କରୁଛନ୍ତି ରାଏ

 

ଦେଶେ ବିତରଣ ।

 

 

 

ପିତାମହଙ୍କର

 

ପ୍ରତିଭା ନିଶ୍ଚିତ,

ହୋଇଅଛି ପୌତ୍ର-

 

ପ୍ରାଣେ ପ୍ରଭାବିତ ।

ମହାତ୍ମା ପ୍ରତିଭା

 

ଯଥାସମୟରେ,

ଆଶ୍ରାକରେ ସିନା

 

ଯୋଗ୍ୟ ବଂଶଧରେ ।

 

 

 

ସ୍ୱୟଂ ସର୍ବଗୁଣ

 

ପ୍ରବୀଣ ଅତୀବ,

ଲଭିଛନ୍ତି ଦୁଯେ

 

ସୁଯୋଗ୍ୟ ସଚିବ ।

ଅନଳ ସାହାଯ୍ୟେ

 

ବିଜ୍ଞ ସ୍ୱର୍ଣ୍ଣକାର,

ଗଢ଼େ ସିନା ଦିବ୍ୟ

 

ସ୍ୱର୍ଣ୍ଣ ଅଳଙ୍କାର ।

 

ନୃପତି ଯେସନ

 

ରାଜ୍ୟକୁ ସୁନ୍ଦର,

ତେସନ ସୁନ୍ଦର

 

ନୃପେ ମନ୍ତ୍ରିବର ।

ପୁଷ୍ପ ମଧ୍ୟେ ଥିଲେ

 

ମଧୁ, ସଉରଭ,

ଉଭୟେ ବଢ଼ାନ୍ତି

 

ପୁଷ୍ପର ଗୌରବ ।

 

 

 

ରାଜା ମନ୍ତ୍ରୀ ଯୋଗେ

 

ଲଭେ ତଥା ବୃଦ୍ଧି,

ରାଜ୍ୟ-କୁସୁମର

 

ସମ୍ଭ୍ରମ ସମୃଦ୍ଧି ।

ରାଜ-ପ୍ରତିଭାରେ

 

ମନ୍ତ୍ରୀ ଚତୁରତା,

ମିଶିଲେ ଅସାଧ୍ୟ

 

ଅବା କେଉଁ କଥା ?

 

 

 

ରାଜଶକ୍ତି ସହ

 

ସୁମନ୍ତ୍ରୀ ମନ୍ତ୍ରଣା,

ମିଶିଲେ ସେ ଧରେ

 

ଶକ୍ତି ଅକଳନା ।

ଅସାଧ୍ୟ ସାଧ୍ୟ ତ

 

ସହଜ-ସୁଲଭ,

କିନ୍ତୁ ଅସମ୍ଭବ

 

ହୁଏ ସୁସମ୍ଭବ ।

 

 

 

ବାମଦେବ ମିଶ୍ର

 

ଏ ରାଜ୍ୟ ଦେଓ୍ୱାନ,

ସଦା ଚିନ୍ତାଶୀଳ

 

ମହା ପ୍ରଜ୍ଞାବାନ ।

ଗତି ମତି ଉକ୍ତି

 

ତିନିଙ୍କୁ ତାଙ୍କର,

ବିଶ୍ରାମର ତିଳେ

 

ନାହିଁ ଅବସର ।

 

ପ୍ରଶଂସିତ ଭାବେ

 

କର୍ତ୍ତବ୍ୟ ସମ୍ପାଦି,

ଲଭିଛନ୍ତି ‘ରାଏ-

 

ସାହେବ’ ଉପାଧି ।

ବିଜୁଳି ପରି ସେ

 

ଭ୍ରମି ଇତସ୍ତତଃ,

ସାଧୁଛନ୍ତି ରାଜ୍ୟ

 

ଶ୍ରୀବୃଦ୍ଧି ସତତ ।

 

 

 

ଆଠମଲ୍ଲିକରେ

 

ଦଶଟି ଖମାର

ସାଧୁଛି ପ୍ରଜାଙ୍କ

 

ବହୁ ଉପକାର ।

ଧାନ୍ୟ ଶସ୍ୟ ତହିଁ

 

ରହିଛି ଗଚ୍ଛିତ,

ଲକ୍ଷ ମହଣରୁ

 

ଅଧିକ କିଞ୍ଚିତ ।

 

 

 

ରହିଛି ଖମାରେ

 

ସୁସଞ୍ଚିତ ପୁଣି,

ରବି ଶସ୍ୟ ବହୁ

 

ସହସ୍ର ଗଉଣୀ ।

ଦୁର୍ଭିକ୍ଷ ଦାଉରୁ

 

ପ୍ରଜା-ରକ୍ଷା ପାଇଁ,

କରିଛନ୍ତି ଏହି

 

ବ୍ୟବସ୍ଥା ନୃସାଇଁ ।

 

 

 

ଶସ୍ୟ ଋଣ ତହୁଁ

 

ନେଇ ପ୍ରଜାଗଣ,

କରନ୍ତି ନିଜର

 

ଅଭାବ ମୋଚନ ।

ହୋଇ ସମବାୟୁ

 

ସମିତି ଗଠିତ,

ପ୍ରଜାବର୍ଗେ ଋଣ

 

ହେଉଛି ଅର୍ପିତ ।

 

ଅଳ୍ପ ସୁଧ ହେତୁ

 

ପରିଶୋଧ ପାଇଁ,

ପ୍ରଜାଙ୍କ ପକ୍ଷରେ

 

କଷ୍ଟ ହେଉ ନାହିଁ ।

କରାଳ କବଳୁଁ

 

ସୁଧଜୀବୀଙ୍କର,

ଲଭିଛନ୍ତି ତ୍ରାହି

 

ପରଜା-ନିକର ।

 

 

 

ପୂର୍ବ-ପ୍ରଚଳିତ

 

ଅସ୍ୱାଭାବୀ କର,

ଉଠାଇଦେଲେଣି

 

ରାଜ୍ୟୁ ନୃପବର ।

ଭେଟି ବେଠି ପୁଣି

 

ଅଯଥା ମାଗଣ,

ତଣ୍ଡରୁ ସର୍ବଥା

 

ମୁକ୍ତ ପ୍ରଜାଗଣ ।

 

 

 

ନିର୍ଦ୍ଦିଷ୍ଟ ଦିବସେ

 

ରାଜ୍ୟ-ପ୍ରଜାଗଣ

ଫଳବୃକ୍ଷମାନ

 

କରନ୍ତି ରୋପଣ ।

ରାଜ-ସରକାର

 

ପକ୍ଷୁଁ ରାଜ୍ୟସାରା,

ପ୍ରତିବର୍ଷ ବଣ୍ଟା-

 

ହୁଏ ବୃକ୍ଷଚାରା ।

 

 

 

ଶ୍ରେୟସ୍କର ଅତି

 

ଏ ରାଜବିଧାନ,

ଫଳ ବିକି ପ୍ରଜା

 

ହୁଏ ଲାଭବାନ ।

ପ୍ରଜାଙ୍କର ଏହା

 

ଅନ୍ୟତମ ଆୟ,

ଅର୍ଥ-ହିତପ୍ରଦ

 

ନବ ବ୍ୟବସାୟ ।

 

ବରବୀରତ୍ରାସ

 

ନୃପ ମହାଭାଗ,

ଗ୍ରହିଛନ୍ତି ମୁଦେ

 

ବ୍ୟାଘ୍ରବଧ-ଯାଗ ।

ସପ୍ତଷଷ୍ଟି ବ୍ୟାଘ୍ରେ

 

ପ୍ରଦାନି ଆହୁତି,

ଅର୍ଜିଛନ୍ତି ରାଏ

 

ବୀରତ୍ୱ ବିଭୂତି ।

 

 

 

ମହାବଳ ବ୍ୟାଘ୍ର

 

ବିକଟ ଭୀଷଣ,

କରେ ପଶୁରାଜ୍ୟ

 

କାନନେ ଶାସନ ।

ଶୁଣି ତାର ବଜ୍ର-

 

ବିଜୟୀ ଗର୍ଜନ

ଥରିଉଠେ ଗିରି

 

ଥରିଉଠେ ବନ ।

 

 

 

ଉଡ଼ନ୍ତା ବିହଙ୍ଗ

 

ସାଧ୍ୱସ ବିହ୍ୱଳେ,

ହରାଇ ଚେତନା

 

ଖସିପଡ଼େ ତଳେ ।

ବନ-ପଶୁକୁଳ

 

ତେଜି ଖରଶ୍ୱାସ,

ଲୁଚନ୍ତି କେ କାହିଁ

 

ଗଣି ମହାତ୍ରାସ ।

 

 

 

ଦୃପ୍ତ ବନକ୍ଷତ୍ରୀ

 

ମୃତ୍ୟୁର ସେ ମୃତ୍ୟୁ,

ପ୍ରତାପେ ଯେସନ

 

ରୁଦ୍ରତପ ଋତୁ ।

ନ କରେ ଖାତର

 

ସହସ୍ର ପ୍ରହାରେ,

ଭୟ ତାକୁ ଭୟେ

 

ଦୂରରୁ ଜୁହାରେ ।

 

ନାମେ ମହାବଳ

 

ବଳେ ମହାବଳ,

ଝରେ ତା ଦୃଷ୍ଟିରୁ

 

ପ୍ରଚଣ୍ଡ ଅନଳ ।

ଶ୍ରୀ କିଶୋରଚନ୍ଦ୍ର

 

ନୃପ ମହେଶ୍ୱାସ,

ମଣନ୍ତି ତାହାକୁ

 

ଯେସନ କଟାସ ।

 

 

 

ଦଶବର୍ଷ ପରେ

 

ଏ ଅଷ୍ଟମଲ୍ଲିକ,

ହେବ ଯକ୍ଷପତି

 

ଭଣ୍ଡାର ମାଲିକ ।

ଫଳିବ ମୋର ଏ

 

ଭବିଷ୍ୟତ ବାଣୀ,

ବର୍ତ୍ତମାନ ଦେଖି

 

ପାରୁଛି ମୁଁ ଜାଣି ।

 

 

 

କହୁଛନ୍ତି ମୋର

 

ବିବେକ-ଦେବତା,

କର୍ଣ୍ଣମୂଳେ ଏହି

 

ସଫଳ ବାରତା ।

ସାହିତ୍ୟ-ଶ୍ରୀବୃଦ୍ଧି

 

ସାଧନେ ବିଶେଷ,

କରୁଛନ୍ତି କାର୍ଯ୍ୟ

 

ଅଷ୍ଟମଲ୍ଲିକେଶ ।

 

 

 

ସ୍ୱଭାବରେ ସେ ତ

 

ସାହିତ୍ୟପ୍ରେମିକ,

କାବ୍ୟକୁଞ୍ଜବନ-

 

ବିହାରୀ ରସିକ ।

ଦେଶେ ସତ୍‌ସାହିତ୍ୟ-

 

ପ୍ରଚାର ବିଷୟେ,

କରୁଛନ୍ତି ଚେଷ୍ଟା

 

ବହୁ ଅର୍ଥବ୍ୟୟେ ।

 

ଶ୍ରେଷ୍ଠ ନାରୀକବି

 

ଶ୍ରୀମତୀ ଅପର୍ଣ୍ଣା,

ବ୍ରାହ୍ମଣବଂଶର

 

ଅନ୍ନଶୂନ୍ୟା କନ୍ୟା ।

ଲେଖିଛନ୍ତି କେତେ

 

କାବ୍ୟ ସୁକବିତା,

ଉତ୍କଳ ଭାଷାରେ

 

ବିଦୁଷୀ ପଣ୍ଡିତା ।

 

 

 

ନୋହିଥିଲେ ରାଜ-

 

ଦୟା ତାଙ୍କ ପ୍ରତି,

ବନେ ଝଡ଼ିଥାନ୍ତା

 

ବନର ମାଳତୀ ।

କବି-ପ୍ରତିଭାର

 

ବୈଚିତ୍ର୍ୟ ଗରିମା

ଛୁଇଁ ନ ଥାଆନ୍ତା

 

ଲୋକାଳୟ ସୀମା ।

 

 

 

ଅଷ୍ଟମଲ୍ଲିକେଶ

 

ସୁକୀର୍ତ୍ତି-ନିବାସ,

କରିଛନ୍ତି ତାଙ୍କ

 

ପୁସ୍ତକ ପ୍ରକାଶ ।

କେତେ ଦୀନ କବି

 

ଦୀନ ଲେଖକର,

କରିଛନ୍ତି ଆଶା

 

ସଫଳ ନୃବର ।

 

 

 

ସାହିତ୍ୟ-ପାଠକ

 

ସାହିତ୍ୟ-ସମ୍ବଳ,

ତାଙ୍କ ଭଳି ନୃପ

 

ପ୍ରାୟଶଃ ବିରଳ ।

ଜାତୀୟ ସାହିତ୍ୟେ

 

ଅର୍ପି ଶୁଭଦୃଷ୍ଟି

ସାଧୁଛନ୍ତି ନୃପ

 

ତାର ପରିପୁଷ୍ଟି ।

 

ପଦ ପଦକାଦି

 

କରି ସେ ପ୍ରଦାନ,

ବଢ଼ାଉଅଛନ୍ତି

 

ଗୁଣିଜନ ମାନ ।

‘ଭାଷାକୋଷ’ ଗ୍ରନ୍ଥ

 

ପ୍ରକାଶ କାର୍ଯ୍ୟରେ,

ଅର୍ପିଲେ ବହୁତ

 

ଅର୍ଥ ଅକାତରେ ।

 

 

 

ଏ ଦୀନ ଲେଖକ

 

‘ଗ୍ରନ୍ଥାବଳୀ’ ପାଇଁ,

ଅର୍ପିଛନ୍ତି ଅର୍ଥ

 

ଆଗ୍ରହ ଦେଖାଇ ।

‘ପଞ୍ଚଧାର’ ନାମେ

 

ସାମୟିକ ପତ୍ର,

ଘୋଷେ ତାଙ୍କ ଦାନ

 

ମହତ୍ତ୍ୱ ସର୍ବତ୍ର ।

 

 

 

ସାହିତ୍ୟସମାଜେ

 

ହୋଇ କର୍ଣ୍ଣଧାର,

ଦେଖାଇଅଛନ୍ତି

 

ଯୋଗ୍ୟତା ଅପାର ।

ନବୀନ ପ୍ରେରଣା

 

ସାହିତ୍ୟିକ ପ୍ରାଣେ,

ଦେଇଛନ୍ତି ନୃପ

 

ବହୁ ପରିମାଣେ ।

 

 

 

ତାହାଙ୍କ ପ୍ରଦତ୍ତ

 

ସୁ-ଅଭିଭାଷଣ,

କରୁଛି କର୍ଣ୍ଣରେ

 

ଅମୃତ ବର୍ଷଣ ।

ବିଶ୍ୱ-ସାହିତ୍ୟର

 

ପ୍ରତିଯୋଗ ପାଇଁ,

ଆହ୍ୱାନିଅଛନ୍ତି

 

ଦେଶେ ନରସାଇଁ ।

 

ତାହାଙ୍କ ପ୍ରଦତ୍ତ

 

ଅପୂର୍ବ ଉତ୍ସାହ,

ସାହିତ୍ୟକ ପ୍ରାଣେ

 

ସୃଜିବ ପ୍ରବାହ ।

ଏ ରାଜ୍ୟର ଶିକ୍ଷା-

 

ପଦ୍ଧତି ସୁନ୍ଦର,

ଉପଯୋଗୀ ତାହା

 

ସର୍ବସମାଜର ।

 

 

 

ନିର୍ବାହ ପକ୍ଷରେ

 

ମାନବ-ଜୀବନ,

ଯେଭଳି ଶିକ୍ଷାର

 

ହୁଏ ପ୍ରୟୋଜନ,

ସେହି ଶିକ୍ଷା ଏହି

 

ରାଜ୍ୟେ ପ୍ରଚଳିତ,

ଦେଖି ତାହା ହୁଏ

 

ଚିତ୍ତ ପ୍ରଫୁଲ୍ଲିତ ।

 

 

 

କୃଷି, ବ୍ୟବସାୟ,

 

ଶିଳ୍ପ, ସେବାବ୍ରତ,

ବୃଦ୍ଧିକରେ ସିନା

 

ଶିକ୍ଷାର ମହତ୍ତ୍ୱ !

ଦେଶ-କାଳ-ପାତ୍ର

 

ଉପଯୋଗୀ ତାହା,

ଦେଖାଏ ସମ୍ମୁଖେ

 

ଆତ୍ମୋନ୍ନତି ରାହା ।

 

 

 

ଉଚ୍ଚ ମନୋବୃତ୍ତି

 

ଗଠନ ପକ୍ଷରେ,

ସାର୍ଥକ ଏ ଶିକ୍ଷା

 

ଅକ୍ଷରେ ଅକ୍ଷରେ ।

ସ୍ୱାବଲମ୍ବନର

 

ଅର୍ପି ଶୁଭଦୀକ୍ଷା,

ଜୀବନର ଲକ୍ଷ୍ୟ

 

ଶିଖାଏ ଏ ଶିକ୍ଷା ।

 

ଏ ସର୍ବଯୋଜନା

 

ଶିକ୍ଷା ଅନ୍ତର୍ଗତ,

ଆଦର୍ଶ ସୃଷ୍ଟିର

 

ଦୃଷ୍ଟାନ୍ତ ମହତ ।

ଛାତ୍ରଛାତ୍ରୀଙ୍କର

 

ଆତ୍ମନିର୍ଭରତା-

ଶିକ୍ଷା, ବିଶେଷତ୍ୱ

 

ଏ ରାଜ୍ୟେ ସର୍ବଥା ।

 

 

 

ଛାତ୍ରଙ୍କର ଚିନ୍ତା,

 

ସୁପରିକଳ୍ପନା,

ଅପୂର୍ବ ବିଚିତ୍ର

 

ସୌନ୍ଦର୍ଯ୍ୟ ସର୍ଜନା,

ସକଳ ବିଷୟେ

 

ସାଧନା ଅକ୍ଳାନ୍ତ,

ଦେଖି ମୁଁ ହୋଇଛି

 

ବିମୁଗ୍‌ଧ ଏକାନ୍ତ ।

 

 

 

ଶିକ୍ଷାପ୍ରଣାଳୀରେ

 

ଲଭି ମୁଁ ଆହ୍ଲାଦ,

ଅର୍ପୁଅଛି କର୍ମିବର୍ଗେ

 

ଧନ୍ୟବାଦ ।

ଛାତ୍ରଛାତ୍ରୀବର୍ଗେ

 

ଅଷ୍ଟମଲ୍ଲିକେଶ,

ଅର୍ପନ୍ତି ବିବିଧ

 

ନୀତି ଉପଦେଶ ।

 

 

 

କିଭଳି ତାଙ୍କର

 

ହେଉଅଛି ଶିକ୍ଷା,

ବିଦ୍ୟାଳୟେ ଯାଇ

 

କରନ୍ତି ପରୀକ୍ଷା ।

ଉନ୍ନତ ତାହାଙ୍କ

 

ପରୀକ୍ଷାର ରୀତି,

ଛାତ୍ରଛାତ୍ରୀ ପ୍ରାଣେ

 

ଜନମାଏ ପ୍ରୀତି ।

 

ସକଳ ବିଷୟ

 

କରି ତନ୍ନ ତନ୍ନ,

କରନ୍ତି ନରେନ୍ଦ୍ର

 

ସୁପରିଦର୍ଶନ ।

ବିଜ୍ଞ ବିଚକ୍ଷଣ

 

ପ୍ରଦର୍ଶକ ଭଳି,

ପ୍ରଶ୍ନ ଗଠନେ ସେ

 

ଅଦ୍ଭୁତ କୌଶଳୀ ।

 

 

 

ଛାତ୍ରଛାତ୍ରୀଙ୍କର

 

ଭକ୍ତି ସମ୍ବର୍ଦ୍ଧନା,

ଗ୍ରହନ୍ତି ସାଦରେ

 

ନୃପ ମହାମନା ।

ବହାଇଦେଇ ସେ

 

ସଦୁକ୍ତି-ପ୍ରବାହ,

ଛାତ୍ରଛାତ୍ରୀଗଣେ

 

ଅର୍ପନ୍ତି ଉତ୍ସାହ ।

 

 

 

ଆବର ଅର୍ପନ୍ତି

 

ଅର୍ଥ ପୁରସ୍କାର,

ଭୁଞ୍ଜନ୍ତି ଶିକ୍ଷାର୍ଥୀ

 

ଆନନ୍ଦ ଅପାର ।

ମେଧାବୀ ଛାତ୍ରଙ୍କୁ

 

ଉଚ୍ଚଶିକ୍ଷା ପାଇଁ,

ବହୁ ଅର୍ଥବ୍ୟୟେ

 

ବିଦେଶେ ପଠାଇ,

 

 

 

ଆଣି ତାଙ୍କୁ ନୃପ

 

କରାଇ ଶିକ୍ଷିତ,

କରୁଛନ୍ତି ରାଜ-କାର୍ଯ୍ୟେ

 

ନିୟୋଜିତ ।

ଉଚ୍ଚ ନୀଚ ଜାତି

 

ବସି ଏକାସନେ,

ରତ ବିଦ୍ୟାଳୟେ

 

ବିଦ୍ୟା ଅଧ୍ୟୟନେ ।

 

ଉଚ୍ଚ ଅଛବର

 

ନାହିଁ ପୂର୍ବଭେବ,

ଅଛି ବେନି ମଧ୍ୟେ

 

ସ୍ନେହ ଅବିଚ୍ଛେଦ ।

ଅତୀବ ଉଦାର

 

ଏହି ସାମ୍ୟନୀତି,

ସଂସ୍କାରର ସିନା

 

ଏହା ମୂଳଭିତ୍ତି ।

 

 

 

କରେ ଯେ ମାନବ

 

ମାନବକୁ ଘୃଣା,

ମାନବ ନୁହେ ସେ

 

ପଶୁଠାରୁ ଊଣା ।

ସମସ୍ତେ ତ ପୁତ୍ର

 

ବିଶ୍ୱପିତାଙ୍କର,

ଉଚ୍ଚ କିପାଁ ଏକ

 

ଅପର ଇତର ?

 

 

 

ଭଣେ ଯେଉଁ ଶାସ୍ତ୍ର

 

ସାମ୍ୟବାଦେ ପାପ;

ଶାସ୍ତ୍ର ନୁହେ ତାହା

 

ବାତୁଳ ପ୍ରଳାପ ।

ଯେଉଁ ଦେଶ ଶାସ୍ତ୍ର

 

ରଖିଛି ସ୍ୱଆଣୀ,

ଘୋଷି ‘ବସୁଧୈବ

 

କୁଟୁମ୍ବକଂ’ ବାଣୀ,

ସେ ଦେଶ ପକ୍ଷରେ

 

ଏ ବର୍ବର ପ୍ରଥା,

ନିଶ୍ଚୟ କୁତ୍ସିତ

 

ଆଦର୍ଶ ସର୍ବଥା ।

ତଡ଼ନ୍ତି ଯେ ଏହି

 

ପ୍ରଥା ଅମାନୁଷୀ,

ନବଯୁଗର ସେ

 

ପ୍ରବର୍ତ୍ତକ ଋଷି ।

Unknown

 

ହେ କିଶୋରଚନ୍ଦ୍ର,

 

ଶୁଭ-ଗୁଣାଧାର,

ଆଦର୍ଶ ଛାମୁଙ୍କ

 

ସମାଜ-ସଂସ୍କାର ।

ଶ୍ରୀମହାପ୍ରସାଦେ

 

ଭକ୍ତିସହକାରେ,

ଶୁଦ୍ର ସଙ୍ଗେ ବିପ୍ର

 

ଭୁଞ୍ଜେ ନିର୍ବିକାରେ,

 

 

 

ଯେଉଁ ଦେବ ଦେଶେ

 

ଅଛି ଏ ଆଚାର,

ବିଡ଼ମ୍ବନା ତହିଁ

 

ଅଛବ ବିଚାର ।

ପ୍ରଭୁ ରାମଚନ୍ଦ୍ର

 

ଜଗତବନ୍ଦନ,

ଚଣ୍ଡାଳକୁ ଦେଲେ

 

ପ୍ରେମେ ଆଲିଙ୍ଗନ ।

 

 

 

ଏଡ଼େ ପ୍ରଭୁଙ୍କର

 

ଏଭଳି ବେଭାର,

ମାନବ-ସମାଜ

 

ଅବା କେଉଁ ଛାର ।

ଅଷ୍ଟମଲ୍ଲିକେଶ

 

ଧାର୍ମିକ-ପ୍ରବର,

ଧର୍ମକାର୍ଯ୍ୟେ ରତ

 

ଥାନ୍ତି ନିରନ୍ତର ।

 

 

 

ଦାନେ ହୁଏ ସିନା

 

ଧନ ସୁସାର୍ଥକ,

ବିଦିତ ଏ ତତ୍ତ୍ୱ

 

ସେ ନରନାୟକ ।

ଗୁପ୍ତ ଦାତା ନୃପ

 

ନିଜକୃତ ଦାନ,

ଜ୍ଞାତ ଏକା ନିଜେ,

 

ନ ଜାଣେ ତା ଆନ ।

 

ଅର୍ଥ ଏ ଜଗତେ

 

ବଡ଼ ଦଗାଦାର,

ନୁହେ ସେ କାହାର,

 

ସେ ଏକା ତାହାର ।

ମୋର ବୋଲି

 

ଲୋକେ କରନ୍ତି ଚିତ୍କାର,

ମାତ୍ର ଅର୍ଥେ ନାହିଁ

 

କାର ଅଧିକାର ।

 

 

 

କେବଳ ସେ ଅର୍ଥ

 

ଯିବା ପାଇଁ ଆସେ,

ଚାଲିଯାଏ ପୁଣି

 

ଆସିବା ସକାଶେ ।

ଦେଖାଇ ମାନବ

 

ଜୀବନର ଲୀଳା,

ବାରଦ୍ୱାରେ ବୁଲି

 

ମାରୁଥାଏ ଚିଲା ।

 

 

 

ଜଣକର କରି

 

ଅଭାବ ମୋଚନ,

ହସ୍ତୁଁ ହସ୍ତାକ୍ଷରେ

 

କରେ ସେ ଗମନ ।

ହେଉ ଲକ୍ଷପତି

 

ହେଉ କୋଟିପତି,

ନାହିଁ କାର ସ୍ୱର୍ଗେ

 

ଅର୍ଥ ନେବା ଶକ୍ତି ।

 

 

 

ସମସ୍ତେ ତ ଦିନେ

 

ମୃତ୍ୟୁଯାନେ ଚଢ଼ି-

ଉଡ଼ିଯିବେ, ଅର୍ଥ

 

ରହିଥିବ ପଡ଼ି ।

ସମସ୍ତଙ୍କ କାର୍ଯ୍ୟ

 

କରିଦିଏ ଅର୍ଥ,

ଥାଏ ତା ଆକୃତି

 

ଅକ୍ଷତ ସତତ ।

 

କେହି ତ ଅର୍ଥକୁ

 

ଘୋରି ପିଏ ନାହିଁ,

ବୁଝନ୍ତି ଏ ମର୍ମ

 

ବିଜ୍ଞ ନରସାଇଁ ।

ଦରିଦ୍ର ଅକ୍ଷମ

 

ରୁଷ୍ଟ ହରଘଡ଼ି,

ରାଜ-ଗନ୍ତାଘରୁ

 

ପାଉଛନ୍ତି ପଡ଼ି ।

 

 

 

କ୍ଷୁଧା-ତୃଷାତୁର

 

ଭିକ୍ଷୁକ ସମସ୍ତେ,

ନ ଫେରନ୍ତି କେହି

 

କେବେ ଶୂନ୍ୟହସ୍ତେ ।

ଭକ୍ତି-ପ୍ରୀତି ସହ

 

ଦିବସେ ରାତ୍ରେ ବା,

ଲାଗିଛି ଦରିଦ୍ର-

 

ନାରାୟଣ ସେବା ।

 

 

 

ନରପତିଙ୍କର

 

ଦେବ ଦ୍ୱିଜ ପ୍ରତି,

ଅଛି ସଦା ଶ୍ରଦ୍ଧା

 

ଅଚଳା ଭକତି ।

ଦେବତା ସ୍ଥାପନ

 

ଦେଉଳ ନିର୍ମାଣ-

କରି ଉପାର୍ଜିଲେ

 

କୀର୍ତ୍ତି ନରରାଣ ।

 

 

 

ରାଜ୍ୟେ ତାଙ୍କ କୀର୍ତ୍ତି-

 

ଉଦ୍ୟାନର ଫୁଲ

ପ୍ରାୟ ସିଦ୍ଧେଶ୍ୱର

 

ହରଙ୍କ ଦେଉଳ ।

ସେ ଦେଉଳ ଚୂଡ଼ା

 

ଚାରୁ ଅଭ୍ରଙ୍କଷ,

ଶୋରେ ତହିଁ ତିନି

 

ସୁବର୍ଣ୍ଣ କଳସ ।

 

ବ୍ୟୟ କରି ମୁଦ୍ରା

 

ବିଂଶାର୍ଦ୍ଧ ହଜାର,

ନିର୍ମାଣିଲେ ଏହା

 

ନୃପ ଗୁଣାଧାର ।

ବସେ ତହିଁ ମେଳା

 

ଶିବରାତ୍ରି ଦିନ,

ବିଘନ ପ୍ରାନ୍ତର

 

ହୁଏ ଜନାଜୀର୍ଣ୍ଣ ।

 

 

 

ବହୁ ଦୂରୁଁ ଆସି

 

ବହୁ ନାରୀନର,

ପୂଜନ୍ତି ଭକ୍ତିରେ

 

ଶଙ୍କର ପୟର ।

ଶିବ-ଭକ୍ତ ରୁଣ୍ଡ

 

ହୁଅନ୍ତି ଅନେକ,

କରନ୍ତି ଆନନ୍ଦେ

 

ସହସ୍ରାଭିଷେକ ।

 

 

 

କାହିଁ ଯୋଗୀ ମୁନି

 

ବସି ସାତ ଆଠ,

କରନ୍ତି ମହିମ୍ନ-

 

ସ୍ତୋତ୍ର ଉଚ୍ଚେ ପାଠ ।

ଜପେ କେହି ଶିବ

 

ପଞ୍ଚାକ୍ଷରୀ ମନ୍ତ୍ର,

ଶିବ-ଶିରେ କେହି

 

ଅର୍ପେ ବିଲ୍ୱପତ୍ର ।

 

 

 

କେହି ଅବା ହୋଇ

 

ଭାବରେ ଉତ୍‌ଫୁଲ୍ଲ,

ଚଢ଼ାଏ ତ୍ରିଶୂଳୀ

 

ଶିରେ ଚମ୍ପାଫୁଲ ।

ଶିବ ଅଙ୍ଗେ କେହି

 

କରନ୍ତି ଘର୍ଷଣ,

ଘୃତ ନବନୀତ

 

କର୍ପୂର ଚନ୍ଦନ ।

 

ଢାଳେ କେ ଗୋଦୁଗ୍‌ଧ

 

ଶିବ ମସ୍ତକରେ

କେହି ଗଙ୍ଗାଜଳେ

 

ଅଭିଷେକ କରେ ।

କେହି ଅବା ଜାଳି

 

ଘୃତପୂର୍ଣ୍ଣ ଦୀପେ,

ବସେ ଉଜାଗରେ

 

ଦେବଙ୍କ ସମୀପେ ।

 

 

 

ଖେଳେ ଧର୍ମଭାବ

 

ଗଗନେ ପବନେ,

ଶଙ୍ଖ ଶିଙ୍ଗା ଭେରୀ

 

ନିଦାଘେ ସଘନେ ।

ପୂର୍ଣ୍ଣ ହୋଇଯାଏ

 

ହୃଦେ ଭକ୍ତିଭାବ,

ଦୁଷ୍ଟ ଚିନ୍ତା ପାଇଁ

 

ଥାଏ ନାହିଁ ଠାବ ।

 

 

 

ଦେଉଳ ବାହାରେ

 

ବସେ ପଣ୍ୟହାଟ,

ଜନଗହଳରେ

 

ମିଳେ ନାହିଁ ବାଟ ।

ସିନ୍ଧୁ ଘୋଷ ପ୍ରାୟ

 

ଜନତା ଗର୍ଜନ,

ଶୁଣି ହୋଇଯାଏ

 

ବଧିର ଶ୍ରବଣ ।

 

 

 

ହାଟ ନୁହେ ତାହା

 

ପଣ୍ୟଦ୍ରବ୍ୟ ଖଣି

ଶିଳ୍ପବାଣିଜ୍ୟର

 

ମହା ପ୍ରଦର୍ଶନୀ ।

ଅରଣ୍ୟ-ସଂଜାତ

 

ପଦାର୍ଥନିଚୟ,

ଅନ୍ତର୍ବାଣିଜ୍ୟର

 

ଦିଏ ପରିଚୟ ।

 

ଚୌଦିଗେ ବିଖ୍ୟାତ

 

ଶିବଙ୍କ ପ୍ରତାପ,

ପାଦୋଦକ ପାନେ

 

ଦୂର ହୁଏ ପାପ ।

କଇଁତ୍ରା ଦୁର୍ଗରେ

 

ନୃପ ଧର୍ମବୀର

ଅଛନ୍ତି ତୋଳାଇ

 

ସୁନ୍ଦର ମନ୍ଦିର ।

 

 

 

କରିଛନ୍ତି ସେହି

 

ଦେଉଳେ ସ୍ଥାପନ,

ଅଷ୍ଟଧାତୁମୂର୍ତ୍ତି

 

ଲକ୍ଷ୍ମୀନାରାୟଣ ।

ଅନିନ୍ଦ୍ୟ ସୁନ୍ଦର

 

ସେ ଯୁଗ୍ମ ମୂରତି,

ଅଲକ୍ଷ୍ୟେ ନିଅନ୍ତି

 

ଓଟାରି ଭକତି ।

 

 

 

ଚିର-ସୁନ୍ଦର ସେ

 

ଚିର-ମନୋହର

କରିଛନ୍ତି ନିଜେ

 

ନିଜକୁ ସୁନ୍ଦର ।

ଛଦ୍ମ କାରିଗର-

 

ରୂପେ ନାରାୟଣ,

କରିଛନ୍ତି ନିଜ

 

ଶ୍ରୀମୂର୍ତ୍ତି ଗଠନ ।

 

 

 

ଗଢ଼ିବ କି ନର

 

ସେଭଳି ପ୍ରତିମା,

ଲଙ୍ଘିଯାଏ ତାହା

 

ନରଜ୍ଞାନ-ସୀମା ।

ନିଜେ ସେ ପ୍ରତିମା

 

ନିଜେ କାରିଗର,

ସୃଜିଛନ୍ତି ଦେବ

 

ବିଚିତ୍ର ହୁନ୍ଦର ।

 

ମାନବ ତ ତାଙ୍କ

 

ସର୍ଜନା ଭିଆଣ,

ସୃଷ୍ଟ କି ସ୍ରଷ୍ଟାଙ୍କୁ

 

କରିବ ନିର୍ମାଣ ?

ସ୍ୱଭାବେ ସେ ଅଜ

 

ସ୍ୱଭାବେ ସ୍ୱୟମ୍ଭ,

ନିଜେ ସେ ନିଜର

 

ସେବାକାରୀ ପ୍ରଭୁ ।

 

 

 

ବିଶ୍ୱ ମହାକବି

 

ପ୍ରଭୁ ନାରାୟଣ,

ସୃଷ୍ଟିକାବ୍ୟ ତବ

 

ଜଟିଳ ଗହନ ।

ତୁମ୍ଭ ମଧ୍ୟେ ସ୍ଥିତ

 

ସୃଷ୍ଟି ଚରାଚର,

ସୃଷ୍ଟି ମଧ୍ୟେ ତୁମ୍ଭେ

 

ରହିଛ ଆବର ।

 

 

 

ସିନ୍ଧୁ ମଧ୍ୟେ ବିନ୍ଦୁ

 

ରହିବା ସମ୍ଭବ,

ମାତ୍ର ବିନ୍ଦୁ ମଧ୍ୟେ

 

ସିନ୍ଧୁ ଅସମ୍ଭବ ।

ଏ ବିରୋଧାଭାଷ

 

ଅଳଙ୍କାର ଏକା,

ତୁମ୍ଭରି କାବ୍ୟରେ

 

ଯାଏ ସିନା ଦେଖା ।

 

 

 

ସୃଷ୍ଟିକାବ୍ୟେ ଦେଖି

 

ଏ ବୈଚିତ୍ର୍ୟ ସ୍ୱତଃ

ହୁଏ ତବ ପଦେ

 

ଶିର ଅବନତ ।

ଏହି ସମସ୍ୟାର

 

ଯୋଗ୍ୟ ସମାଧାନ,

କେ କରିବ ଆହେ

 

ସର୍ବଶକ୍ତିମାନ ?

 

ହେ ମହାମହିମ

 

ବିଶ୍ୱେଶ ମାଧବ,

ତୁମ୍ଭ ପକ୍ଷେ କିଛି

 

ନାହିଁ ଅସମ୍ଭବ ।

ପ୍ରଭୁତ୍ୱର ତବ

 

ଏହାହିଁ ମହତ୍ତ୍ୱ,

ଘେନାହେଉ ପ୍ରଭୁ,

 

କୋଟି ଦଣ୍ଡବତ ।

 

 

 

ବାମୁରୁ ଗ୍ରାମରେ

 

ଅଧିଷ୍ଠିତ ହର,

ସ୍ୱନାମ-ପ୍ରସିଦ୍ଧ

 

ଶ୍ରୀଧବଳେଶ୍ୱର ।

ଦିପଞ୍ଚ ସହସ୍ର

 

ମୁଦ୍ରା କରି ବ୍ୟୟ,

ତୋଳିଛନ୍ତି ନୃପ

 

ତାଙ୍କ ଦେବାଳୟ ।

 

 

 

ଜାହ୍ନବୀ ରୂପରେ

 

ସୁରେଶ୍ୱରୀ ଝର,

ବହିଯାଏ ଧୋଇ

 

ଶିବଙ୍କ ପୟର ।

ଶିବଙ୍କ କରୁଣା

 

ରୂପ ପରିଗ୍ରହି,

ଜଳରୂପେ ଅବା

 

ଯାଉଅଛି ବହି ।

 

 

 

ବଂଶୀମୁଣ୍ଡା ନାମେ

 

ସ୍ୱଚ୍ଛ ପୃଷ୍କରିଣୀ,

ଶୋଭେ ବହି ଅଙ୍କେ

 

ରକ୍ତ କୁମୁଦିନୀ ।

ଗ୍ରାମକଣ୍ଠେ ଯେହ୍ନେ

 

ଦିଶେ ଜକଜକ,

ପଦ୍ମରାଗଖଚୀ

 

ମାରାଗ ପଦକ ।

 

ବାତେ ଆନ୍ଦୋଳିତ

 

କୁମୁଦ-କାନନ,

ଦେଖି ମନେ ଜାତ

 

ଉପମା ଏସନ ।

ଦୂର୍ବାଦଳ ଶ୍ୟାମ

 

ବିଶାଳ ପ୍ରାନ୍ତରେ,

ଇନ୍ଦ୍ରଗୋପପୁଞ୍ଜ

 

ସୁଖେ କି ବିହରେ ।

 

 

 

ଚଳଯାନେ ବସି

 

ସେ ସ୍ଥାନର ଦୃଶ୍ୟ,

ଦେଖୁ ଦେଖୁ ହୁଏ

 

କ୍ଷଣକେ ଅଦୃଶ୍ୟ ।

ପଥିକ ମାନସେ

 

ଦର୍ଶନ-ଲାଳସା,

ଜାତମାତ୍ରେ ଭଜେ

 

ବିଲୟ ସହସା ।

 

 

 

ଅପୂର୍ଣ୍ଣ ଆକାଙ୍‌କ୍ଷା

 

କରେ ତାକୁ ଥଟା,

ହତାଶ ପଥିକ

 

ହୁଏ ହଟହଟା ।

ଥଟା ନୁହେ ତାହା

 

କଠୋର ଭର୍ତ୍ସନା,

ପ୍ରଦାନେ ହୃଦୟେ

 

ଦାରୁଣ ଯନ୍ତ୍ରଣା ।

 

 

 

ସ୍ଥାନବିଶେଷରେ

 

ସରୋବର କୂପ,

ତୋଳାଇଅଛନ୍ତି

 

ଧର୍ମବୀର ନୃପ ।

ସତତ ତାଙ୍କର

 

ଦାନଧର୍ମ କୀର୍ତ୍ତି,

ଚାଲିଛି ଆଗକୁ

 

କ୍ରମେ ଯଥାରୀତି ।

 

ଦେଉଳ ଆକାରେ

 

ପୁଣ୍ୟପ୍ରାଣ ଭୂପ,

ରଚୁଛନ୍ତି ନିଜେ

 

ନିଜ କୀର୍ତ୍ତିସ୍ତୂପ ।

ରଖନ୍ତି ଯେ ଧର୍ମ

 

ରଖେ ତାଙ୍କୁ ଧର୍ମ,

ବିଦିତ ସେ ଏହି

 

ଆର୍ଷବାଣୀ ମର୍ମ ।

 

 

 

ରାଜ୍ୟୋନ୍ନତିକଳ୍ପେ

 

ଯୋଜନା ବହୁତ,

କରିଛନ୍ତି ନୃପ

 

ସଚିବ ପ୍ରସ୍ତୁତ ।

ଧରିଲେ ସ୍ୱରୂପ

 

ସେ ସକଳ କାର୍ଯ୍ୟ,

ଏ ଅଷ୍ଟମଲ୍ଲିକ

 

ହେବ ପୂର୍ଣ୍ଣରାଜ୍ୟ ।

 

 

 

ସ୍ୱରାଜ୍ୟ ବ୍ୟତୀତ

 

ଉତ୍କଳ ନିମନ୍ତେ,

ଦାନେ ମୁକ୍ତହସ୍ତ

 

ନରେଶ ସନ୍ତତେ ।

ସାଲେପୁର ଉଚ୍ଚ

 

ବିଦ୍ୟାଳୟ ପ୍ରତି,

ପ୍ରଦାନି ନୃମଣି

 

ଆନୁକୂଲ୍ୟ ଅତି ।

 

 

 

ପାଞ୍ଚଶତ ମୁଦ୍ରା

 

କରିଛନ୍ତି ଦାନ,

ସତ୍କାର୍ଯ୍ୟରେ ଦାନ

 

ତପସ୍ୟା ସମାନ ।

ତହିଁ ପୁରସ୍କାର-

 

ବିତରଣୀ ସଭା-

ମଧ୍ୟରେ ବିସ୍ତାରି

 

ସାହିତ୍ୟିକ ପ୍ରଭା,

 

ସଭାପତିରୂପେ

 

ଛାତ୍ରଙ୍କୁ ବିଶେଷ,

ଅର୍ପିଥିଲେ ବହୁ

 

ଉଚ୍ଚ ଉପଦେଶ ।

କରିଥିଲେ ଯେଉଁ

 

ଭାଷଣ ପ୍ରଦାନ,

ମଣିରତ୍ନୁଁ ବଳି

 

ତାହା ମୂଲ୍ୟବାନ ।

 

 

 

ଉଠୁଥିଲା ପ୍ରତି-

 

ପଦରୁ ଆଭାସି,

ଗଭୀର ଜ୍ଞାନର

 

ଉଚ୍ଚ ଚିନ୍ତାରାଶି ।

ସିଂଭୂମି ଓଡ଼ିଆ

 

ଶିକ୍ଷା ସାହାଯ୍ୟାର୍ଥ,

ଦାନ କରିଛନ୍ତି

 

ଅର୍ଥ ନରନାଥ ।

 

 

 

ଉପସ୍ଥିତ ଯୁଦ୍ଧ

 

ସାହାଯ୍ୟ ସକାଶ,

କରୁଛନ୍ତି ରାଏ

 

ବିଶେଷ ପ୍ରୟାସ ।

ଆଗ୍ରହେ ପ୍ରଦାନି

 

ଅର୍ଥ ଯଥାଶକ୍ତି,

ଦେଖାଇଅଛନ୍ତି

 

ପୂର୍ଣ୍ଣ ରାଜଭକ୍ତି ।

 

 

 

ସମ୍ରାଟ ବିପଦେ

 

ନିଜର ବିପଦ,

ପ୍ରାୟ ମଣୁଛନ୍ତି

 

ନୃପ ଶ୍ରଦ୍ଧାସ୍ପଦ ।

ଚକ୍ରବର୍ତ୍ତୀଙ୍କର

 

ମନାସି ବିଜୟ,

କରୁଛନ୍ତି ଧର୍ମ-

 

କାର୍ଯ୍ୟେ ବହୁବ୍ୟୟ ।

 

ହେବା ପାଇଁ ମୁକ୍ତ

 

ବିପଦୁଁ ସମ୍ରାଟ,

ହେଉଅଛି ଚଣ୍ଡୀପୀଠେ

 

ଚଣ୍ଡୀପାଠ ।

ଆକର୍ଷଣ ଅର୍ଥେ

 

ବିଷ୍ଣୁଙ୍କ କରୁଣା,

ହେଉଛି ସହସ୍ରନାମ

 

ନିତି ଗୁଣା ।

 

 

 

ଜପ ଯଜ୍ଞ ସ୍ତୁତି

 

ସଂକୀର୍ତ୍ତନ ଦାନ,

ଲାଗିଅଛି ବହୁ

 

ଦୈବୀ ଅନୁଷ୍ଠାନ ।

ମୁଖରିତ ରାଜ୍ୟ

 

ନାମ ସଂକୀର୍ତ୍ତନେ,

ସମ୍ରାଟଙ୍କ ଜୟ

 

ଉଚ୍ଚାରନ୍ତି ଜନେ ।

 

 

 

ଉଚ୍ଚାରନ୍ତି ଉଚ୍ଚେ

 

ବୈତାଳିକଚୟ,

ଜୟ ଷଷ୍ଠ ଜର୍ଜ

 

ସମ୍ରାଟଙ୍କ ଜୟ ।

ପ୍ରତିଧ୍ୱନି ଛଳେ

 

ଗାଏ ଦେବାଳୟ,

ଜୟ ଷଷ୍ଠ ଜର୍ଜ

 

ସମ୍ରାଟଙ୍କ ଜୟ ।

 

 

 

ଭକ୍ତବୃନ୍ଦ ରଖି

 

ବିଭୁପଦେ ଲୟ,

ଗାନ୍ତି ଷଷ୍ଠ ଜର୍ଜ

 

ସମ୍ରାଟଙ୍କ ଜୟ ।

ମୁଖରିତ କରି

 

ସଦା ଦିଗ୍‌ବଳୟ,

ଗାଏ ପଞ୍ଚଧାର

 

ସମ୍ରାଟଙ୍କ ଜୟ ।

 

କଳ କଳ ସ୍ୱରେ

 

ଚିତ୍ରୋତ୍ପଳା ପୟ,

ଉଚ୍ଚାରୁଛି ଜୟ

 

ସମ୍ରାଟଙ୍କ ଜୟ ।

ଉଚ୍ଚାରନ୍ତି ଜୟ

 

ବନେ ବିହଙ୍ଗମ,

ଆବର ସକଳ

 

ସ୍ଥାବର ଜଙ୍ଗମ ।

 

 

 

ବାମଦେବ ମିଶ୍ର

 

ରାଜ୍ୟର ଦେବାନ,

ପ୍ରତ୍ୟୁତ୍ପନ୍ନମତି

 

ଅଗାଧ ବିଦ୍ୱାନ ।

ଜନକ ଯେସନ

 

ପଣ୍ଡିତ ଗୌରବ,

ତେସନ ସେ ପୁଷ୍ପ

 

ସଂଜାତ ସୌରଭ ।

 

 

 

ଜ୍ଞାନ-ଚକ୍ଷୁରେ ସେ

 

କରନ୍ତି ଦର୍ଶନ,

ସେ ସିନା ସୁମନ୍ତ୍ରୀ

 

ପଣକୁ ଭାଜନ ।

କରିପାରନ୍ତି ଯେ

 

ନବ ଉଦ୍ଭାବନ,

ସେ ସିନା ସଚିବ

 

ପଦର ଭୂଷଣ ।

 

 

 

ବେନି ଅକ୍ଷ ବହି

 

ଯେହୁ ଚତୁରକ୍ଷ,

ସଚିବ ମଧ୍ୟରେ

 

ସେହି ଏକା ଦକ୍ଷ ।

ଯାଙ୍କ ଗୁଣେ ମୁଗ୍‌ଧ

 

ଭାରତ ସର୍କାର,

ଯାଚିଦେଇଛନ୍ତି

 

ପଦ ପୁରସ୍କାର ।

 

କେତେ ନବ ନବ

 

ଶିଳ୍ପ ବ୍ୟବସାୟ-

ସୃଜି ଯେ କରନ୍ତି

 

ବହୁ ଅର୍ଥ ଆୟ ।

ଉଦ୍‌ଭାବନୀ ଶକ୍ତି

 

ତାଙ୍କ ଅନୁପମ,

କରନ୍ତି ଉଷୀର-

 

ଚେରୁଁ ଅର୍ଥାଗମ ।

 

 

 

ରାସ୍ନା, ଚିରେଇତା,

 

ବାଇବିଡ଼ଙ୍ଗାଦି,

ବନ ପର୍ବତରୁ

 

ଯତନେ ସମ୍ପାଦି,

ସୃଷ୍ଟିକରି ବହୁ

 

ନବ ବ୍ୟବସାୟ,

କରୁଛନ୍ତି ବୃଦ୍ଧି

 

ରାଜକୋଷ-ଆୟ ।

 

 

 

ଚିର ଅନାଦୃତ

 

ବନ୍ୟଦ୍ରବ୍ୟମାନ,

ହୋଇଅଛି ତାଙ୍କ

 

ଯୋଗୁଁ ମୂଲ୍ୟବାନ ।

ନିରପେକ୍ଷବାଦୀ

 

ସାଧୁ ସଚ୍ଚରିତ୍ର,

ସ୍ୱଗୁଣେ ସେ ସର୍ବ

 

ପ୍ରଜାଙ୍କର ମିତ୍ର ।

 

 

 

ମହାରାଜାଙ୍କର

 

ବିଶ୍ୱାସୀ ସଚିବ,

ନ୍ୟାୟ ବିଚାରରେ

 

ସୁଦକ୍ଷ ଅତୀବ ।

ରାଜ୍ୟୋନ୍ନତିକାମୀ

 

ସଦା ସମଦର୍ଶୀ,

ଆଳସ୍ୟ ତାହାଙ୍କୁ

 

ପାରେ ନାହିଁ ସ୍ପର୍ଶି ।

 

ପ୍ରଜାପତି, ପ୍ରଜା

 

ଉଭୟର ହିତ,

ସାଧନରେ ସଦା

 

ଥାନ୍ତି ଅବହିତ ।

ସୁରାଜା ସହିତ

 

ସୁମନ୍ତ୍ରୀ ମିଳନ,

ବିଧାତୃ-ବିଧାନ

 

ହୋଇଅଛି ଧନ୍ୟ ।

 

 

 

ମହାରତ୍ନ ସହ

 

ଗଜରାଜମୋତି,

ଗୁନ୍ଥାହେଲେ ବଢ଼େ

 

ଉଭୟର ଜ୍ୟୋତି ।

 

 

 

ମହାରାଜ-ଭ୍ରାତା

 

ପ୍ରକାଶି ମମତା,

କରୁଛନ୍ତି ରାଜ-

 

କାର୍ଯ୍ୟେ ସହାୟତା ।

ବଂଶର ମହତ୍ତ୍ୱ

 

ବଂଶର ଦାୟିତ୍ୱ,

ହୋଇଅଛି ତାଙ୍କ

 

ପ୍ରାଣେ ପ୍ରଭାବିତ ।

 

 

 

ଅଟନ୍ତି ସ୍ୱଭାବେ

 

ମହାବଂଶୋଦ୍ଭବ,

ବଂଶ ଅନୁରୂପ

 

ସଦ୍‌ଗୁଣ ବିଭବ ।

ଅଭାବ କିପାଇଁ

 

ହେବ ବା ତାଙ୍କର,

ସିଂହ-ଶିଶୁ ହୁଏ

 

ସିଂହ-ଗୁଣଧର ।

 

ଗଜମୋତି ସିନା

 

ଜନ୍ମେ ଗଜଶିରୁ,

ରତ୍ନହିଁ ଉପୁଜେ

 

ରତନ ଖଣିରୁ ।

ସଂକ୍ରାମକ ରୋଗେ

 

ହେଲେ ଲୋକକ୍ଷୟ,

ବୁଲେ ରାଜ୍ୟେ

 

‘‘ଚଳ-ଚିକିତ୍ସା ଆଳୟ’’ ।

 

 

 

ନ ବ୍ୟାପୁଣୁ ରୋଗ

 

ରାଜ-ସରକାର,

କରନ୍ତି ତାହାର

 

ଯୋଗ୍ୟ ପ୍ରତିକାର ।

ପ୍ରତିଷେଧକାରୀ

 

ଉପାୟ ବିହିତ,

ହୁଏ ସାବଧାନେ

 

ସୁଅବଲମ୍ବିତ ।

 

 

 

ଦାତବ୍ୟ-ଔଷଧ

 

ଗୃହ ସୁବିଧାନେ,

ହୋଇଛି ସ୍ଥାପିତ

 

ରାଜ୍ୟେ ସ୍ଥାନେ ସ୍ଥାନେ ।

ଦୀନ ରୋଗୀଙ୍କର

 

ରୋଗର ଅବସ୍ଥା-

ଅନୁସାରେ ହୁଏ

 

ବିହିତ ବ୍ୟବସ୍ଥା ।

 

 

 

ଲଘୁ ପଥ୍ୟ ସହି

 

ରୋଗର ଔଷଧି,

ହୁଏ ବିତରିତ

 

ଫଳ ଦୁଗ୍‌ଧ ଦଧି ।

ଚିକିତ୍ସକବର୍ଗ

 

ଚତୁର ସୁଦକ୍ଷ,

ରୋଗୀ ପ୍ରତି ସଦା

 

ରଖିଥାନ୍ତି ଲକ୍ଷ୍ୟ ।

 

ସାନ୍ତ୍ୱନା ପ୍ରଦାନି

 

କହି ମିଷ୍ଟ କଥା,

ହରନ୍ତି ରୋଗୀର

 

ଭୟ, ଆତୁରତା ।

ରାଜକୋଷୁଁ କରି

 

ବହୁ ଅର୍ଥ ବ୍ୟୟ,

ହେଉଛି ଔଷଧ

 

ପ୍ରତିବର୍ଷ କ୍ରୟ ।

 

 

 

ନବ ଉଦ୍ଭାବିତ

 

ବୈଜ୍ଞାନିକ ଯନ୍ତ୍ର,

କ୍ରୟ ପାଇଁ ଅଛି

 

ବ୍ୟବସ୍ଥା ସ୍ୱତନ୍ତ୍ର ।

ନାହିଁ ଆୟୁର୍ବେଦ

 

ଚିକିତ୍ସା ଅଭାବ,

ବଢ଼ୁଛି ହୋମିଓ

 

ଚିକିତ୍ସା ପ୍ରଭାବ ।

 

 

 

ଚିକିତ୍ସା ବ୍ୟବସ୍ଥା

 

ଅଷ୍ଟମଲ୍ଲିକର,

ଅତି ପ୍ରୀତିପ୍ରଦ

 

ସର୍ବାଙ୍ଗସୁନ୍ଦର ।

 

 

 

ବିଚାର ଶାସନ

 

ଉଭୟ ବିଭାଗ,

ଚଳୁଅଛି ଧରି

 

ସମୁନ୍ନତି ମାର୍ଗ ।

ରାଜ୍ୟବାସୀ ଉଚ୍ଚ-

 

ଶିକ୍ଷିତ ଯୁବକ,

ଦୁଇ ବିଭାଗର

 

ଯୋଗ୍ୟ ବିଚାରକ ।

 

ବିଚାର ଆପତ୍ତି

 

ବୁଝନ୍ତି ଦେଓ୍ୱାନ,

ରାଜନୀତି-ପଟୁ

 

ତୀକ୍ଷ୍‌ଣ ବୁଦ୍ଧିମାନ ।

ସ୍ୱୟଂ ମହାରାଜା

 

ରାଜ୍ୟ କର୍ଣ୍ଣଧାବ,

ତାଙ୍କ ବିଚାରହିଁ

 

ଚୂଡ଼ାନ୍ତ ବିଚାର ।

 

 

 

ସମସ୍ତ ବିଭାଗ

 

ତାହାଙ୍କ ନିର୍ଦ୍ଦେଶେ,

ସୁପରିଚାଳିତ

 

ହେଉଛି ଅକ୍ଳେଶେ ।

କର୍ଣ୍ଣଧାର ଯାର

 

ସୁଚତୁରାଗ୍ରଣୀ,

ନିର୍ବିଘ୍ନରେ ଚଳେ

 

ସେ ରାଜ୍ୟ-ତରଣୀ ।

 

 

 

ରାଜ୍ୟର ସମସ୍ତ

 

ଉଚ୍ଚ କର୍ମଚାରୀ,

ଶାନ୍ତ ଶିଷ୍ଟ ବାଧ୍ୟ

 

ସାଧୁବ୍ୟବହାରୀ ।

ଉପଦିଷ୍ଟ ସର୍ବେ

 

ରାଜ-ଉପଦେଶେ,

ପାଳନ୍ତି ସମ୍ଭ୍ରମେ

 

ନୃପତି ଆଦେଶେ ।

 

 

 

ସ୍ୱତଃସିଦ୍ଧ ଏହା

 

ସଦ୍‌ଗୁରୁ ପ୍ରକୃତି,

ଗୁରୁଭକ୍ତ ଶିଷ୍ୟ

 

କରେ ଅନୁକୃତି ।

 

ଏ ରାଜ୍ୟର ସୁଧୀ

 

ଅଧ୍ୟାପକଗଣ,

କରୁଅଛ ତୁମ୍ଭେ

 

ମନୁଷ୍ୟ ଗଠନ ।

ଘେନି ଶିଶୁରୂପୀ

 

କର୍ଦ୍ଦମ ପେଣ୍ଡୁଳା,

କରୁଛ ନିର୍ମାଣ

 

ସୁନ୍ଦର ପିତୁଳା ।

 

 

 

ଉନ୍ନତିର ମୂଳ

 

ସମାଜ ଶିକ୍ଷାର,

ବହିଅଛ ତୁମ୍ଭେ

 

ଗୁରୁତର ଭାର ।

ଆସନ ତୁମ୍ଭର

 

ହେ ଶିକ୍ଷାପଣ୍ଡିତ,

ମାନବ-ସମାଜ

 

ଊର୍ଦ୍ଧ୍ୱେ ନିରୂପିତ ।

 

 

 

ହାକିମ ଓକିଲ

 

ଜଜ୍‌ ଏମ.ଏ.ବି.ଏ.

ତୁମ୍ଭଠାରୁ ବଳି

 

ବଡ଼ ନୁହେ କିଏ ।

ସମସ୍ତଙ୍କର ତ

 

ତୁମ୍ଭେ ମୂଳ ଗୁରୁ,

ବଡ଼ ସିନା ସର୍ବେ

 

ତୁମ୍ଭରି ହେତୁରୁ ।

 

 

 

ତେଜିଅଛ ତୁମ୍ଭେ

 

ବଡ଼ଲୋକୀ ଆଶା,

ଧନ ମାନ ପଦ

 

ବିଷୟ-ପିପାସା ।

ଦାରିଦ୍ର୍ୟ ବରଣେ

 

ସଦା ଅନୁରାଗୀ

ମହାଯୋଗୀ ତୁମ୍ଭେ

 

ପୁଣି ମହାତ୍ୟାଗୀ ।

 

ଅଳ୍ପେ ତୁମ୍ଭେ ସୁଖୀ

 

ଅଳ୍ପରେ ସନ୍ତୁଷ୍ଟ,

ଦୂରବସ୍ଥା ପ୍ରତି

 

ନୁହ କେବେ ରୁଷ୍ଟ ।

ଛାତ୍ରଛାତ୍ରୀଗଣେ

 

ଅପତ୍ୟଜ୍ଞାନରେ,

କର ଶିକ୍ଷାଦାନ

 

ଅତି ସ୍ନେହାଦରେ ।

 

 

 

କରୁଛ ସମାଜେ

 

କର୍ମୀଦାନ ପୁଣି,

ମାନବ-ସମାଜ

 

ତୁମ୍ଭଠାରେ ଋଣୀ ।

ଧୈର୍ଯ୍ୟ ସହିଷ୍ଣୁତା

 

ଆଦର୍ଶ ତୁମ୍ଭର,

ମର ଜଗତରେ

 

ତୁମ୍ଭେହିଁ ଅମର ।

 

 

 

ମାନବ ନିର୍ମାଣି

 

ନ ହୋଇ ସନ୍ତୁଷ୍ଟ,

ଗଢ଼ୁଛ ସମାଜ

 

ଭବିଷ୍ୟ ଅଦୃଷ୍ଟ ।

ବର୍ଣ୍ଣି ନୁହେ ଗୁରୋ,

 

ତୁମ୍ଭର ପ୍ରଭାବ,

ସହସ୍ର ପୃଷ୍ଠାରେ

 

ତାହା ଅସମ୍ଭବ ।

 

 

 

ନୁହେଟି ସହଜ

 

ଅଧ୍ୟାପନା କର୍ମ,

ଅଯୋଗ୍ୟ ପାତ୍ରରେ

 

ଉପୁଜେ ଅଧର୍ମ ।

ଛାତ୍ର-ଜୀବନର

 

ଅପୂର୍ଣ୍ଣତା ଲାଗି,

ଦାୟୀ ଏକା ଗୁରୁ

 

ହୁଏ ପାପଭାଗୀ ।

 

ଶିକ୍ଷାରେ ରହିଲେ

 

ତ୍ରୁଟି ଅଣୁମାତ୍ର,

ହେବ ବିକଳାଙ୍ଗ

 

ଆଜୀବନ ଛାତ୍ର ।

ଛାତ୍ରର ଚରିତ୍ର

 

ନ ହେଲେ ମାର୍ଜିତ,

ହୁଏ ସିନା ଫଳ

 

ହିତେ ବିପରୀତ ।

 

 

 

ଛାତ୍ର ମନ ମଧ୍ୟେ

 

ପଶି ଉପାଧ୍ୟାୟ,

ବୁଝିବ ତାହାର

 

ସର୍ବ ଅଭିପ୍ରାୟ ।

ଥିବ ଯଦି ତହିଁ

 

ଦୋଷ ଅନାଚାର,

କରିଦେବ ତାକୁ

 

କୌଶଳେ ବାହାର ।

 

 

 

ବାଳୁଙ୍ଗା ଉପାଡ଼ି

 

ବାଛିବ ଯେ ଧାନ,

ଜ୍ଞାନ-ନେତ୍ରେ ସେହି

 

ସୁଯୋଗ୍ୟ କୃଷାଣ ।

ଅଷ୍ଟମଲ୍ଲିକର

 

ଶିକ୍ଷକମଣ୍ଡଳୀ,

ସେ ବିଷୟେ ସର୍ବେ

 

ପରମ କୁଶଳୀ ।

 

 

 

ସେହେତୁ ଶିକ୍ଷାରେ

 

ଉପୁଜୁଛି ଶିବ,

ଦେଖି ମୁଁ ହୋଇଛି

 

ବିମୁଗ୍‌ଧ ଅତୀବ ।

ତାଙ୍କ ପ୍ରବର୍ତ୍ତିତ

 

ସୁଶିକ୍ଷା ପ୍ରଣାଳୀ,

ପ୍ରାଣେ ଆଶାମୃତ

 

ଦେଉଅଛି ଢାଳି ।

 

ମେଣ୍ଟାଇ ମୁଁ ଚକ୍ଷୁ-

 

କର୍ଣ୍ଣର ବିବାଦ,

ଅର୍ପୁଅଛି ତାଙ୍କୁ

 

ବହୁ ଧନ୍ୟବାଦ ।

ବିଦ୍ୟା-ମନ୍ଦିରର

 

ଛାତ୍ରଛାତ୍ରୀଚୟ,

ଜ୍ଞାନ-ମହାଧନ

 

କରୁଛି ସଞ୍ଚୟ ।

 

 

 

ମାତୃଭୂମି ତବ

 

ତୁମ୍ଭରି ବଦନେ,

ଚାହିଁ ରହିଛନ୍ତି

 

ଉତ୍ପକ୍ଷ୍ମ ନୟନେ ।

ତୁମ୍ଭେ ତାଙ୍କ ଭାବୀ

 

ଭରସାର ସ୍ଥଳ,

କର ମାତୃମୁଖ

 

ଗୁଣେ ସମୁଜ୍ଜ୍ୱଳ ।

 

 

 

ହେ ବାଳ-ତାପସ-

 

ତପସ୍ୱିନୀଗଣ,

ସମାଜର ତୁମ୍ଭେ

 

ମହାର୍ହ ଭୂଷଣ ।

ଗ୍ରହିଅଛ ଯେଉଁ

 

ଅଧ୍ୟୟନ ବ୍ରତ,

ଅର୍ପ ତହିଁ ମନ

 

ଜୀବନ ସତତ ।

 

 

 

ସାଧନା ବଳରେ

 

କର ତା ସଫଳ,

ସେ ତୁମ୍ଭର ଭାବୀ

 

ଜୀବନ-ସମ୍ବଳ ।

ସମାଜର ଗୁରୁ-

 

ଦାୟିତ୍ୱ ବହନ,

କରିଅଛ ଶିରେ

 

ଛାତ୍ରଛାତ୍ରୀଗଣ ।

 

ନବ ଭାବେ ତୁମ୍ଭେ

 

ଗଢ଼ିବ ସମାଜେ,

ମଣ୍ଡି ନବୋନ୍ନତି

 

ନବାଦର୍ଶସାଜେ ।

ସର୍ବଦା ମାନସେ

 

ବହି ଅନୁରକ୍ତି,

ଶିକ୍ଷାଦାତା ପ୍ରତି

 

ରଖିଥିବ ଭକ୍ତି ।

 

 

 

ଗୁରୁଙ୍କ ପ୍ରସାଦେ

 

ହୁଏ ସର୍ବସିଦ୍ଧ,

କାଳେ କାଳେ ଅଛି

 

ଏ ବାଣୀ ପ୍ରସିଦ୍ଧ ।

ପିତାଙ୍କ ଊର୍ଦ୍ଧ୍ୱରେ

 

ଗୁରୁଙ୍କ ଆସନ,

ପାଶୋରିବ ନାହିଁ

 

ଏହା କଦାଚନ ।

 

 

 

ବିଭୁପଦେ ଶକ୍ତି

 

ମାଗି ଅନୁକ୍ଷଣ,

କରୁଥାଅ ନିଜ

 

କର୍ତ୍ତବ୍ୟ ସାଧନ ।

ଚରିତ୍ର ତୁମ୍ଭର

 

ସର୍ବଶ୍ରେଷ୍ଠ ବଳ,

ପ୍ରାଣେ ପ୍ରାଣେ ତାକୁ

 

ରଖିବ ନିର୍ମଳ ।

 

 

 

ଚରିତ୍ର ସ୍ୱର୍ଣ୍ଣେ ଯେ

 

ନ ମିଶାଏ ଖାଦ,

ବର୍ଷେ ତାହା ଶିରେ

 

ବିଭୁ-ଆଶୀର୍ବାଦ ।

ସତ୍ୟ କହିବାକୁ

 

ହେବ ନାହିଁ ଭୀତ,

ନୀତି ପଦେ ସଦା

 

ଉତ୍ସର୍ଗିବ ଚିତ୍ତ ।

 

ଅବହିତ ସର୍ବେ

 

ଥିବ ସବୁକାଳେ,

ନ ଭୁଲିବ ମିଥ୍ୟା

 

ପ୍ରତାରଣା ଜାଲେ ।

ସଂଯମ ସାଧନେ

 

ନ ମଣିବ କ୍ଲେଶ,

ପାଳିବ ମୋର ଏ

 

କ୍ଷୁଦ୍ର ଉପଦେଶ ।

 

 

 

ପୂଜିବ ଧର୍ମକୁ

 

ଭକତି ବିଶ୍ୱାସେ,

ନ ପଶିବ ପାପ

 

ଅନାଚାର ପାଶେ ।

ଧର୍ମଭିତ୍ତିରେ ଯେ

 

କାର୍ଯ୍ୟ ସଂସ୍ଥାପିତ,

ବିଫଳ ସେ କାର୍ଯ୍ୟ

 

ନୁହେ କଦାଚିତ ।

 

 

 

ଧର୍ମ ମାନବର

 

ଦୃଢ଼ ବଜ୍ର କକ୍ଷା,

ସକଳ ବିପଦୁଁ

 

କରେ ସେ ସୁରକ୍ଷା ।

ଅନ୍ୟର ଧର୍ମକୁ

 

ନ କରିବ ଘୃଣା,

ସର୍ବ ଧର୍ମ ଏକ,

 

କେହି ନୁହେ ଊଣା ।

 

 

 

ରାଜ୍ୟ-ସମାଜର

 

ରାଜା ମହାଶକ୍ତି,

ପ୍ରକାଶିକ ସଦା

 

ତାଙ୍କ ପଦେ ଭକ୍ତି ।

ଏ ଦେଶର ପ୍ରାଣ-

 

ପିଞ୍ଜରା ଶୋଣିତ,

ହୋଇଅଛି ରାଜ-

 

ଭକ୍ତିରେ ଗଠିତ ।

 

ରାଜଭକ୍ତି-ଅଣୁ

 

ଏ ଦେଶ ଗଗନେ,

ଉଡ଼ି ବୁଲୁଅଛି

 

ଆବର ପବନେ ।

ପ୍ରଜାହିତେ ରାଜା

 

ସର୍ବଦା ଚିନ୍ତିତ,

ନୁହେ ଏ ବଚନ

 

ଅତ୍ୟୁକ୍ତିରଞ୍ଜିତ ।

 

 

 

ରାଜା ନରରୂପୀ

 

ମର୍ତ୍ତ୍ୟର ଦେବତା,

ସର୍ବବେଦଶାସ୍ତ୍ର

 

ଭଣେ ଏହି କଥା ।

ପ୍ରଜା ପାଇଁ ରାଜା

 

ସୃଜିଛନ୍ତି ବିଧି,

ବିଶ୍ୱପିତାଙ୍କର

 

ରାଜା ପ୍ରତିନିଧି ।

 

 

 

ନିତି ପ୍ରାତେଃ ତାଙ୍କୁ

 

କରିବ ସ୍ମରଣ,

ବନ୍ଦିବ ଉଦ୍ଦେଶ୍ୟେ

 

ନୃପତି-ଚରଣ ।

ପ୍ରଜା ପାଇଁ ରାଜା

 

ନ ବିଚାରି ଦ୍ୱିଧା,

କରିଦେଉଛନ୍ତି

 

ସକଳ ସୁବିଧା ।

 

 

 

ରାଜାଙ୍କ କର୍ତ୍ତବ୍ୟ

 

ଗୁରୁତା ସୁମରି,

ମଣିବ ତାହାଙ୍କୁ

 

ନିଜ ପିତା ପରି ।

ତାଙ୍କରି ପ୍ରସାଦେ

 

ଲଭିଅଛି ଜ୍ଞାନ,

କରିବ ତାହାଙ୍କୁ

 

ଉଚିତ ସମ୍ମାନ ।

 

ପ୍ରଜା-ଶିଷ୍ୟଙ୍କର

 

ନୃପତି ଶିକ୍ଷକ,

ପୁଣି ଧନ ମନ

 

ଜୀବନ-ରକ୍ଷକ ।

ରାଜାଙ୍କ ଦାୟିତ୍ୱ

 

ସ୍ମରି ଦିବାରାତ୍ରି,

ରହିବ କୃତଜ୍ଞ

 

ପ୍ରିୟ ଛାତ୍ରଛାତ୍ରୀ ।

 

 

 

ଅଷ୍ଟମଲ୍ଲକର

 

ପ୍ରଜାସାଧାରଣ,

ଘେନ ମୋର ଶ୍ରଦ୍ଧା

 

ପ୍ରୀତି-ସମ୍ଭାଷଣ ।

ମୁଗ୍‌ଧ ମୁହିଁ ତୁମ୍ଭ

 

ସ୍ନେହଶିଷ୍ଟାଚାରେ,

ମଧୁମୟ ଶାନ୍ତ

 

ସରଳ ବେଭାରେ ।

 

 

 

ରାଜାପ୍ରଜାଙ୍କର

 

ପବିତ୍ର ସମ୍ବନ୍ଧ,

ଦେଖି ମୁଁ ଲଭିଛି

 

ପରମ ଆନନ୍ଦ ।

ନିଜ ପଦେ ନିଜେ

 

କରିଣ ନିର୍ଭର,

ହେଉଛ ଉନ୍ନତି-

 

ପଥେ ଅଗ୍ରସର ।

 

 

 

ଶିକ୍ଷା କୃଷି ଶିଳ୍ପ

 

ନାନା ବ୍ୟବସାୟ,

ଆଶ୍ରୟେ କରୁଛ

 

ବୃଦ୍ଧି ନିଜ ଆୟ ।

ମାନବିକତାର

 

ବିକାଶ ପକ୍ଷରେ,

ଶ୍ରେୟ ସତ୍ୟ ଏହା

 

ଅକ୍ଷରେ ଅକ୍ଷରେ ।

 

ୠଣଗ୍ରସ୍ତ ନୋହି

 

ଅର୍ଥ ଉପାର୍ଜନ,

ଧର୍ମପଥେ ରହି

 

ଜୀବନ ଯାପନ,

ଯୋଗ୍ୟ ପାତ୍ରେ ଦୟା

 

ପର ଉପକାର,

ସତତ ପାଳନ

 

ସତ୍ୟ ସଦାଚାର,

 

 

 

ଏଥୁ ବଳି ସୁଖ

 

ଏଥୁ ବଳି ଶ୍ରେୟ,

ମାନବ ଜୀବନେ

 

କିସ ଅଭିପ୍ରେୟ ?

ଯେ ରାଜ୍ୟର ପ୍ରଜା

 

ଭୁଞ୍ଜନ୍ତି ଏ ସୁଖ,

ସେ ରାଜ୍ୟ ସୌରାଜ୍ୟ,

 

ଉଜ୍ଜ୍ୱଳ ତା ମୁଖ ।

 

 

 

ଏ ରାଜ୍ୟର ରାଜା,

 

ରାଜ୍ୟର ପ୍ରକୃତି,

ଗଢ଼ୁଛନ୍ତି ତବ

 

ସୌଭାଗ୍ୟର ମୂର୍ତ୍ତି ।

ରାଜଭକ୍ତ ମଧ୍ୟେ

 

ତୁମ୍ଭେ ଅଗ୍ରଗଣ୍ୟ,

ସେହି ଶୁଭଗୁଣେ

 

ହୋଇଅଛ ଧନ୍ୟ ।

 

 

 

ରାଜଭକ୍ତ ବୋଲି

 

ରଟେ ଯାଙ୍କ ଖ୍ୟାତି,

ସେ ଆଦର୍ଶ ପ୍ରଜା,

 

ସେ ଆଦର୍ଶ ଜାତି ।

ହେଲେ ନୀତିଯୁକ୍ତ

 

ରାଜବିଧିମାନ,

ସୃଜେ ଏ ଦୁର୍ଲଭ

 

ଆଦର୍ଶ ମହାନ ।

 

ଫୁଟିଉଠେ ତହିଁ

 

ନବୀନ ସଂସ୍କୃତି,

ଧରି ବାଞ୍ଛନୀୟ

 

ସୁନ୍ଦର ଆକୃତି ।

ପ୍ରଜାଙ୍କର ରାଜା

 

ପିତୃପଦବାଚ୍ୟ,

ଏ ସମ୍ପର୍କେ ନାହିଁ

 

ବିଚ୍ଛେଦ କଦାଚ ।

 

 

 

ଏ ବିଷୟ ତୁମ୍ଭେ

 

ସମ୍ପୂର୍ଣ୍ଣ ବିଦିତ,

ବ୍ୟବହାରୁଁ ସ୍ପଷ୍ଟ

 

ହେଉଛି ପ୍ରତୀତ ।

କରୁଅଛ ତୁମ୍ଭେ

 

ଯେବେ ଯେଉଁ ଅଳି,

ହେଉଅଛ ପ୍ରାପ୍ତ

 

ଫଳ ସେହିଭଳି ।

 

 

 

ସୁବିଦିତ ତୁମ୍ଭେ

 

ନୃପତି-ହୃଦୟ,

ପ୍ରଜା-ପୁତ୍ର ପ୍ରତି ସଦା

 

ସେ ସଦୟ ।

ପ୍ରଜା ଅଳି ନୃପ

 

ନ ମଣନ୍ତି ହେୟ,

ନ ଥାଏ ପିତାର

 

ପୁତ୍ରକୁ ଅଦେୟ ।

 

 

 

ଅନେକ ପ୍ରକାର

 

ପୁରାତନ କର,

ଦେଲେଣି ଉଠାଇ

 

କ୍ରମେ ନରବର ।

ନ ଗଣି ସେ ଚିତ୍ତେ

 

କିଛିମାତ୍ର ଦ୍ୱିଧା,

ଦେଲେଣି ତୁମ୍ଭଙ୍କୁ

 

ଅନେକ ସୁବିଧା ।

 

କରୁଥାଅ ତାଙ୍କ

 

ସନ୍ତୋଷ ବିଧାନ,

ଯୋଗ୍ୟ ଅଧିକାର

 

କରିବେ ସେ ଦାନ ।

ଶିକ୍ଷାବୃଦ୍ଧି ପାଇଁ

 

ହେଉଛି ବ୍ୟୟିତ,

ରାଜକୋଷୁ ଅର୍ଥ

 

ବହୁ ପରିମିତ ।

 

 

 

ଲଭୁଅଛି ବୃଦ୍ଧି

 

ରାଜ୍ୟେ ଶିକ୍ଷାଗାର,

ପଢ଼ୁଛନ୍ତି ଛାତ୍ର

 

ହଜାର ହଜାର ।

ଶୁଭଦୃଷ୍ଟ ହେତୁ

 

ନାରୀଶିକ୍ଷା ପ୍ରତି,

ଘଟୁଛି ତାହାର

 

ଅଦ୍ଭୁତ ଉନ୍ନତି ।

 

 

 

ଦଶ ବର୍ଷ ପରେ

 

ନ ରହିବ ପରା,

ରାଜ୍ୟ ମଧ୍ୟେ ଜଣେ

 

ନାରୀ ନିରକ୍ଷରା ।

 

 

 

ରୌଦ୍ର ବରଷାର

 

ଉପଦ୍ରବୁଁ ଯଥା,

ପଥିକନିକରେ

 

ରକ୍ଷାକରେ ଛତା ।

ନିଦାରୁଣ ଶୀତୁଁ

 

ତୂଳିକା-ବସନ,

ରକ୍ଷାକରେ ଯଥା

 

ଜନ-ଅପଘନ;

 

ତଥା ହିଂସ୍ରଜନ୍ତୁ

 

ଖଣ୍ଟ ଉପଦ୍ରବ-

କବଳୁଁ ପ୍ରଜାଙ୍କୁ

 

ରଖନ୍ତି ଭୂଧବ ।

ପ୍ରଜା ହିତ ପାଇଁ

 

ନୃପତି-ହୃଦୟ,

ସତତ ବ୍ୟାକୁଳ

 

ଚିନ୍ତିତ ଅଥୟ ।

 

 

 

ବିଚାରେ ଯେ ଅଛି

 

ରାଜପ୍ରାଣେ ସୁଖ,

ବାତୁଳ ସେ କିମ୍ବା

 

ନିରକ୍ଷର ମୂର୍ଖ ।

ତା କୋଷ୍ଠୀରେ ବିହି

 

ଲେଖି ନାହିଁ ଲଜ୍ଜା,

ବୁଝେ ରାଜକ୍ଲେଶ

 

ଚିନ୍ତାଶୀଳ ପ୍ରଜା ।

 

 

 

ରାଜମନ ନୁହେ

 

ଶାନ୍ତିର ଆସ୍ପଦ,

ବର୍ଦ୍ଧନେ ସେ ବ୍ୟସ୍ତ

 

ପ୍ରଜାର ସମ୍ପଦ ।

ସତ୍ୟ-ଧର୍ମ ନୀତି

 

ପାଳନ୍ତି ଯେ ରାଜା,

ବାଜେ ତାଙ୍କ ନାମେ

 

ସଦା ଖ୍ୟାତିବାଜା ।

 

 

 

ନିଦାଘ ପ୍ରାବୃଟ

 

ଶୀତୠତୁ କ୍ରୟ,

ଏ ରାଜ୍ୟେ ପ୍ରବଳ

 

ହୁଏ ଅତିଶୟ ।

ଆନ ୠତୁକ୍ରୟେ

 

କରନ୍ତି ସେ ଗ୍ରାସ,

କେବଳ ବସନ୍ତ

 

ପ୍ରକାଶେ ଆଭାସ ।

 

ଶେଷ ଭାଗେ ଗ୍ରୀଷ୍ମ

 

ମୂଳଭାଗେ ଶୀତ,

ଆଣନ୍ତି ବସନ୍ତେ

 

କରି ସଙ୍କୁଚିତ ।

ଶରତେ ପ୍ରାବୃଟ,

 

ହେମନ୍ତେ ଶିଶିର,

କରି ଆତ୍ମସାତ

 

ବଢ଼ାନ୍ତି ଶରୀର ।

 

 

 

ନୁହେ ତ କେବଳ

 

ଏ ଅଷ୍ଟମଲ୍ଲିକ,

ସମଗ୍ର ଉତ୍କଳେ

 

ଏହା ସ୍ୱାଭାବିକ ।

ୠତୁପର୍ଯ୍ୟାୟର

 

ଏହି ବିପର୍ଯୟ,

ପ୍ରତିବର୍ଷ ଘଟେ

 

ଏ ପ୍ରଦେଶମୟ ।

 

 

 

ଦେଶର ପ୍ରକୃତି

 

ଅନୁସାରେ ତାହା,

ସୃଜିଛନ୍ତି ଏହି

 

ବିଧି ବିଶ୍ୱନାହା ।

ଏଭଳି ବ୍ୟବସ୍ଥା

 

ବିଶ୍ୱପତିଙ୍କର,

ଉତ୍କଳ-ପ୍ରକୃତି

 

ପକ୍ଷେ ହିତକର ।

 

 

 

ଶୁଣ ପଞ୍ଚଧାର,

 

ଗିରି-ଅଧିରାଜ,

ଦେଖିଲି ବୁଲି ତୋ

 

ଅଧିଷ୍ଠିତ ରାଜ୍ୟ ।

ପ୍ରାକୃତିକ ଦୃଶ୍ୟ

 

ସୁପ୍ରସିଦ୍ଧ ସ୍ଥାନ,

ଗିରି ନଦୀ ସର

 

ପୁରାକୀର୍ତ୍ତିମାନ ।

 

ତୀର୍ଥୋପମ ପୁଣ୍ୟ

 

ସ୍ଥାନ କତିପୟ,

ସୁରମ୍ୟ ନଗର

 

ଗ୍ରାମ ଦେବାଳୟ ।

ଏ ଆଦି ଅନେକ

 

ବାହାର ସୌନ୍ଦର୍ଯ୍ୟ,

ଦେଖିଲି ଆବର

 

ଭିତର ଐଶ୍ୱର୍ଯ୍ୟ ।

 

 

 

ସାଧୁଛି ଏ ରାଜ୍ୟ

 

ଆତ୍ମୋନ୍ନତି ଯୋଗ,

କରି ମନ ପ୍ରାଣ

 

ଆତ୍ମା ବିନିଯୋଗ ।

ଦେଖି ଉନ୍ନତିର

 

ପ୍ରଗତି ପ୍ରଖର,

ଆନନ୍ଦେ ପ୍ଲାବିତ

 

ହେଲା ମୋ ଅନ୍ତର ।

 

 

 

ରାଜାପ୍ରଜାଙ୍କର

 

ଅଖଣ୍ଡ ସଦ୍‌ଭାବ,

ବିସ୍ତାରିଛି ରାଜ୍ୟ

 

ପ୍ରାଣରେ ପ୍ରଭାବ ।

ଶୁଣୁଛନ୍ତି ନୃପ

 

ବହୁ ଅବଧାନୀ,

ଦକ୍ଷିଣ କର୍ଣ୍ଣରେ

 

ବିବେକର ବାଣୀ ।

 

 

 

ବାମ କର୍ଣ୍ଣ ତାଙ୍କ

 

ରହିଛି ସତତ,

ପ୍ରଜାଙ୍କ ଗୁହାରି

 

ଶ୍ରବଣେ ନିରତ ।

ନବ ଯୁଗୋଚିତ

 

ଉନ୍ନତ ଜୀବନ,

ଦେଖୁଛି ଏ ରାଜ୍ୟେ

 

ସଫଳ ସ୍ୱପନ ।

 

ଉନ୍ନତିର ଅଙ୍ଗ

 

ଥିଲା ଯା ଅପୂର୍ଣ୍ଣ,

ପୂର୍ଣ୍ଣତା ଆଡ଼କୁ

 

ଧାଇଁଛି ସେ ତୁର୍ଣ୍ଣ ।

ଶିକ୍ଷା ସଭ୍ୟତାରେ

 

ହୋଇ ସଂମାର୍ଜିତ,

ହେଉଛି ଏ ରାଜ୍ୟ

 

କ୍ରମେ ଆଲୋକିତ ।

 

 

 

ମୁକ୍ତକଣ୍ଠେ ଶିଷ୍ଟ

 

ସୁପ୍ରଜାମଣ୍ଡଳୀ,

ଗାଉଛନ୍ତି ଉଚ୍ଚେ

 

ରାଜଗୁଣାବଳୀ ।

ଘଟୁଅଛି ଯହିଁ

 

ତିଳେମାତ୍ର ତ୍ରୁଟି,

ପଡ଼ୁଛି ସର୍ବାଗ୍ରେ

 

ତହିଁ ରାଜଦୃଷ୍ଟି ।

 

 

 

ତୀକ୍ଷ୍ଣ ରାଜଦୃଷ୍ଟି

 

ସୌର କର ପ୍ରାଏ,

ହେଉଛି ପତିତ

 

ସଦ୍ୟ ସବୁଠାଏଁ ।

ଅନଳ ସମାନ

 

ପ୍ରଜାର ପ୍ରକୃତି,

ଯେତେ ଦେଲେ ସୁଦ୍ଧା

 

ନ ଲଭେ ସେ ତୃପ୍ତି ।

 

 

 

ରଟେ ତାହା ମୁଖେ

 

ସୁଖ୍ୟାତି ଯାହାର,

ରାଜୋପାଧିର ସେ

 

ସିନା ଅଳଙ୍କାର !

ପଞ୍ଚଧାର ଏବେ

 

ମାଗୁଛି ମେଲାଣି,

ଜୁହାରି ତୋ ପାଦେ

 

ଯୋଡ଼ି ବେନି ପାଣି ।

 

ରଖିଥିବୁ ଦୟା

 

ସଦା ସାନୁମାନ,

ଘେନ ଏ ଦୀନର

 

ବିଦାୟ-ସମ୍ମାନ ।

 

 

 

ଦେବୀ ମାହେଶ୍ୱରୀ

 

ରାଜ୍ୟ-ଅଧିଷ୍ଠାତ୍ରୀ,

କଦମ୍ବ ବଂଶର

 

ସର୍ବାଭୀଷ୍ଟ-ଦାତ୍ରୀ ।

ମହା ପ୍ରତାପିନୀ

 

ରତ୍ନ-କିରୀଟିନୀ,

ମହାବଳୀ ଦୃପ୍ତ

 

ହର୍ଯ୍ୟକ୍ଷବାହିନୀ ।

 

 

 

କଦମ୍ବବଂଶୀୟ

 

ନୃପତି-ଆରାଧ୍ୟା,

ଯୋଗମାୟାରୂପା

 

ଯୋଗିଧ୍ୟାନାସାଧ୍ୟା ।

ତବ ସୁପ୍ରସାଦେ

 

ଏ ରାଜ୍ୟ ଭୂପାଳେ,

ଧନେ ମାନେ ଯଶେ

 

ଖ୍ୟାତ କାଳେ କାଳେ ।

 

 

 

ଏ ଅଷ୍ଟମଲ୍ଲିକ

 

ତୁମ୍ଭ ସୁପାଳିତ,

ଅପୂର୍ବ ସୌନ୍ଦର୍ଯ୍ୟ

 

ଗୌରବେ ଗର୍ବିତ ।

ଲଭି ତବ କୃପା

 

ଏ ରାଜ୍ୟ ବିଭୂତି-

ଦେଖି ମୁଁ ଅର୍ଜିଛି

 

ଯେଉଁ ଅନୁଭୂତି,

 

କାବ୍ୟାକାରେ ତାହା

 

କରିଣ ବର୍ଣ୍ଣନ

ଶ୍ରୀପୟରେ ତବ

 

କଲି ସମର୍ପଣ ।

ସମର୍ପି ତୁମ୍ଭଙ୍କୁ

 

ତୁମ୍ଭରି ପଦାର୍ଥ,

ମଣୁଅଛି ମୁହିଁ

 

ନିଜକୁ କୃତାର୍ଥ ।

 

 

 

ପୂଜା ବେଲପତ୍ର-

 

ରୂପେ ତା ଗ୍ରହଣ,

କର ମା ଏତିକି

 

ମୋର ନିବେଦନ ।

ଦୀନ ପ୍ରାଣର ଏ

 

ଭକ୍ତିପୂତ ପୂଜା,

ଘେନନ୍ତୁ ସଦୟେ

 

ଦେବୀ ବରଭୁଜା ।

 

 

 

ମହୀଜାତ ଦୂର୍ବା

 

ଅକ୍ଷତ ଅର୍ପଣେ,

ପୂଜନ୍ତି ମହୀଙ୍କୁ

 

ସିନା ଦୀନଜନେ ।

ମାଗୁଛି ମେଲାଣି

 

ଘେନ ମୋ ପ୍ରଣାମ ।

କର ଆଶୀର୍ବାଦ

 

ପୂରୁ ମନସ୍କାମ ।